
ଜୟପୁର, ୨୫ ସେପ୍ଟେମ୍ବର (ହି.ସ.)-
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରରେ ବନ୍ଦେ ମାତରଂ ରାଷ୍ଟ୍ର ଗାନର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନାଚାର୍ଯ୍ୟ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ନମାମି ଭାରତମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପଟ୍ଟନାୟକ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ବିଜୟ କୁମାର ଭଟ୍ଟ । ଏହି କାର୍ଯ୍ୟକ୍ରମ ଅତିଥିଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ଜ୍ୱଳନ ପୂର୍ବକ ଆରମ୍ଭ କରାଯାଇଥିଲା । ଶ୍ରୀ ପଟ୍ଟନାୟକ ଗୁରୁଜୀ ଗୁରୁମାଙ୍କୁ ରାଷ୍ଟ୍ର ଗୀତ ଗାନର ମହତ୍ତ୍ୱ ତଥା ଆବଶ୍ୟକତା ଏବଂ ଶିଶୁଙ୍କୁ ଏହା ଶିଖାଇବା କେତେ ଗୁରୁତ୍ୱପୂର୍ଣ୍ଣ ଏହା ବିଷୟରେ ନିଜର ବୌଦ୍ଧିକ ମାଧ୍ୟମରେ ଜଣାଇଥିଲେ । ସେହିପରି ଶ୍ରୀ ଭଟ୍ଟ ମଧ୍ୟ ବନ୍ଦେ ମାତରଂ ଗାନର ମହତ୍ତ୍ୱ ବିଷୟରେ ଗୁରୁଜୀ ଗୁରୁମାଙ୍କୁ ତାଙ୍କର ଅଭିଭାଷଣ ମାଧ୍ୟମରେ ମାର୍ଗଦର୍ଶନ କରିଥିଲେ । ଶିଶୁ ବିଦ୍ୟାମନ୍ଦିର ଗୁଡ଼ିକ ଶିଶୁମାନଙ୍କୁ କିପରି ସାଂସ୍କୃତିକ ମୂଲ୍ୟବୋଧ ଶିଖାଇଥାଏ ତାହାକୁ ନେଇ ପ୍ରଶଂସା କରିଥିଲେ । ସେହିପରି ଏହି ଅନୁଷ୍ଠାନ ମାଧ୍ୟମରେ ଅନ୍ୟ ବିଦ୍ୟାଳୟମାନଙ୍କରେ ମଧ୍ୟ ଏକା ସମୟରେ ଦିନ ୧୧ଟା ସମୟରେ ରାଷ୍ଟ୍ର ଗାନ ସାମୂହିକ ଭାବେ ଅନୁଷ୍ଠିତ କରାଯାଇଥିଲା ଯେଉଁଥିରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଗୁରୁଜୀ ଗୁରୁମା ଯୋଗ ଦେଇଥିଲେ । ପ୍ରତିକୂଳ ପରିବେଶ ହେତୁ ସରକାରଙ୍କର ବ୍ୟବସ୍ଥାକୁ ଅନୁକରଣ କରାଯାଇ ଶିଶୁଙ୍କ ଅନୁପସ୍ଥିତିରେ ମଧ୍ୟ କାର୍ଯ୍ୟକ୍ରମଟି ଅତ୍ୟଧିକ ଭବ୍ୟରୂପ ନେଇଥିଲା । ଏଥିରେ ସର୍ବମୋଟ ୪୨ ଜଣ ଗୁରୁଜୀ ଗୁରୁମା ଏବଂ ପ୍ରକାଶ ବିଦ୍ୟାଳୟରେ ଯେଉଁ କାର୍ଯ୍ୟକ୍ରମ କରାଯାଇଥିଲା ସେଥିରେ ୩୬ ଜଣ ଏବଂ ପୌରପାଳିକା ବାଳିକା ଉଚ୍ଚ ବିଦ୍ୟାଳୟ ନମ୍ବର୍ – ୩ରେ ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଗୁରୁମା ଶ୍ରୀମତୀ ସରୋଜିନୀ ପାଣିଗ୍ରାହୀ ଓ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ମମିତା ବରାଡ଼ । ସେହିପରି ବିଦ୍ୟାଳୟର କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ଏବଂ ସେବାବ୍ରତୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି