
ବଲାଙ୍ଗୀର , 25 ସେପ୍ଟେମ୍ବର (ହି.ସ.) ଭାରତ ବିକାଶ ପରିଷଦ,ବଲାଙ୍ଗୀର ଶାଖା ଆନୁକୂଲ୍ୟରେ ପ୍ରାୟ ୧୧୨ଟି ଶିକ୍ଷାନୁଷ୍ଠାନର ୬ଷ୍ଠ ରୁ ଦ୍ବାଦଶ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଉଦ୍ଘାଟନୀ ସଭାରେ ପରିଷଦର ଶାଖା ସଭାପତି ବଂଶୀଧର ସା ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର ଏବଂ ସମ୍ମାନିତ ଅତିଥି ବଲାଙ୍ଗୀର ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଅରବିନ୍ଦ କୁମାର ଓଝା ନିଜ ନିଜ ବକ୍ତବ୍ୟରେ ନିଜ ମାତୃଭୂମି ଭାରତ ସମ୍ବନ୍ଧେ ଆମ ସମସ୍ତଙ୍କର ସ୍ପଷ୍ଟ ଅବଧାରଣା ସହ ସମସ୍ତେ ଭାରତ ଭକ୍ତିରେ ଉଦ୍’ବୁଦ୍ଧ ହେବା ଆବଶ୍ୟକ ବୋଲି ମାର୍ଗଦର୍ଶନ କରିଥିଲେ। ପରିଷଦର କ୍ଷେତ୍ର ଯୁଗ୍ମ ସାଧାରଣ ସମ୍ପାଦକ ପ୍ରକାଶ ପଟ୍ଟନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ନିୟମାବଳୀ ସମ୍ବନ୍ଧେ ମାର୍ଗଦର୍ଶନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୩୧ ତାରିଖରେ ବିଦ୍ୟାଳୟ ସ୍ତରରେ ଭାରତ କୋ ଜାନୋ ଲିଖିତ ପରୀକ୍ଷାରେ ପ୍ରାୟ ୨୫,୦୦୦ ଛାତ୍ର,ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅଦ୍ୟ କାର୍ଯ୍ୟକ୍ରମରେ ଭାରତ କୋ ଜାନୋ ପ୍ରଶ୍ନମଞ୍ଚରେ କନିଷ୍ଠ ବର୍ଗ(୬ଷ୍ଠ ରୁ ୮ମ)ର ୪୨ଟି ବିଦ୍ୟାଳୟରୁ ୮୪ ଜଣ ବିଦ୍ୟାର୍ଥି, ବରିଷ୍ଠ ବର୍ଗ(୯ମ ରୁ ଦ୍ବାଦଶ)ର ୪୩ ଟି ବିଦ୍ୟାଳୟରୁ ୮୬ ଜଣ ବିଦ୍ୟାର୍ଥି ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତାର ୨୫ଟି ବିଦ୍ୟାଳୟରୁ ପ୍ରାୟ ୨୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରୁ କନିଷ୍ଠ ବର୍ଗ ଭାରତ କୋ ଜାନୋ ପ୍ରଶ୍ନମଞ୍ଚରେ ଓଡିଶା ଆଦର୍ଶ ବିଦ୍ୟାଳୟ ଝାରମୁଣ୍ଡାର ସାୟମ ପଧାନ ଓ ସଂସ୍କାର ମିଶ୍ର ୧ମ ସ୍ଥାନ, ଲିଟିଲ ଫ୍ଲାୱାର ସ୍କୁଲ ର କୀର୍ତ୍ତି ଝା ଓ ଆକର୍ଶା ସାଇସ୍ମିତା ୨ୟ ସ୍ଥାନ, ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ବଲାଙ୍ଗିରର ଅମ୍ରିତା ମେହେର ଓ ଆକାଂକ୍ଷା ପ୍ରିୟଦର୍ଶିନୀ ଉଦ୍ଗାତା ୩ୟ ସ୍ଥାନ,ବରିଷ୍ଠ ବର୍ଗ ଭାରତ କୋ ଜାନୋ ପ୍ରଶ୍ନମଞ୍ଚରେ ରୋଶନୀ ପବ୍ଲିକ୍ ସ୍କୁଲର କ୍ରିଷ୍ଣା ଆଚାର୍ଯ୍ୟ ଓ ଅଭିଶିକ୍ତ ମୁଗ୍ରୀ ୧ମ ସ୍ଥାନ, ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ଆୟଶ ମୃଣାଳ ନନ୍ଦ ଓ ଅନିକେତ ତ୍ରିପାଠୀ ୨ୟ ସ୍ଥାନ,ଓଡିଶା ଆଦର୍ଶ ବିଦ୍ୟାଳୟ ମହିମୁଣ୍ଡାର ଶୁଭ୍ରକାନ୍ତ ପ୍ରଧାନ ଓ ସାଇସ୍ମିତା ପ୍ରଧାନ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସେହିପରି ଦଳଗତ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ,ପଥରଚେପା ୧ମ ସ୍ଥାନ,ସେଞ୍ଚୁରିୟନ ପବ୍ଲିକ ସ୍ଜୁଲ ୨ୟ ସ୍ଥାନ ଏବଂ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଶଙ୍ଗ ୩ୟ ସ୍ଥାନ ରଖି ପୁରସ୍କୃତ ହୋଇଥିଲେ। ଆସନ୍ତା ଅକ୍ଟୋବର ୧୧ରେ ସମ୍ବଲପୁରରେ ଏବଂ ଅକ୍ଟୋବର ୨୫ରେ ଝାରସୁଗୁଡା ଠାରେ ଯଥାକ୍ରମେ ହେବାକୁ ଥିବା ପ୍ରଦେଶ ସ୍ତରୀୟ “ଭାରତ କୋ ଜାନୋ” ଏବଂ “ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା”ରେ ୧ମ ସ୍ଥାନ ଅଧିକାର କରିଥିବା ପ୍ରତିଭାଗୀଗଣ ବଲାଙ୍ଗୀର ପରିଷଦ ଶାଖା ତରଫରୁ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି।
ସଂସ୍କାର ସଚିବ ଅଧ୍ୟାପକ ଅଜିତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ ପରିଷଦ ର ପ୍ରଦେଶ ଉପ ସଭାପତି ମହେନ୍ଦ୍ର ଅଗ୍ରଓ୍ବାଲ, ପର୍ଯ୍ୟବେକ୍ଷକ ଭାବେ ପ୍ରଦେଶ ସମ୍ପାଦକ ଦୁର୍ଯ୍ୟୋଧନ ସାହୁ ଉପସ୍ଥିତ ଥିଲେ। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଦୀଲିପ କୁମାର ସିଂଦେଓ,ନୃତ୍ୟଗୁରୁ ଟଙ୍କଧର ମିଶ୍ର, ନୃତ୍ୟ ନିର୍ଦ୍ଦେଶକ ଶ୍ରାବଣୀ ମେହେର ବିଚାରକ ଭାବେ ଉପସ୍ଥିତ ରହି ସହଯୋଗ କରିଥିଲେ। ଭାରତ ବିକାଶ ପରିଷଦ, ବଲାଙ୍ଗୀର ଶାଖାର ସମସ୍ତ ସଦସ୍ୟ,ସଦସ୍ୟା,ବଲାଙ୍ଗୀର ମହିଳା ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ତଥା ମଣ୍ଟେସରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ,ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସକ୍ରିୟ ସହଭାଗିତାରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ବଲାଙ୍ଗୀର ଶାଖା ପରିଷଦର ସମ୍ପାଦକ ଅଧ୍ୟାପକ ଯତୀନ୍ଦ୍ର କୁମାର ପଟେଲ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ