
- ପଣ୍ଡିତ ଦିନଦୟାଲଜୀଙ୍କ ପ୍ରତିମୂର୍ତିକୁ ଅନାବରଣ , ଇ-ଲାଇବ୍ରେରୀ ଉଦଘାଟିତ
ଭୁବନେଶ୍ୱର,୨୫ ସେପ୍ଟେମ୍ବର (ହି.ସ) - ଅନ୍ତ୍ୟୋଦୟର ସ୍ୱପ୍ନଦ୍ରଷ୍ଟା ସେହି ମହାନ ମନିଷୀଙ୍କ ୧୧୧ ତମ ଜନ୍ମ ଜୟନ୍ତୀକୁ ଦେଶବ୍ୟାପୀ ପାଳନ କରାଯାଉଛି । ୧୯୧୬ ମସିହା ସେପ୍ଟେମ୍ବର ୨୫ ତାରିଖ ଦିନ ଉତରପ୍ରଦେଶର ମଥୁରା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଦୀନଦୟାଲଜୀ ନିଜର ସରଳ ଜୀବନ ଓ ଉଚ୍ଚ ଆଦର୍ଶ ମାଧ୍ୟମରେ ସମଗ୍ର ଭାରତୀୟ ଚିନ୍ତାଧାରାକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ । ସେହିପରି ପାଶ୍ଚାତ୍ୟ ପୁଞ୍ଜିବାଦ ଓ ସାମ୍ୟବାଦର ଏକ ଭାରତୀୟ ବିକଳ୍ପ ଭାବେ ଭାରତର ପ୍ରାଚୀନ ସଂସ୍କୃତି, ପରଂପରା, ପ୍ରକୃତି ଓ ମାନବିକ ମୂଲ୍ୟବୋଧକୁ ଆଧାର କରି ସମାଜକୁ ‘ଏକାତ୍ମ ମାନବ ଦର୍ଶନ’ ଦେଇଥିଲେ ପଣ୍ଡିତ ଦୀନଦୟାଲ । ଆଜିର ଭାରତରେ ପଣ୍ଡିତଜୀଙ୍କ ବିଚାରଧାରା ଅତ୍ୟନ୍ତ ପ୍ରାସଙ୍ଗିକ । ବିଜେପି ଏହି ମହାନ ଚିନ୍ତାଧାରାକୁ ଆପଣାଇ ନିଜକୁ ଏକ ବୈଚାରିକ ଦଳ ଭାବେ ସ୍ଥାପିତ କରିଛି । ଅନ୍ତ୍ୟୋଦୟ ଏବଂ ଏକାତ୍ମ ମାନବ ଦର୍ଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାର ନିଜର ମୂଳ ମନ୍ତ୍ର ଭାବେ ଆପଣାଇ ‘ସବକା ସାଥ - ସବକା ବିକାଶ - ସବକା ବିଶ୍ୱାସ ଓ ସବକା ପ୍ରୟାସ’ ଆଧାରରେ ‘ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା’, ‘ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନା’, ‘ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା’, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ, ଜଳଜୀବନ ମିଶନ, ଆୟୁଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ମାଗଣା ରାସନ ପ୍ରଦାନ ପରି ଅନେକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରାଇ ତାଙ୍କର ଅନ୍ତ୍ୟୋଦୟ ସ୍ୱପ୍ନକୁ ସାକାର କରୁଛନ୍ତି । ପଣ୍ଡିତଜୀଙ୍କ ସ୍ୱଦେଶୀ ସିଦ୍ଧାନ୍ତ ଆତ୍ମନିର୍ଭର ଭାରତର ଆଧାର ସାଜିଛି । ପଣ୍ଡିତ ଦୀନଦୟାଲଜୀ ସାଂସ୍କୃତିକ ରାଷ୍ଟ୍ରବାଦ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ । ଆମେ ସମସ୍ତେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ତ୍ୟାଗ, ନିଷ୍ଠା ଓ ସେବା ମନୋଭାବରୁ ପ୍ରେରଣା ନେଇ ସମାଜର ଦୁର୍ବଳ ଓ ଶୋଷିତ ବର୍ଗଙ୍କୁ ଆଗକୁ ନେବା ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନରେ ନିଜ ନିଜର ଯୋଗଦାନ ଦେବା ବୋଲି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟଠାରେ ପଣ୍ଡିତ ଦିନଦୟାଲଜୀଙ୍କ ୧୧୧ ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଦୀନଦୟାଲଜୀଙ୍କ ଏକ ପ୍ରତିମୂର୍ତିକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ମୁଖପାତ୍ର ତଥା କମଲ ସନ୍ଦେଶ ପତ୍ରିକାର ସଂପାଦକ ଡ.ଶିବ ଶକ୍ତିନାଥ ବକ୍ସି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି ପ୍ରମୁଖ ଅନାବରଣ କରି ମାଲ୍ୟାର୍ପଣ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବବର୍ଗଙ୍କୁ ନେଇ ‘ସୁଶାସନରୁ ଅନ୍ତ୍ୟୋଦୟ’ ଶୀର୍ଷକ ରାଜ୍ୟସ୍ତରୀୟ ବିମର୍ଷ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ପଣ୍ଡିତ ଦୀନଦୟାଲଜୀଙ୍କ ବିଚାର ଅନୁରୁପ ସୁଶାସନ ଓ ଗରୀବକଲ୍ୟାଣ ଯୋଜନା ମାଧ୍ୟମରେ ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତିର ବିକାଶ କରାଯାଇ ଅନ୍ତ୍ୟୋଦୟକୁ କିପରି ସାକାର କରାଯାଇପାରିଛି, ସେ ସମ୍ବନ୍ଧରେ ଭିନ୍ନ ଭିନ୍ନ ସତ୍ରରେ ବକ୍ତାମାନେ ଚର୍ଚ୍ଚା ଆଲୋଚନା କରିଥିଲେ । ପଣ୍ଡିତ ଦୀନଦୟାଲଜୀଙ୍କ ବିଚାର ଓ ଜୀବନୀ ସଂପର୍କରେ ପୁସ୍ତକ ଲେଖିଥିବା ବରିଷ୍ଠ ସ୍ତମ୍ଭକାର ସୈାମେନ୍ଦ୍ର ଜେନା, ଯୁବ ଲେଖକ ରିତେଶ ପୃଷେଠ, ଯୁବ ସାମ୍ବାଦିକ ଓ ସ୍ତମ୍ଭକାର ସମନ୍ୱୟ ନନ୍ଦଙ୍କୁ ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ ସମ୍ବର୍ଦ୍ଧିତ କରିଥିଲେ । ଏହି କର୍ମଶାଳାକୁ ପ୍ରଶିକ୍ଷଣ ଟୋଲି ଦାୟୀତ୍ୱରେ ଥିବା ରାଜ୍ୟ ଆଇଟି ସେଲ ସଂଯୋଜକ ଗୋପିନାଥ ସାହୁ, ରାଜ୍ୟ ସଂପାଦିକା ଡ.ପ୍ରିତୀପ୍ରତିଭା ଭୋଳ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ଯୁବମୋର୍ଚ୍ଚାର ଅଙ୍କିତା ଗଙ୍ଗଦେବ ପ୍ରମୁଖ ପରିଚାଳନା କରିଥିଲେ ।
ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ନୂତନ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଇ-ଲାଇବ୍ରେରୀ’କୁ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ ଉଦଘାଟନ କରିଥିଲେ । ଆଜି ପାର୍ଟୀ ତରଫରୁ ରାଜ୍ୟର ପ୍ରତ୍ୟେକ ବୁଥରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ଅବସରରେ କାର୍ଯ୍ୟକର୍ତାମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ତାଙ୍କ ଜୀବନୀ ଓ ବିଚାର ସମ୍ବନ୍ଧରେ ସ୍ମୃତିଚାରଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା