
ଲଗାଣ ବର୍ଷାରେ ନୂଆପଡ଼ା ବେହାଲ ଚାଷ ଜମିରେ ପାଣି, ଧାନ ଫସଲ ନଷ୍ଟ ଆଶଙ୍କା; ବହିଗଲା ସାର ଓ କୀଟନାଶକ
ନୂଆପଡ଼ା,୨୫ ସେପ୍ଟେମ୍ବର (ହି.ସ.): ଗତ ତିନି ଦିନ ଧରି ଜିଲାର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି, ପବନ ସହ ଲଗାଣ ବର୍ଷା ଲାଗି ରହିଛି। ଏଥିଯୋଗୁଁ ନୂଆପଡ଼ା ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଚାଷଜମିରେ ବର୍ଷାଜଳ ଜମି ଧାନ ଫସଲ ପ୍ରଭାବିତ ହୋଇଛି। ଅନେକ ଜମିରେ ଧାନଗଛ ପାଣିରେ ବୁଡ଼ି ରହିଥିବାରୁ ଫସଲ ନଷ୍ଟ ହେବା ନେଇ ଚାଷୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ସରକାରୀ ଭାବେ ରେକର୍ଡ ହୋଇଥିବା ବର୍ଷା ପରିମାଣ ଅନୁଯାୟୀ ସିନାପାଲି ବ୍ଲକରେ ସର୍ବାଧିକ ୧୨୦.୦ ମିମି ବର୍ଷା ହୋଇଥିବା ବେଳେ ଖଡ଼ିଆଳ ବ୍ଲକରେ ୯୬.୦ ମିମି, ନୂଆପଡ଼ା ବ୍ଲକରେ ୮୪.୬ ମିମି, ବୋଡ଼େନ ବ୍ଲକରେ ୬୮.୦ ମିମି ଏବଂ କୋମନା ବ୍ଲକରେ ୩୧.୦ ମିମି ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ଚିନ୍ତା ଆହୁରି ବଢ଼ିଛି। ଧାନ ଓ ଅନ୍ୟାନ୍ୟ ଫସଲରେ ଭଲ ଅମଳ ଆଶାରେ ଚାଷୀମାନେ ଧାରକରଜ କରି ସାର ଓ କୀଟନାଶକ ପ୍ରୟୋଗ କରିଥିଲେ। ହେଲେ ଲଗାଣ ବର୍ଷାରେ ଅନେକ ସ୍ଥାନରେ ଜମିରୁ ସାର ଓ କୀଟନାଶକ ବହିଯାଇଥିବା ଅଭିଯୋଗ ହୋଇଛି। ଫଳରେ ଚାଷ ଖର୍ଚ୍ଚ ବଢ଼ିବା ସହ ଚାଷୀଙ୍କ ଆର୍ଥିକ କ୍ଷତି ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ ବର୍ଷା ଓ ପବନ ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଟି ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ଦ୍ରୁତଗତିରେ ପବନ ବହିବା ଯୋଗୁଁ କେତେକ ସ୍ଥାନରେ ଗଛ ଓ ଡାଳ ରାସ୍ତା ଉପରେ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଲଗାଣ ବର୍ଷା ଆହୁରି ଜାରି ରହିଲେ ଚାଷଜମି ସହ ଘରଦ୍ୱାର ଓ ରାସ୍ତାଘାଟ ଉପରେ ଏହାର ପ୍ରଭାବ ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ