
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.) ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା 36 ଗୋଟି ପାର୍କିଂସ୍ଥାନର ନିଲାମ କରାଯିବ । ଏ ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ଅପରାହ୍ନ ସାଢେ 3 ଘଟିକା ସମୟରେ ପ୍ରାକ୍ ନିବିଦା ବୈଠକ ବିଏମ୍ ସି ମୁଖ୍ୟାଳୟ ଏଲଜି ଫ୍ଲୋରସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ଟେଣ୍ଡର କମିଟିର ସମସ୍ତ ସଦସ୍ୟ, ସଦସ୍ୟାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ 25ରୁ ଅଧିକ ଆଶାୟୀ ନିଲାମଧାରୀ ଯୋଗଦେଇଥିଲେ ।
ସହରର ପ୍ରମୁଖ ଟ୍ରାଫିକ କରିଡରଗୁଡିକରେ ବେଆଇନ, ବିଶୃଙ୍ଖଳିତ ଏବଂ ଅସଂଗଠିତ ଭାବେ ରାସ୍ତାଉପରେ ପାର୍କିଂ ବନ୍ଦ କରିବା, ମୁଖ୍ୟ ରାସ୍ତାଗୁଡ଼ିକରୁ ଭିଡ଼ ହ୍ରାସ କରିବା, ସାର୍ବଜନୀନ ସ୍ଥାନଗୁଡ଼ିକର ଉନ୍ନତି କରିବା ଏବଂ ଅନୁମୋଦିତ ଉପଭୋକ୍ତା ଶୁଳ୍କ ପ୍ରଦାନ କରି ନାଗରିକମାନଙ୍କୁ ଉତ୍ସର୍ଗୀକୃତ, ସୁପରିଚାଳିତ ଯାନବାହାନ ପାର୍କିଂ ସ୍ଥାନଗୁଡ଼ିକର ସୁବିଧା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହା ବ୍ୟତୀତ ଅନୁମୋଦିତ ଉପଭୋକ୍ତା ଶୁଳ୍କ ପ୍ରଦାନ କରି ନାଗରିକମାନେ ସେମାନଙ୍କ ଯାନବାହାନ ପାର୍କିଂ ପାଇଁ ସମର୍ପିତ, ସୀମାବଦ୍ଧ ଏବଂ ସୁରକ୍ଷିତ ସ୍ଥାନ ପାଇପାରିବେ। ଏହା ଦ୍ୱାରା ଗାଡ଼ିମୋଟର ଏବଂ ପଦଯାତ୍ରୀ ଫୁଟପାଥଗୁଡ଼ିକୁ ପାର୍କିଂ ମୁକ୍ତ ରଖିବା, ନିର୍ଦ୍ଦିଷ୍ଟ ପଥ ସଂରକ୍ଷଣ କରିବା, ସାରା ସହରରେ ସୁଗମ, ବାଧାହୀନ ଯାନବାହାନ ଚଳାଚଳ ଏବଂ ପଦଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ । ଖୋଲା ପ୍ରତିଯୋଗିତାମୂଳକ ନିଲାମ ମାଧ୍ୟମରେ ଖୋଲା ସ୍ଥାନ ଏବଂ ରାସ୍ତାପାର୍ଶ୍ୱର ପରିଧିକୁ ବ୍ୟବସ୍ଥିତ କରିବା । ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ସଂଗଠନ, ପାର୍କିଂ ପରିଚାଳକ, ଏସ୍ ଏଚ୍ ଜି, ଆର୍ ଡବ୍ଲ୍ୟୁ ଏ, ଟ୍ରାଫିକ ମାର୍ଶାଲ, ଫି-ଆଦାୟ କାର୍ଯ୍ୟରେ ନିୟୋଜିତ ସାମାଜିକ ସଂଗଠନ ଏଥିପାଇଁ ଆବେଦନ କରିପାରିବେ । କେବଳ ଅଧିକାରପ୍ରାପ୍ତ, ସୀମାବଦ୍ଧ ପାର୍କିଂ ସ୍ଥାନରେ ଯାନବାହାନ ପାର୍କିଂ ଅଭ୍ୟାସକୁ ବୃଦ୍ଧି କରିବା; ଖଣ୍ଡଗିରି ଓଭର ବ୍ରିଜ୍ ତଳେ ସ୍ୱତନ୍ତ୍ର ବସ୍ ପାର୍କିଂ ଭିତ୍ତିଭୂମି ପରିଚାଳନା କରିବା, ରାଜପଥ ଲେନ୍ ବାହାରେ ଯାତ୍ରୀବାହୀ ବସ୍ ଏବଂ ଭାରି ବାଣିଜ୍ୟିକ ପରିବହନ ଯାନ ପାଇଁ ଉତ୍ସର୍ଗୀକୃତ ପାର୍କିଂ ବେ ଏବଂ ସର୍କୁଲେସନ୍ କରିଡର ସୁନିଶ୍ଚିତ କରିବା ଏବଂ ସମସ୍ତ ପାର୍କିଂ ସ୍ଥାନରେ ଅଣ-ମୋଟରଚାଳିତ ସାଇକେଲ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଯୋଗାଇଦେବା ସହ ସ୍ଥାୟୀ ସହରାଞ୍ଚଳ ଗତିଶୀଳତାକୁ ଉତ୍ସାହିତ କରିବା ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଡିଜିଟାଲ ପାର୍କିଂ ସହ ଅନଲାଇନ୍ ପେମେଣ୍ଟ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଏହାଦ୍ୱାରା ସ୍ୱଚ୍ଛତା ରକ୍ଷାକରାଯାଇ ପାରିବ ଏବଂ କୌଣସି ନିଲାମାଧାରୀ ଗାଡିମାଲିକଙ୍କଠାରୁ ଅଧିକ ଅର୍ଥ ନେଇପାରିବେ ନାହିଁ ବୋଲି କୁହାଯାଇଛି । ଗାଡି ମାଲିକମାନେ ଯେତିକି ପାର୍କିଂ ଫି ଦେବେ, ସେତିକିର ଡିଜିଟାଲ ରସିଦ ପାଇବେ । ଫଳରେ ଗାଡି ପାର୍କିଂ କରୁଥିବା ମାଲିକମାନେ ମଧ୍ୟ ଏକ ନୂଆ ଅନୁଭୁତି ନେଇଯିବେ ବୋଲି କୁହାଯାଇଛି । ବିଏମ୍ ସିର ଏହି ନିଷ୍ପତ୍ତିକୁ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି ।
ପ୍ରି-ବିଡ୍ ରେ ଅଂଶ ଗ୍ରହଣ କରିଥିବା ବିଡରମାନେ ମଧ୍ୟ କିଛି ପ୍ରସ୍ତାବ ଦେଇଥିଲେ । ତଦନୁସାରେ ନିର୍ଦ୍ଧାରିତ ତାରିଖ ଓ ସମୟ ମଧ୍ୟରେ ବିଡରମାନେ ସେମାନଙ୍କର ଆବେଦନ ପତ୍ର ସହ ସମସ୍ତ କାଗଜାତ ଦାଖଲ କରିବା ପାଇଁ କୁହାଯାଇଛି । ସବିସ୍ତୃତ ବିବରଣୀ ପାଇଁ ବିଏମ୍ ସି ଓ୍ୱେବ ସାଇଟ୍-www.bmc.gov.in ଦେଖିବା ପାଇଁ କୁହାଯାଇଛି । ଆଗ୍ରହୀ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ସଂଗଠନ ବିଏମ୍ ସିର ଓ୍ୱେବ ସାଇଟରୁ ନିର୍ଦେଶାବଳୀ ଓ ଆବେଦନ ଫର୍ମ ଡାଉନଲୋଡ କରିପାରିବେ ବୋଲି କୁହାଯାଇଛି । ଅକ୍ଟୋବର 6 ତାରିଖ ମଧ୍ୟରେ ଆବେଦନ କରିବା ପାଇଁ କୁହାଯାଇଛି । ଏକଥା ମଧ୍ୟ କୁହାଯାଇଛି ଯେ, ଯେଉଁମାନେ ଆଗ୍ରହୀ ଅଛନ୍ତି, ସେମାନଙ୍କର ଆବଶ୍ୟକ ଭିତ୍ତିଭୂମି ଥିବ ଏବଂ ଗାଡିମାଲିକମାନଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବା ସହ ବିଏମ୍ ସି ଦ୍ୱାରା ନିର୍ଦ୍ଧାରିତ ଦରଠାରୁ ଗୋଟିଏ ଟଙ୍କା ମଧ୍ୟ ଅଧିକ ନେଇପାରିବେ ନାହିଁ । ଯଦି କୌଣସି ନିଲାମଧାରୀ ଏପରି କରୁଥିବାର ବିଏମ୍ ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟିଗୋଚର ହୁଏ, ତେବେ ତତ୍କାଳ ସେମାନଙ୍କର ଚୁକ୍ତିପତ୍ର ବାତିଲ କରାଯିବା ସହ ତାଙ୍କର ଅମାନତ ରାଶି ବାଜ୍ୟାପ୍ତ କରାଯିବ ବୋଲି ଟେଣ୍ଡର କମିଟି ପକ୍ଷରୁ କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା