କେନ୍ଦ୍ରାପଡାରେ ‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନର ଶୁଭାରମ୍ଭ
କେନ୍ଦ୍ରାପଡା, ୨୫ ସେପ୍ଟେମ୍ବର (ହି.ସ.)। କେନ୍ଦ୍ରାପଡା ଜିଲ୍ଲାରେ ‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନର ଶୁଭାରମ୍ଭ ହୋଇଛି। ଜିଲ୍ଲା ସଂସ୍କୃତି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ୍ ମାଧ୍ୟମରେ ଏହି ଅଭିଯାନର ଉଦ୍ଘାଟନ କରିଥିଲେ। କେନ୍ଦ୍ରାପଡା ନିୟନ୍ତ୍ର
ସମବାୟ ସଦସ୍ୟତାମହା ଅଭିଯାନ ସମ୍ବନ୍ଧରଶୁଭାରମ୍ଭ ।


କେନ୍ଦ୍ରାପଡା, ୨୫ ସେପ୍ଟେମ୍ବର (ହି.ସ.)। କେନ୍ଦ୍ରାପଡା ଜିଲ୍ଲାରେ ‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନର ଶୁଭାରମ୍ଭ ହୋଇଛି। ଜିଲ୍ଲା ସଂସ୍କୃତି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ୍ ମାଧ୍ୟମରେ ଏହି ଅଭିଯାନର ଉଦ୍ଘାଟନ କରିଥିଲେ।

କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ରଘୁରାମ ଆର୍. ଆୟାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଡିଆରସିଏସ୍ ପ୍ରଭାକର ନାୟକ, ସିଡିଭିଓ ଜୟମିନ୍ ମହାପାତ୍ର, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିଦ୍ୟାଧର ବେହେରା, ଏଆରସିଏସ୍ ଯୋଗେନ୍ଦ୍ର ବିଶ୍ୱାଳଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲାରେ ବର୍ତ୍ତମାନ ପ୍ରାୟ ୩ ଲକ୍ଷ ୫୦ ହଜାର ସମବାୟ ସଦସ୍ୟ ଓ ସଦସ୍ୟା ଅଛନ୍ତି। ଅଧିକରୁ ଅଧିକ ଲୋକଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡିବା ଏବଂ ସମବାୟର ସୁବିଧା ଘରେ ଘରେ ପହଞ୍ଚାଇବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ।

ଗତ ବର୍ଷ ସମବାୟ ସଦସ୍ୟମାନଙ୍କ ମାଧ୍ୟମରେ ୧୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଥିବା ବେଳେ ଚଳିତ ବର୍ଷ କେନ୍ଦ୍ରାପଡା ଜିଲ୍ଲାରେ ପ୍ରାୟ ୬୫ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି।

ଜିଲ୍ଲାର ଗ୍ରାମୀଣ ସାମାଜିକ ଓ ଆର୍ଥିକ ବିକାଶରେ ସମବାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଦର୍ଶାଇ ଜିଲ୍ଲାପାଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି), ଅଙ୍ଗନୱାଡି କର୍ମୀ ଏବଂ ଅନ୍ୟ ବର୍ଗର ଲୋକଙ୍କୁ ସମବାୟ ସହ ଅଧିକ ସଂଖ୍ୟାରେ ଯୋଡିବା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

ରାଜ୍ୟରେ ସମବାୟ ଆନ୍ଦୋଳନକୁ ଅଧିକ ସୁଦୃଢ, ସକ୍ରିୟ ଓ ଲୋକାଭିମୁଖୀ କରିବା ପାଇଁ ପ୍ରାଥମିକ କୃଷି ସମବାୟ ସମିତିଗୁଡିକର ବିକାଶ ଓ ସଶକ୍ତିକରଣ ଉପରେ ସରକାର ଗୁରୁତ୍ୱ ଦେଉଥିବା କୁହାଯାଇଛି। ଗ୍ରାମାଞ୍ଚଳରେ କୃଷକ ଓ ସାଧାରଣ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇବା ପାଇଁ ସମବାୟ ସମିତିଗୁଡିକୁ ବହୁମୁଖୀ ଓ ସକ୍ରିୟ ସଂସ୍ଥା ଭାବେ ବିକଶିତ କରାଯାଉଛି।

କେବଳ ସଦସ୍ୟ ସଂଖ୍ୟା ବୃଦ୍ଧି ନୁହେଁ, ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ, ସ୍ୱଚ୍ଛ, ଦାୟିତ୍ୱଶୀଳ ଓ ଲୋକାଭିମୁଖୀ କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ହେବା ଉଚିତ ବୋଲି ଜିଲ୍ଲାପାଳ କହିଥିଲେ। ମୋବାଇଲ୍ ଡିଜିଟାଲ୍ ଆପ୍ ମାଧ୍ୟମରେ ମଧ୍ୟ ନୂତନ ସଦସ୍ୟଙ୍କୁ ସମବାୟ ସହ ଯୋଡିବାର ବ୍ୟବସ୍ଥା ରହିଥିବା ସେ ସୂଚନା ଦେଇଥିଲେ।

‘ସମ୍ବନ୍ଧ’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ସମବାୟ ସଦସ୍ୟ ଓ ସଦସ୍ୟାଙ୍କ ଆର୍ଥିକ ଉନ୍ନତି ସହ ସେମାନଙ୍କୁ ଅଧିକ ସଶକ୍ତ କରିବା ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କୃଷି ସମବାୟ ସମିତିର ସଭାପତି, ସମ୍ପାଦକ ଓ କର୍ମଚାରୀଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ। ଶେଷରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିଦ୍ୟାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande