
ଭୁବନେଶ୍ୱର, ୨୫ ସେପ୍ଟେମ୍ବର (ହି.ସ) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି। ଆମ ସରକାର ଓ ଅନ୍ନଦାତାଙ୍କ ମଧ୍ୟରେ ଥିବା ବିଶ୍ୱାସର ବନ୍ଧନକୁ ଆହୁରି ସୁଦୃଢ଼ କରିବା ଏହି ଅଭିଯାନର ମୁଖ୍ୟ ଆଭିମୁଖ୍ୟ। ସମବାୟ ସମିତିଗୁଡ଼ିକୁ କେବଳ ଋଣ ପ୍ରଦାନରେ ସୀମିତ ନ ରଖି ଗ୍ରାମାଂଚଳରେ ଏକ ‘ୱାନ୍-ଷ୍ଟପ୍ ସଲ୍ୟୁସନ୍’ ଭାବେ ଗଢ଼ିତୋଳିବା ପାଇଁ ଏହି ଅବସରରେ ‘ସମ୍ବନ୍ଧ’ର ସ୍ୱତନ୍ତ୍ର ଲୋଗୋ ଏବଂ ମୋବାଇଲ୍ ଆପ୍ଲିକେସନ୍ ଉନ୍ମୋଚନ କରାଯାଇଛି। ଏହାସହ ରୂପାନ୍ତରିତ ମଣ୍ଡି, ଆଦର୍ଶ ମଣ୍ଡିର ଭିତିପ୍ରସ୍ତର, ଶସ୍ୟ ଗୋଦାମ ଓ କଷ୍ଟମ୍ ହାୟାରିଂ ସେଂଟର ଭଳି ବ୍ୟାପକ ଭିତିଭୂମିର ଲୋକାର୍ପଣ ସହିତ ଚାଷୀ-ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।
ଆମ ଚାଷୀଭାଇମାନଙ୍କ ସ୍ୱାର୍ଥରକ୍ଷା ଓ ଆୟ ବୃଦ୍ଧି ପାଇଁ ଆଖୁ ଚାଷୀଙ୍କ ନିମନ୍ତେ ଏକ ନୂତନ ଇନପୁଟ୍ ସବସିଡି ପ୍ରୋତ୍ସାହନ ଯୋଜନା ଶୁଭାରମ୍ଭ ହେବା ସହ ନବନିଯୁକ୍ତ ସମବାୟ ନିରୀକ୍ଷକ ତଥା ପଣ୍ୟାଗାର କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଂଟନ କରାଯାଇଛି। ‘ସହକାର୍ ସେ ସମୃଦ୍ଧି’ ମନ୍ତ୍ରକୁ ପାଥେୟ କରି ତୃଣମୂଳ ସ୍ତରରେ ସମବାୟ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଦକ୍ଷ କରିବା ପାଇଁ ଆମେ ସଂକଳ୍ପବଦ୍ଧ। ରାଜ୍ୟର ପ୍ରତ୍ୟେକ ଯୋଗ୍ୟ କୃଷକ ପରିବାର ଏହି ମହାଅଭିଯାନରେ ସାମିଲ ହୋଇ ସମବାୟକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ଏକ ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାର ହୁଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା