
ଭୁବନେଶ୍ୱର,୨୫ ସେପ୍ଟେମ୍ବର (ହି.ସ) -ରାଜ୍ୟର ୭୦୨ଟି ପ୍ରାଥମିକ ବିଦ୍ୟାଳୟର ରହିଛି ବଖରାଏ କରି ଶ୍ରେଣୀଗୃହ । ଏଠାରେ ପିଲାଏ ପାଠ ପଢୁଛନ୍ତି । ସେହିଭଳି ଏହିସବୁ ବିଦ୍ୟାଳୟରେ ଜଣେ କରି ଶିକ୍ଷକ ବି ପାଠପଢା ଦାୟିତ୍ୱରେ ରହିଛନ୍ତି ।
ରାଜ୍ୟରେ ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୨୬ହଜାର ୭୭୭ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ, ୧୫ହଜାର ୭୨୪ଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୪୯୧୮ ଟି ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ୯୮୨ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ରାଜ୍ୟର ୭୦୨ଟି ପ୍ରାଥମିକ ସରକାରୀ ବିଦ୍ୟାଳୟରେ ଜଣେ କରି ଶିକ୍ଷକ ଥିବାବେଳେ ୪୨ଟି ଉଚ୍ଚପ୍ରାଥମିକ, ୨ଟି ମାଧ୍ୟମିକ ଓ ୮୭ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ କରି ଶିକ୍ଷକ ପାଠ ପଢାଉଛନ୍ତି । ସେହିଭଳି ୭୦୨ଟି ପ୍ରାଥମିକ ବିଦ୍ୟାଳୟର ବଖରାଏ କରି ଶ୍ରେଣୀଗୃହ ଥିବାବେଳେ ୩୭ଟି ଉଚ୍ଚ ମାଧ୍ୟମିକ ଓ ୭୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବି ବଖରାଏ ଘରେ ଚାଲିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା