ଲଗାଣ ବର୍ଷାରେ ବେହାଲ କୋରାପୁଟ
ଜୟପୁର, ୨୫ ସେପ୍ଟେମ୍ବର (ହି.ସ.)- ବାତ୍ୟାର ପ୍ରଭାବରେ କୋରାପୁଟ ଜିଲା ବେହାଲ ହୋଇଛି । କଙ୍ଗା ଠାରୁ ଜୟପୁର ଭାୟା ସଲପା ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇଛି । ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଛି । ସୂଚନା ପାଇ ଜୟପୁର ତହସିଲଦାର ସବ୍ୟସାଚି ଜେନା, ଅତିରିକ୍ତ ତହସିଲଦାର ଚିତ୍
ଲଗାଣ ବର୍ଷା ରେ ବେହାଲ କୋରାପୁଟ


ଜୟପୁର, ୨୫ ସେପ୍ଟେମ୍ବର (ହି.ସ.)- ବାତ୍ୟାର ପ୍ରଭାବରେ କୋରାପୁଟ ଜିଲା ବେହାଲ ହୋଇଛି । କଙ୍ଗା ଠାରୁ ଜୟପୁର ଭାୟା ସଲପା ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇଛି । ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଛି । ସୂଚନା ପାଇ ଜୟପୁର ତହସିଲଦାର ସବ୍ୟସାଚି ଜେନା, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ରାଜସ୍ଵ ସୁପର ଭାଇଜର ହରିହର ସତପଥି ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିଥିଲେ । ଲଗାଣ ବର୍ଷାରେ ଜୟପୁର ବୈପାରିଗୁଡା ରାସ୍ତାର ପାତ୍ରପୁଟ ନିକଟରେ ବିରାଟ ଗଛ ଉପୁଡି ପଡିବାରୁ ରାସ୍ତା ଅବରୋଧ ହୋଇଥିଲା । ଜୟପୁର ଅଗ୍ନିଶମ ବାହିନି ପହଞ୍ଚି ଗଛକୁ କାଟି ଥିଲେ । ପରେ ରାସ୍ତାରୁ ଅବରୋଧ ହଟିଥିଲା । ସେହିପରି ବାତ୍ୟା ଯୋଗୁଁ ଜୟପୁର- ଭୁବନେଶ୍ୱରେ ମଧ୍ୟରେ ଚଳ ପ୍ରଚଳ କରୁଥିବା ବିମାନ ବାତିଲ ହୋଇଛି । ସେହିପରି ଜୟପୁର ତହସିଲ ଅଞ୍ଚଳରେ ବଡକାଉଡି, ଚରଗାଁ, ସିନ୍ଧି ଗାଁ, ହରଡାପୁଟ, ହାଡିଆ, ଭାଜିଗୁଡା, ଦଣ୍ଡସେନାଗୁଡା, ଖଡପା, ପୁଜାରିଗୁଡା, ଭୀମ ଗୁଡା, ସାନମୁଣ୍ଡାଗୁଡା, ବିଷେଇପୁଟ, କେରାପୁଟ, ପୁଟ୍ରା, ଜାନୁଣ୍ଡା, ହାଟକଙ୍ଗା, ହଡପା, କୁନ୍ତରଖାଲ, ଜବାକନାଡି, କଦମଗୁଡା, ପାଣ୍ଡୁରୁଗୁଡା, ମାଳି ଡମ୍ବଗୁଡା, ଭତ୍ରା, ନୁଆଗୁଡା, ଘାଟବାଗ୍ରା ମୋଟ ୩୩ଟି ଘର ଭାଙ୍ଗିଛି । ଜୟପୁର ତହସିଲ ତରଫରୁ ଘର ମାଲିକ ମାନଙ୍କୁ ପିଲିଥିନ ପ୍ରଦାନ କରାଯାଇଛି ।

ସେହିପରି କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ହଠାତ ଏକ ଗଛ ରାସ୍ତା ଉପରେ ପଡ଼ିଯିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଲଗାଣ ବର୍ଷା ମଧ୍ୟରେ ଘଟିଥିବା ଏହି ଘଟଣାରେ ରାସ୍ତା ଉପରେ ଗଛ ପଡ଼ି ରହିବାରୁ ଉଭୟ ପାର୍ଶ୍ୱରୁ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଥିଲା। ଘଟଣା ସମ୍ପର୍କରେ କୋରାପୁଟ ପୌରାଞ୍ଚଳର ୫ ନମ୍ବର ୱାର୍ଡ କାଉନସିଲର ବି. ମାଲେଶ୍ୱର ମାଲି ତୁରନ୍ତ କୋରାପୁଟ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କର୍ମଚାରୀମାନେ ଆବଶ୍ୟକ ଉପକରଣ ସାହାଯ୍ୟରେ ଗଛକୁ କାଟି ଖଣ୍ଡଖଣ୍ଡ କରି ରାସ୍ତାରୁ ହଟାଇଥିଲେ। ଗଛ ହଟାଯିବା ପରେ ରାସ୍ତା ସମ୍ପୂର୍ଣ୍ଣ ଖାଲି ହୋଇଥିଲା ଏବଂ ଯାନବାହନ ଚଳାଚଳ ପୁଣି ସ୍ୱାଭାବିକ ହୋଇଥିଲା। ସେହିପରି ଲଘୁଚାପଜନିତ ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଆଳି ପଞ୍ଚାୟତ ଅନ୍ତର୍ଗତ ଆସନା ଓ ବଣିଆ ଅଞ୍ଚଳରେ ବନ୍ୟାଜଳ ପଶିଯିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି। ଗାଁ ଭିତରେ ପାଣି ପଶିବା ପରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଖବର ପାଇ କୋଟପାଡ଼ ବିଧାୟକ ରୁପୁଭତ୍ରା ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଧାୟକ ନିଜେ ଘଟଣାସ୍ଥଳରେ ରହି ଟ୍ରାକ୍ଟର ଓ ପିକ୍ଅପ୍ ଭ୍ୟାନ୍ ଯୋଗେ ବନ୍ୟା ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କାର୍ଯ୍ୟର ତଦାରଖ କରୁଛନ୍ତି। ଲଗାଣ ବର୍ଷା ଯୋଗୁଁ କୋଟପାଡ଼ ଅଞ୍ଚଳର ନଦୀନାଳର ଜଳସ୍ତର ବୃଦ୍ଧି ପାଇଥିବାରୁ ତଳିଆ ଅଞ୍ଚଳ ପ୍ରତି ବିପଦ ଆଶଙ୍କା ରହିଛି। ଜିଲ୍ଲା ପ୍ରଶାସନ ମଧ୍ୟ ବନ୍ୟା ପ୍ରଭାବିତ ଓ ତଳିଆ ଅଞ୍ଚଳ ଉପରେ ନଜର ରଖିଛି। କୋରାପୁଟ ଜିଲ୍ଲାରେ ବନ୍ୟା ଆଶଙ୍କା ଥିବା କେତେକ ଅଞ୍ଚଳରେ ପୂର୍ବରୁ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି l କୋରାପୁଟ ଜିଲା ସାରା ପାଣିରେ ଭର୍ତି ହୋଇଥିବା ବେଳେ ଜିଲା ପ୍ରଶାସନ ତରଫରୁ ନଜର ରଖାଯାଇଛି । ଜୟପୁର ସହରରେ ତଳି ଅଞ୍ଚଳରେ ପାଣି ପସି ଯାଇଛି ।ସେହିପରି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ ଦଳେଇଗୁଡ଼ା ପଞ୍ଚାୟତ ନିକଟସ୍ଥ କାଡ଼ାମଗୁଡ଼ା ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଚାଷଜମି ଓ ବିଭିନ୍ନ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, କାଡ଼ାମଗୁଡ଼ା ନିକଟରେ ଗ୍ରୀନ୍ପ୍ଲାଇ ସେଣ୍ଡିଲା ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପାହାଡ଼ କଟିଂ କରାଯାଇଥିଲେ ମଧ୍ୟ ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା କରାଯାଇନଥିଲା। ଫଳରେ ଗଭୀର ଅବପାତଜନିତ ପ୍ରବଳ ବର୍ଷା ସମୟରେ ପାହାଡ଼ିଆ ଅଞ୍ଚଳରୁ ପାଣି ସହ ମାଟି ଓ ପଥର ଭାସିଆସି ତଳିଆ ଅଞ୍ଚଳର ଚାଷଜମିରେ ପଶିଥିବା ଚାଷୀମାନେ କହିଛନ୍ତି। ଏଥିଯୋଗୁଁ ଚାଷଜମିରେ ଥିବା ବିଭିନ୍ନ ଫସଲ କ୍ଷତିଗ୍ରସ୍ତ ହୋଇଛି। ଡ୍ରେନେଜ୍ ବ୍ୟବସ୍ଥା କରିବା ପାଇଁ ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି କ୍ଷତିଗ୍ରସ୍ତ ଜମି ଓ ଫସଲର କ୍ଷୟକ୍ଷତି ଆକଳନ ସହ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଚାଷୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande