
ମାଲକାନଗିରି, ୨୫ ସେପ୍ଟେମ୍ବର (ହି.ସ.)-
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ରାଲେଗଡ଼ା ପଞ୍ଚାୟତରେ ନୂଆ ଟେକପଦର ଗାଁକୁ ସଂଯୋଗ କରୁଥିବା ପୋଲଟି ପ୍ରବଳ ବର୍ଷାରେ ଭାଙ୍ଗି ଯାଇଛି। ଫଳରେ ଅନେକ ଗାଁକୁ ଯାତାୟାତ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି।
ସେହିପରି ବଣ୍ଡାଘାଟିର ଅଣ୍ଡ୍ରାହାଲ ଠାରୁ ଅନକାଡେଲି ପର୍ଯ୍ୟନ୍ତ ରାସ୍ତା ବିଚ୍ଛିନ୍ନ ହୋଇଛି। ଅଣ୍ଡ୍ରାହାଲ ସାପ୍ତାହିକ ହାଟ ନିକଟରେ ଥିବା ପୋଲଟି ଭାଙ୍ଗିଯିବାରୁ ଯାତାୟାତ ବନ୍ଦ ହୋଇଛି। ଅଣ୍ଡ୍ରାହାଲ ପଞ୍ଚାୟତର କାତାଙ୍ଗଗୁଡ଼ା ଗ୍ରାମରେ ଏକ ବଡ଼ ଗଛ ଘର ଉପରେ ପଡ଼ି ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।
ଜାତୀୟ ରାଜପଥ ୩୨୬ ନମ୍ବରର ପାଙ୍ଗାମ, ପୋଟେରୁ, କାଙ୍କୁରୁକୋଣ୍ଡା, ଏମଭି-୯୦, ଏମଭି-୯୬, ମହାରାଜପାଲି ଓ କନ୍ୟାଶ୍ରମ ନିକଟରେ ଥିବା ପୋଲ ଉପରେ ୪ ରୁ ୫ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି। ଗତ ଦୁଇ ଦିନ ଧରି ରାସ୍ତାର ବିଭିନ୍ନ ସ୍ଥାନରେ ଶହ ଶହ ଯାନବାହନ ଅଟକି ରହିଛି। ଅଟକି ରହିଥିବା ସମସ୍ତ ଗାଡ଼ି ଚାଳକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ପୋଟେରୁ ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି। ବନ୍ୟା ଜଳରେ ନଦୀ କୂଳରେ ଥିବା ଅନେକ ଲୋକଙ୍କ ଘର ବୁଡ଼ି ଯାଇଛି। ଆତଙ୍କିତ ଅବସ୍ଥାରେ ଲୋକେ ଦୋକାନ ଓ ଘର ଖାଲି କରି ଅନ୍ୟତ୍ର ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି।
ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ନେତୃତ୍ୱରେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ପ୍ରବଳ ବର୍ଷାରେ ଜିଲ୍ଲାର ସପ୍ତଧାରା, ସିଲେରୁ ଓ ସାବେରି ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି l
ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୦୨୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ହାରାହାରି ୧୪୭ ମିଲିମିଟର ବର୍ଷା ହୋଇଛି। ମାଲକାନଗିରି ବ୍ଲକରେ ସର୍ବାଧିକ ୧ ୬ ୨. ୨ ମିଲିମିଟର ବର୍ଷା ହୋଇଛି l ପ୍ରବଳ ବର୍ଷା ଯୋଗୁଁ ସତିଗୁଡା ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଜଳ ଭଣ୍ଡାର ନିକଟରେ ଥିବା ଗ୍ରାମ ଗୁଡିକରେ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି l ଜିଲ୍ଲାର ବିଭିନ୍ନ ନଦୀ କୂଳିଆ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ