
ଜୟପୁର, ୨୫ ସେପ୍ଟେମ୍ବର (ହି.ସ.)-ମୁଖ୍ୟମନ୍ତ୍ରୀ ଜୀବିକା ମିଶନ ୨.୦ ରେ ସରକାର ବ୍ୟାପକ ଅଦଳ ବଦଳ କରି ବ୍ଲକ ଜୀବିକା ବିଶେଷଜ୍ଞ ପଦବୀ ଉଛେଦ କରିବା ଯୋଗୁଁ ଆଇଟିଡିଏ ଅଧୀନରେ ବିଭିନ୍ନ ସ୍ଵେଛ୍ୱାସେବୀ ସଂସ୍ଥା ଜରିଆରେ ୧୧୯ ବ୍ଲକରେ କାର୍ଯ୍ୟରତ ବ୍ଲକ ଜୀବିକା ବିଶେଷଜ୍ଞଙ୍କୁ ସରକାର ଛଟେଇ କରିଛନ୍ତି। ଏହାକୁ ନେଇ ଆଜି ଜୟପୁର ଠାରେ ଉଦବେଗ ପ୍ରକାଶ କରାଯାଇଛି l ତେଣୁ ରାଜ୍ୟ ସରକାର ତୁରନ୍ତ ପୁନଃ ଥଇଥାନ କରିବାକୁ ପ୍ରକାଶ ପ୍ରଧାନ, ଆଶିଷ ମୋହନ ସ୍ୱାଇଁ, କିଶୋର କୁମାର ଜୟସିଂ, ଅବୟନ୍ତୀ ସାହୁ ପ୍ରମୁଖ ଦାବି କରିଛନ୍ତି lସୂଚନାଯୋଗ୍ୟ ଯେ, ଆଦିବାସୀ ମାନଙ୍କୁ ସଂଗଠିତ କରି ବିଭିନ୍ନ ଜୀବିକା ସମ୍ବନ୍ଧରେ ସୂଚନା ଦେବା ଓ ସରକାରଙ୍କ ଯୋଜନା ସହ ଯୋଡିବାରେ ଏହି ଜୀବିକା ବିଶେଷଜ୍ଞ ମାନଙ୍କ ବିଶେଷ ଭୂମିକା ଥିଲା। ୨୦୧୭ ମସିହାରେ କାର୍ଯ୍ୟକାରୀ ହୋଇଥିବା ଏଫଏଡିପି ଓ ପରେ ଜୀବିକା ମିଶନ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ୨୦୨୩ ମସିହାରେ ରାଜ୍ୟ ସରକାର ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଜୀବିକା ମିଶନ କାର୍ଯ୍ୟକ୍ରମରେ ଏହି ଜୀବିକା ବିଶେଷଜ୍ଞ ମାନେ କାର୍ଯ୍ୟ କରି ଆସୁଥିଲେ। ହେଲେ ୨୦୨୬ ରେ ମୁଖ୍ୟମନ୍ତ୍ରୀ ଜୀବିକା ମିଶନର ଅବଧି ସରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅଧିକ ଆଦିବାସୀ ପରିବାରଙ୍କୁ ଯୋଡିବା ଲକ୍ଷ୍ୟରେ ସରକାର ଏହି ଯୋଜନାର ପୁନଃ ନବୀକରଣ କରି ପ୍ରତି ୨୫୦୦ ପରିବାର ଲାଗି ନୂତନ ଜୀବିକା ସାଥି ପଦବୀ ସୃଷ୍ଟି କରିଥିବା ବେଳେ ବ୍ଲକ ସ୍ତରରେ ସ୍ଵେଛାସେବୀ ସଂସ୍ଥା ଜରିଆରେ କାର୍ଯ୍ୟରତ ଜୀବିକା ବିଶେଷଜ୍ଞ ପଦବୀ ଉଛେଦ କରିଛନ୍ତି। ସେହିଭଳି ପ୍ରକଳ୍ପ ଅଧିକାରୀ ଓ ଜୀବିକା ସାଥି ପଦବୀ ଲାଗି ୪୫ ବର୍ଷ ସର୍ବୋଚ୍ଚ ବୟସ ସୀମା ରଖିଥିବା ଯୋଗୁଁ ବୃତ୍ତିଗତ ବିଷୟରେ ଡିଗ୍ରୀ ଓ ଦୀର୍ଘ ଅନୁଭୂତି ରଖିଥିବା ବହୁ ଜୀବିକା ବିଶେଷଜ୍ଞ ଆବେଦନ ଲାଗି ଅଯୋଗ୍ୟ ବିବେଚିତ ହେଉଛନ୍ତି। ଆଗରୁ ସରକାରୀ ଚାକିରୀରେ ବୟସ ସୀମା ଥିବା ବେଳେ ସ୍ଵେଛ୍ୱାସେବୀ ସଂସ୍ଥା ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ନିଯୁକ୍ତି କ୍ଷେତ୍ରରେ କୌଣସି ବୟସ ସୀମା ନଥିଲା। ଏହା ଲାଗୁ କରିବା ଦ୍ୱାରା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶହ ଶହ ଯୁବକ ଯୁବତୀଙ୍କ ମନରେ ନିରାଶାଭାବ ଖେଳି ଯାଇଛି। ଏନେଇ ଜୀବିକା ବିଶେଷଜ୍ଞ ମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଭାଗୀୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିସହ ବିଭାଗୀୟ ସଚିବ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏହି ଯୋଜନାରେ କାର୍ଯ୍ୟରତ ଜୀବିକା ବିଶେଷଜ୍ଞଙ୍କୁ ନୂତନ ଭାବେ ଆରମ୍ଭ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଜୀବିକା ମିଶନ ଦ୍ଵିତୀୟ ଭାଗରେ ଥଇଥାନ କରିବାକୁ ଅନୁରୋଧ କରିଛନ୍ତି। କ୍ୟାବିନେଟରେ ମଞ୍ଜୁର ହୋଇଥିବା ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ୨.୦ ର କାର୍ଯ୍ୟକାରିତା ସ୍ଥିତି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ କାର୍ଯ୍ୟରତ ୧୨୫ ଜଣ ବ୍ଲକ ଜୀବିକା ବିଶେଷଜ୍ଞମାନଙ୍କୁ ପୁନଃ ଥଇଥାନ ଦାବି କରାଯାଇଛି lଏହି ପ୍ରକଳ୍ପରେ କାର୍ଯ୍ୟରତ ବ୍ଲକ ଜୀବିକା ବିଶେଷଜ୍ଞ ମାନେ ଗତ ୨୦୧୨ ରୁ ବିଭିନ୍ନ ବେସରକାରୀ ଅନୁଷ୍ଠାନ ମାଧ୍ୟମରେ ତୃଣମୂଳ ସ୍ତରରେ କାମ କରି ନିଜର ଜୀବିକା ପ୍ରତିପୋଷଣ କରି ଅସୁଥିଲେ। କ୍ୟାବିନେଟ୍ ରେ ଏମଏମଜେଜେଏମ ୨.୦ ପାସ୍ ହୋଇଥିଲେ ମଧ୍ୟ କାର୍ଯ୍ୟ କରି ଆସୁଥିବା ୧୨୫ ଜଣ ବ୍ଲକ ଜୀବିକା ବିଶେଷଜ୍ଞମାନଙ୍କୁ ଗୁରୁତ୍ୱ ଦିଆଯାଇନାହିଁ।ଏଥିସହିତ ଆମେ ଅନୁରୋଧ କରୁଛୁ କି କାର୍ଯ୍ୟ କରି ଆସୁଥିବା ୧୨୫ ଜଣ ବ୍ଲକ ଜୀବିକା ବିଶେଷଜ୍ଞମାନଙ୍କର କାର୍ଯ୍ୟଦକ୍ଷତା ଓ ସେମାନଙ୍କୁ ପୁନଃ ଥଇଥାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି