
ଭୁବନେଶ୍ୱର,୨୫ ସେପ୍ଟେମ୍ବର (ହି.ସ) - ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ଏବଂ ଆଗକୁ ନେବା ପାଇଁ ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଦୀର୍ଘଦିନ ଧରି ଶ୍ରୀଜଗନ୍ନାଥଙ୍କ ଜମିରେ ବସବାସ କରୁଥିବା ସେବାୟତ ଓ ଅଣସେବାୟତଙ୍କୁ ଜମି ଅଧିକାର ପ୍ରଦାନ ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଶୁକ୍ରବାର ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକର ଆଲୋଚନାରୁ ଜଣାପଡ଼ିଛି ଯେ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ ଓ ସ୍ୱଚ୍ଛ କରିବା ପାଇଁ ଏକ ଇ-ପୋର୍ଟାଲର ବିକାଶ କରାଯିବ। ଏଥିରେ ଶ୍ରୀଜଗନ୍ନାଥଙ୍କ ଜମି ଭୋଗଦଖଲ କରୁଥିବା ସେବାୟତ ଓ ଅଣସେବାୟତମାନେ ନିଜ ନିଜର ତଥ୍ୟ ସହଜ ଓ ସରଳ ଉପାୟରେ ପ୍ରଦାନ କରିପାରିବେ । ଏହା ଦ୍ୱାରା ଜମି ଦଖଲରେ ଥିବା ସମସ୍ତଙ୍କ ଏକ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହେବା ସହ ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ବ୍ୟବସ୍ଥା ଅଧିକ ସହଜ ଓ ଶୃଙ୍ଖଳିତ ହୋଇପାରିବ। ଏହି ବ୍ୟବସ୍ଥାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ଇ-ପୋର୍ଟାଲକୁ ଅଧିକ ଉପଯୋଗୀ କରିବା ନେଇ ଆବଶ୍ୟକ ପରାମର୍ଶ ଦେଇଥିଲେ ।
ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପରିଚାଳକ ତଥା ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ ଦେବ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବପ୍ରସାଦ ମହାପାତ୍ର ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଆଭାସି ମାଧ୍ୟମରେ ଯୋଗ ଦେଇଥିବାବେଳେ ଓକାକ୍ ଓଏନ୍ଆଇସିର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା