

ମାଲକାନଗିରି, ୨୫ ସେପ୍ଟେମ୍ବର (ହି.ସ.)- ପ୍ରବଳ ବର୍ଷା, ଅନ୍ଧାର ରାତ୍ରି ଆଉ ଫୁଲି ଉଠୁଥିବା ବନ୍ୟା ଜଳର ପ୍ରବଳ ସ୍ରୋତ। ଏହି ସବୁ ମଧ୍ୟରେ ଚାଲିଥିଲା ଜୀବନ ଓ ମୃତ୍ୟୁର କଠିନ ଲଢ଼େଇ। ବାତ୍ୟା 'ଅର୍ଣ୍ଣବ'ର ବିଭୀଷିକା ମଧ୍ୟରେ ମାଲକାନଗିରି ଜିଲ୍ଲାରୁ ଆସିଛି ସାହସିକତା, ତ୍ୟାଗ ଓ ମାନବିକତାର ଏକ ଅଭୂତପୂର୍ବ ଦୃଶ୍ୟ, ଯେଉଁଠି ନିଜ ଜୀବନକୁ ବାଜି ଲଗାଇ ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଓଡ଼ିଶା ଦୁର୍ବିପାକ ପ୍ରଶମନ ବାହିନୀର ଯବାନ।
ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ସାରା ଅଞ୍ଚଳରେ ଚାଲିଥିଲା ପ୍ରଳୟଙ୍କରୀ ରୂପ। ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ର ପେଦା ୱାଡ଼ା ଗ୍ରାମରେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା। ରାସ୍ତାଘାଟ ସବୁ ଜଳମଗ୍ନ ହୋଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଏହି ଭୟାନକ ପରିସ୍ଥିତି ମଧ୍ୟରେ ପେଦାୱାଡ଼ା ଗ୍ରାମର ମୁକ୍ତା କୱାସୀଙ୍କ ୨୭ ବର୍ଷୀୟା ଗର୍ଭବତୀ ସ୍ତ୍ରୀ ଅନିତା କୱାସୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସ୍ଥିତି ଏପରି ଥିଲା ଯେ, ତୁରନ୍ତ ଡାକ୍ତରଖାନା ନନେଲେ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଥିଲା। ଖବର ପାଇବା କ୍ଷଣି ଘଟଣାସ୍ଥଳରେ ପହଞ୍ଚିଥିଲା ଓଡ଼୍ରାଫ୍ ର ରେସକ୍ୟୁ ଟିମ୍। ତେବେ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରବାହିତ ହେଉଥିଲା କାଳ ରୂପୀ ଜଳ ସ୍ରୋତ, ଯେଉଁଥିରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଅସମ୍ଭବ ଥିଲା। ମାତ୍ର ଗୋଟିଏ ମା' ଓ ତା'ର ଅନାଗତ ସନ୍ତାନର ଜୀବନ ବଞ୍ଚାଇବାକୁ ଆଗେଇ ଆସିଥିଲେ ଯବାନ। ୧'ମ ଆଇଆରବି ବାଟାଲିୟନ୍ ର ଇନ୍ସପେକ୍ଟର ଶଙ୍କର ପ୍ରସାଦ ବେହେରାଙ୍କ ନେତୃତ୍ୱରେ ଯବାନମାନେ ନିଜ ଜୀବନକୁ ଖାତିର ନକରି, ଅତ୍ୟନ୍ତ ବିପଜ୍ଜନକ ସ୍ରୋତ ମଧ୍ୟରେ ଚାଲି ଚାଲି ଅନିତାଙ୍କୁ ସୁରକ୍ଷିତ ଭାବେ ବୋହି ନେଇଥିଲେ।
ଓଡ଼୍ରାଫ୍ ଯବାନଙ୍କ ଦାୟିତ୍ୱବାନ ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ଅନିତାଙ୍କୁ ସୁରକ୍ଷିତ ଭାବେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରତିକୂଳ ପରିସ୍ଥିତି ଓ ମୃତ୍ୟୁର ଭୟକୁ ଏଡ଼ାଇ ଓଡ଼୍ରାଫ୍ ଯବାନଙ୍କ ଏହି ଅସାଧାରଣ ସାହସିକତା ଓ କର୍ତ୍ତବ୍ୟ ପରାୟଣତାକୁ ସାରା ଓଡ଼ିଶା ଆଜି ଉଚ୍ଚ ପ୍ରଶଂସା ସହ ସଲାମ୍ କରୁଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ