
ବଲାଙ୍ଗିର, 25 ସେପ୍ଟେମ୍ବର ( ହି. ସ)
: ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମalangirନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବଲାଙ୍ଗୀର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ବଲ୍ଲଭ ଧରୁଆ, ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ବିଧାୟକଙ୍କ ପ୍ରତିନିଧି ସୁଶୀଲ କୁମାର ଚାନ୍ଦ ଏବଂ ସମବାୟ ସମିତି ସମୂହର ଉପନିବନ୍ଧକ ପ୍ରମୋଦ କୁମାର ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଉନ୍ମୋଚନ ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିଲା ।
ଗ୍ରାମୀଣ ଅର୍ଥନୀତିର ସଶକ୍ତୀକରଣ ଓ ପ୍ରତ୍ୟେକ ପରିବାରକୁ ସମବାୟ କ୍ଷେତ୍ର ସହ ଯୋଡ଼ିବା ଲକ୍ଷ୍ୟରେ ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର ପ୍ରତ୍ୟେକ ଘରୁ ଅନ୍ତତଃ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ସମିତି ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କରାଯିବ। ଗ୍ରାମାଞ୍ଚଳର ସାଧାରଣ ନାଗରିକ ଓ ଚାଷୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଅନୁସୂଚିତ ଜାତି, ଜନଜାତିଙ୍କ ସମେତ ମହିଳା ଓ ଯୁବପିଢ଼ିଙ୍କୁ ଅଭିଯାନରେ ବିଶେଷ ଗୁରୁତ୍ୱ ଦିଆଯିବ।
ଜିଲ୍ଲାରେ ୧୩ଟି ଧାନ କ୍ରୟ କେନ୍ଦ୍ର ସହ ୭ଟି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଓ ଗୋଦାମ ଲୋକାର୍ପିତ ହୋଇଛି । ସୁଦୃଢ଼ ସମବାୟ ବ୍ୟବସ୍ଥା ସହ କୃଷକଙ୍କ ସୁବିଧା, ସେବା ଓ ଆୟ ବୃଦ୍ଧିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ କୃଷକ ପରିବାର ଏହି ମହାଅଭିଯାନରେ ସାମିଲ ହୋଇ ସମବାୟକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ଏକ ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାର ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ସମବାୟ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ସମବାୟ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ