

ଭୁବନ, ୨୫ ସେପ୍ଟେମ୍ବର (ହି.ସ.)- ବିଘ୍ନ ବିନାଶକ, ବିଦ୍ୟାଦାତା, ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ଭସାଣି ଉତ୍ସବ ଯାକଯମକରେ ଅନୁଷ୍ଠିତ ହେଉଛି । ପ୍ରତିକୂଳ ପାଗ (ତୁହାକୁ ତୁହା ବର୍ଷା) ସତ୍ତ୍ୱେ ବାଜା, ବାଣ, ଡିଜେ ସାଉଣ୍ଡରେ ସାରା ସହର ଦୁଲୁକୁଛି । ଗତ ୧୪ ତାରିଖ ଠାରୁ ୨୧ଟି ମଣ୍ଡପରେ ପୂଜା ପାଉଥିବା ଗଣେଶ ମୂର୍ତ୍ତୀ ଆଜି ଭସାଣି ଉତ୍ସବରେ ସାମିଲ ହୋଇଛି । ଗଣେଶ ମେଲଣ ସଭାପତି ସୁବ୍ରତ କୁମାର ସାହୁ ପୂର୍ବାହ୍ନ୧୦ଟା ସମୟରେ ମେଲଣ ପଡିଆ ଠାରେ ନଡ଼ିଆ ଭାଙ୍ଗି ଭସାଣି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଯାତ୍ରା ଆରମ୍ଭ ହୋଇଥିଲା ।
ସର୍ବ ପ୍ରଥମେ ୧୨ ବର୍ଷ ପୂର୍ତ୍ତି ପାଳନ କରୁଥିବା ଫ୍ରେଣ୍ଡସିପ କ୍ଲବ୍ ଓ ତା' ପଛକୁ ୨୦ଟି କ୍ଲବ କ୍ରମାନ୍ୱୟରେ ଭସାଣି ଯାତ୍ରାରେ ସାମିଲ ହୋଇ ରାମ ମନ୍ଦିର ଛକ, ଲାତବିଲ, ଗୋଡ଼ି ପୋଖରୀ ଛକ, ନୂଆ ବଜାର (ବସ ଷ୍ଟାଣ୍ଡ), ଗୁଜୁରି ହାଟ, ଦୁର୍ଗା ଛକ, ଲକ୍ଷ୍ମୀ ଛକ, ବଣିଆ ସାହି ଦେଇ ସହର ପରିକ୍ରମା କରୁଛନ୍ତି । ସମୁଦାୟ ୨୧ଟି ମେଢ଼ ଯାତ୍ରାରେ ସାମିଲ ହୋଇଛି । ଗଣେଶ ପୂଜା ଶାନ୍ତି କମିଟି ସଭାପତି ସୁବ୍ରତ କୁମାର ସାହୁ, ସମ୍ପାଦକ ଜିତେନ୍ଦ୍ର ଦାସ, ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କୁମାର ସାହୁଙ୍କ ନେତୃତ୍ୱରେ ଯାକଜମକରେ ଗଣେଶ ପୂଜା ଭସାଣି ପାଳିତ ହେଉଛି ।
ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ତହସିଲଦାର ଜ୍ୟୋତିରୂପା ଶତପଥୀ, ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁଙ୍କ ତତ୍ତ୍ଵାବଧାନରେ ଜିଲ୍ଲାର ୪ ଥାନାର ଅଧିକାରୀ ୮ ଜଣ ଅଫିସର, ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ