
ନୂଆପଡ଼ା,୨୫ ସେପ୍ଟେମ୍ବର (ହି.ସ.)- ପରିବେଶ ସୁରକ୍ଷା ଓ ବୃକ୍ଷରୋପଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଖଡ଼ିଆଳ ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତରେ ଆଜି ପ୍ରଧାନମନ୍ତ୍ରୀଙ୍କ ‘ଏକ ପେଡ୍ ମାଆ କେ ନାମ’ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ଅବସରରେ ଖୁଦପେଜ ଗ୍ରାମ ପଂଚାୟତରେ ଏକ ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଓ ବିଡିଓ ମିଳନ କୁମାର ଝାଙ୍କର ପ୍ରମୁଖ ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ଅଧିକାରୀ ଓ ଜନପ୍ରତିନିଧି ମାନେ ବୃକ୍ଷରୋପଣର ମହତ୍ୱ ଏବଂ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ପରିବେଶର ସନ୍ତୁଳନ ରକ୍ଷା, ସବୁଜିମା ବୃଦ୍ଧି ଓ ଆଗାମୀ ପିଢ଼ି ପାଇଁ ସୁସ୍ଥ ପରିବେଶ ଗଠନ ନିମନ୍ତେ ଅଧିକରୁ ଅଧିକ ଗଛ ଲଗାଇବା ସହ ସେଗୁଡ଼ିକର ଯତ୍ନ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ଦିନରେ ମଧ୍ୟ ଏହି ବିଷୟରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଥିଲା। କାର?୍ୟ୍ୟକ୍ରମ ଅବସରରେ ଖୁଦପେଜ ପଂଚାୟତ ପରିସରରେ ବିଭିନ୍ନ ପ୍ରକାରର ଶତାଧିକ ଚାରା ରୋପଣ କରାଯାଇଥିଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସରପଂଚ ଯଶୋଦା ଶତପଥୀ, ଚିତ ବେହେରା, ଗୌତମ ତାଣ୍ଡି, ଅଜିତ କିଶୋର ଚଲାନଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ଅଧିକାରୀ ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ