
ପୁରୀ, ୨୫ ସେପ୍ଟେମ୍ବର (ହି.ସ.)- ସ୍ବାଧୀନତା ସଂଗ୍ରାମୀ ଶୈକ୍ଷିକ ଆନ୍ଦୋଳନର ସୁତ୍ରଧର, ସାମାଜିକ ବ୍ଯବସ୍ଥାର ପରିବର୍ତ୍ତନ ଆଣିଥିବା ସତ୍ଯବାଦୀ ବନ ବିଦ୍ୟାଳୟର ଶିକ୍ଷକ ସ୍ବର୍ଗତ ଆଚାର୍ଯ୍ଯ ହରିହର ଦାଶ ଭଲମଣିଷ ହେବା ପାଇଁ ପରାମର୍ଶ ଦେଉଥିଲେ । ସେହି ଭଲମଣିଷଙ୍କ ସ୍ମୃତିରେ ପୁରୀ ସମୁଦ୍ରକୂଳ ଥାନା ଛକରେ ହରିହରଙ୍କ ପ୍ରତ୍ତିମୂର୍ତ୍ତି ସ୍ଥାପିତ ହୋଇ ବର୍ଷା ଓ ଖରାରୁ ସୁରକ୍ଷା ପାଇଁ ସିମେଣ୍ଟରେ ଏକ ଛତା ନିର୍ମାଣ ହୋଇଥିଲା । ସେହି ଛତା ଗତକାଲି ରାତିରେ ବର୍ଷା ଓ ପବନ ଯୋଗୁ ଭାଙ୍ଗି ପଡିଛି । ବିଗତ ଦିନରେ ହରିହରଙ୍କୁ ବହୁ ଅସମ୍ମାନିତ କରାଯାଇଛି । ପ୍ରଥମେ ରାସ୍ତା ମଝି ଛକ ମଣ୍ଡପରେ ବସିଥିଲେ । ପରେ ରାସ୍ତା ଓସାରିକରଣ ପାଇଁ ତାଙ୍କୁ ହଟାଯାଇ ସଦଭାବନା ଗୃହର ବାହାର କୋଣ ରାସ୍ତାପଟେ ସ୍ଥାପିତ ହୋଇଥିଲେ । ପରେ ସେହି ଘର ଭଙ୍ଗା ଯିବାରୁ ପୁଣି ପୂର୍ବ ସ୍ଥାନକୁ ଅଣାଯାଇ ଛତାତଳେ ଠିଆ କରାଯାଇଥିଲା । ମହାପୁରୁଷଙ୍କୁ ଏଭଳି ଅସମ୍ମାନିତ କରାଯାଉଥିବାରୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଖାଲି ହରିହର ନୁହଁନ୍ତି ସହରର ପ୍ରମୁଖ ସ୍ଥାନରେ ଥିବା ମହାପୁରୁଷଙ୍କୁ ଅସମ୍ମାନିତ କରାଯାଉଛି । ତୁରନ୍ତ ପ୍ରଶାସନ ଏହି ଛତାକୁ ମହାପୁରୁଷଙ୍କ ମୁଣ୍ଡ ଉପରେ ରଖିବାକୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ