
ଭୁବନେଶ୍ୱର,୨୫ ସେପ୍ଟେମ୍ବର (ହି.ସ) - “ଓଡ଼ିଶା ଅନୁସୂଚିତ ଜନଜାତି ଓ ଜାତି ରୋଷେୟା ସେବାୟତ ମହାସଂଘ” ପକ୍ଷରୁ ଶୁକ୍ରବାର ୮ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ରାଜ୍ୟ ସଭାନେତ୍ରୀ ଦ୍ରୌପଦୀ ମୁଣ୍ଡାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ଆବାହକ ଦିଗମ୍ବର ଜେନା ସମ୍ମିଳନୀରେ ଯୋଗଦେଇ ୮ ଦଫା ଦାବି ସମ୍ବନ୍ଧେ ଆଲୋଚନା କରି ରୋଷେୟାମାନେ ଦୀର୍ଘ ୨୦ ରୁ ୨୫ ବର୍ଷ, ଚବିଶ ଘଂଟା ଧରି ନିଷ୍ଠାପର ଭାବେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ବର୍ତ୍ତମାନ ସରକାର ଠିକା କର୍ମଚାରୀ ଭାବେ ଅର୍ଥ ବିଭାଗରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ମହାସଂଘର ଦାବିଗୁଡ଼ିକ ହେଲା- ନିୟମିତ କରାଯିବା ସହିତ ବେତନ ବୃଦ୍ଧି କରାଯାଉ , ପ୍ରତ୍ୟେକ ରୋଷେୟାମାନଙ୍କର ଇ.ପି.ଏଫ୍. କଟାଯାଉ , ଯେଉଁମାନଙ୍କର ଶିକ୍ଷାଗତ ଯୋଗ୍ୟତା +୨ ପାସ୍ ହୋଇଥିବା ସେମାନଙ୍କୁ ସିଟି ତାଲିମ୍ ଦିଆଯାଉ ,୬ ବର୍ଷ କାର୍ଯ୍ୟ ତୁଲାଇଥିବା ରୋଷେୟା ତଥା ସେବାୟତଙ୍କ ଚାକିରୀକୁ ନିୟମିତ କରାଯାଉ ଏବଂ ଠିକା କର୍ମଚାରୀ ବ୍ୟବସ୍ଥାକୁ ଆମ୍ଭମାନଙ୍କୁ ସେଥିରୁ ବାଦ୍ ଦିଆଯାଉ, ରୋଷେୟାମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଦାୟୀ କରାଯାଇ ଚାକିରୀରୁ ବହିଷ୍କାର, ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ , ଚାକିରୀ ସମୟରେ ଆକସ୍ମିକ ଦୁର୍ଘଟଣା ଘଟିଲେ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବା ସହିତ ୫ ଲକ୍ଷ ଟଙ୍କା ଦିଆଯାଉ . ଅବସରକାଳୀନ ପେନ୍ସନ୍ ବ୍ୟବସ୍ଥା ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ଦେବା ନିମନ୍ତେ ବୃଦ୍ଧି କରାଯାଉ ଏବଂ ଚାକିରୀ ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରାଯାଉ । ବିକ୍ଷୋଭ ପରେଏକ ପାଂଚ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା, ବିରୋଧିଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖଙ୍କୁ ୮ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।.
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା