
ଭୁବନେଶ୍ୱର, ୨୫ ସେପ୍ଟେମ୍ବର (ହି.ସ) - ବର୍ତମାନର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧୀନରେ ନିର୍ବାଚନ କମିଶନ କିପରି କାର୍ଯ୍ୟ କରୁଛି ତାହା ନେଇ କେତେକ ମୌଳିକ ପ୍ରଶ୍ନ ଉଠିଛି। ସେ ନେଇ ଶୁକ୍ରବାର ଓଡ଼ିଶାର ପ୍ରମୁଖ ବାମପନ୍ଥୀ ଦଳ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଭାରତର କମ୍ୟୁନିଷ୍ଟ ପାର୍ଟି (ଏମଏଲ) ଲିବରେସନ ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ନେତୃତ୍ୱଙ୍କୁ ନେଇ ଏକ ମିଳିତ ବୈଠକ ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଜ୍ଞାନେଶ କୁମାରଙ୍କୁ ଅବିଳମ୍ବେ ବହିଷ୍କାର କରିବା ଦାବିରେ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆହ୍ୱାନ ଦେଇଛନ୍ତି। ମିଳିତ ବୈଠକରେ ଭୁବନେଶ୍ୱରଠାରେ ୪ ବାମପନ୍ଥୀ ଦଳ ଯଥା: ସିପିଆଇ, ସିପିଆଇ(ଏମ), ସିପିଆଇ (ଏମ୍ଏଲ) ଲିବରେସନ ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଆସନ୍ତା ୨୬ ସେପ୍ଟେମ୍ବର ଦିନ ୧୧ଟା ସମୟରେ ମାଷ୍ଟରକ୍ୟାଂଟିନ ଛକଠାରେ ଏକ ମିଳିତ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଅବିଳମ୍ବେ ବହିଷ୍କାର କରିବା, ଭୋଟ ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ତୁରନ୍ତ ବନ୍ଦ କରିବା, ଭୁଲ୍ରେ ବାଦ୍ ପଡ଼ିଥିବା ଲୋକଙ୍କ ଭୋଟ ଦାନ ଅଧିକାର ପୁନଃ ସ୍ଥାପିତ କରିବା, ଭାରତୀୟ ନିର୍ବାଚନ ଆୟୋଗର ସ୍ୱାଧୀନ ଏବଂ ଗଣତାନ୍ତ୍ରିକ କାର୍ଯ୍ୟ ପ୍ରଣାଳୀକୁ ପୁନଃସ୍ଥାପିତ କରିବା, ନିର୍ବାଚନ କମିଶନରଙ୍କ ନିଯୁକ୍ତିର ବର୍ତମାନ ବ୍ୟବସ୍ଥାକୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ପ୍ରସ୍ତାବିତ ଚୟନ କମିଟି ଯଥା: ପ୍ରଧାନମନ୍ତ୍ରୀ, ବିରୋଧୀ ନେତା ଓ ଭାରତର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ନିର୍ଦ୍ଧାରଣରେ ନିଯୁକ୍ତି କରିବା ଇତ୍ୟାଦି ଦାବି କରିବା ସହ ଭାରତର ନିର୍ବାଚନ କମିଶନରଙ୍କ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଏହି ବୈଠକରେ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି।
ଉପରୋକ୍ତ ପ୍ରସଙ୍ଗ ନେଇ ଦେଶର ବାମପନ୍ଥୀ ଦଳଗୁଡ଼ିକ ଦେଶ ବ୍ୟାପୀ ଏହାର ସମସ୍ତ ଶାଖାମାନଙ୍କୁ ୨୬ ଉକ୍ତ ବୈଠକରେ ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ (ଏମ୍ଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସମେତ ସିପିଆଇର ବରିଷ୍ଠ ନେତା ଆଶିଷ କାନୁନ୍ଗୋ, ନାରାୟଣ ରେଡି, ଜୟନ୍ତ ଦାସ, ସିପିଆଇ(ଏମ୍)ର ବରିଷ୍ଠ ନେତା ବଦ୍ରିନାରାୟଣ ଦାଶ, ସିପିଆଇ(ଏମଏଲ) ଲିବରେସନର ବରିଷ୍ଠ ନେତା ବଂଶୀଧର ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା