
କନ୍ଧମାଳ, ୨୫ ସେପ୍ଟେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ଜଣେ ଜଣାଶୁଣା ସାମ୍ବାଦିକ ସୁବ୍ରତ କୁମାର ମହାନ୍ତିଙ୍କ ଅକାଳ ବିୟୋଗ ଘଟିଛି l ସ୍ବର୍ଗତ ମହାନ୍ତିଙ୍କ ମୃତ୍ୟୁ ଖବର ପାଇବା ପରେ ଫିରିଙ୍ଗିଆ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ସେ ଜଣେ ନିରପେକ୍ଷ, ନିର୍ଭିକ ସାମ୍ବାଦିକତା ସମେତ ଜଣେ ମଞ୍ଚ କଳାକାର ଓ ନିର୍ଦ୍ଦେଶକ ଭାବେ ନିଜର ପରିଚୟ ସୃଷ୍ଟି କରି ସମସ୍ତଙ୍କ ପ୍ରଶଂସାଭାଜନ ହୋଇଥିଲେ l ଏଥିସହ ସେ ସମାଜ ସେବା କାର୍ଯ୍ୟ ସହିତ କଳl ଓ ସଂସ୍କୃତିରେ ମଧ୍ୟ ସାମିଲ ଥିଲେ l ଶୁକ୍ରବାର ଭୋର ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସlଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି l ସେ ଦୀର୍ଘ ଦିନ ଧରି କିଡ଼ନୀ, ଲିଭର୍ ଜନିତ ରୋଗରେ ପୀଡିତ ଥିଲେ l
ସୁବ୍ରତଙ୍କ ଅକାଳ ମୃତ୍ୟୁରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବ୍ ସଭାପତି ସୁନୀଲ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲା ସାମ୍ୱାଦିକ ସମନ୍ୱୟ ସମିତି ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଓ ୟୁ ଜେ ଜିଲ୍ଲା ସଭାପତି ସୁଜିତ ବେହେରା, ହୁରଞ୍ଜନ ସେଠୀ, ଉତ୍ତମ ଖମାରୀ, ଅଶୋକ ମହାନ୍ତି, ବୈଦ୍ୟନାଥ ବେହେରା, ସୁନୀଲ ବିଶ୍ଵାଳ ଓ ଅନ୍ୟମାନେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l ତାଙ୍କର ଚିକିତ୍ସା ପାଇଁ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ତେବେ ମୃତ୍ୟୁ ବେଳକୁ ହସ୍ପିଟାଲର ଚିକିତ୍ସା ଖର୍ଚ୍ଚ ବାବଦକୁ ୮୦ ହଜାର ଟଙ୍କା ଦେୟ ବକେୟା ଥିଲା ତେଣୁ ତାଙ୍କ ମୃତ ଶରୀରକୁ ହସ୍ପିଟାଲ କର୍ତୃପକ୍ଷ ଛାଡୁ ନ ଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରସନ୍ନ ମହାନ୍ତିଙ୍କ ପ୍ରଚେଷ୍ଟାରେ ସେଠାରୁ ମୃତ ଶରୀର ଆଣାଯାଇ ଆଜି ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ