
ଭୁବନେଶ୍ୱର,୨୫ ସେପ୍ଟେମ୍ବର (ହି.ସ) - ସେପ୍ଟେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ମଧୁସୂଦନ ଦାସ ଆଂଚଳିକ ବିତୀୟ ପରିଚାଳନା ପ୍ରତିଷ୍ଠାନ ଠାରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ , ଓଡ଼ିଶା ପକ୍ଷରୁ “ଆର୍କଜିଆଇଏସ୍ ମାଧ୍ୟମରେ ଭୂ-ସ୍ଥାନିକ ବିଶ୍ଳେଷଣ” ବିଷୟକ ତିନିଦିନିଆ ଉପଭୋକ୍ତା ପରାମର୍ଶ କର୍ମଶାଳା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
କର୍ମଶାଳାର ଉଦ୍ଯାପନୀ ଦିବସରେ ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ,ଅତିରିକ୍ତ ଶାସନ ସଚିବ ପ୍ରଦ୍ୟୁମ୍ନ କୁମାର ମହାକୁଡ଼ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନସ ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କର୍ମଶାଳାରେ ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିବା ସହ ବୈଷୟିକ ଦକ୍ଷତାକୁ ସୁଦୃଢ଼ କରିବା ଏବଂ ପରିସଂଖ୍ୟାନ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଭୂ-ସ୍ଥାନିକ ପ୍ରଯୁକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଦିଗରେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ।
ଏହି କର୍ମଶାଳାରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଆଂଚଳିକ ଯୋଜନା, ଆଞ୍ଚଳିକ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଂ, ପ୍ରୟୋଗାତ୍ମକ ଅର୍ଥନୀତି ଏବଂ ପରିସଂଖ୍ୟାନ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍, ଓଡ଼ିଶାର ପ୍ରକଳ୍ପ ପରିଚାଳନା ପରାମର୍ଶଦାତା, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ଏବଂ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟରର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୩୮ ଜଣ ଅଂଶଗ୍ରହଣକାରୀ ଓ ସାଧନ କର୍ମୀ ସାମିଲ ହୋଇଥିଲେ ।
ବୈଷୟିକ ଅଧିବେଶନଗୁଡ଼ିକ “ଇଏସ୍ଆରଆଇ ଇଣ୍ଡିଆ”ର ସାଧନ କର୍ମୀମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଏଥିରେ ଅଂଶଗ୍ରହଣକାରୀମାନଙ୍କୁ ଆର୍କଜିଆଇଏସ୍, ଭୂ-ସ୍ଥାନିକ ବିଶ୍ଳେଷଣ କୌଶଳ ଏବଂ ପରିସଂଖ୍ୟାନ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଏହାର ପ୍ରୟୋଗ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା । ଏହି ଅଧିବେଶନଗୁଡ଼ିକ ଅଂଶଗ୍ରହଣକାରୀ ଅଧିକାରୀ ଓ ବୈଷୟିକ କର୍ମଚାରୀମାନଙ୍କ ମଧ୍ୟରେ ବୈଷୟିକ ଆଲୋଚନା, ଜ୍ଞାନ ଆଦାନ-ପ୍ରଦାନ ଏବଂ ପ୍ରାୟୋଗିକ ଶିକ୍ଷଣର ସୁଯୋଗ ସୃଷ୍ଟି କରିଥିଲା ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଂଶଗ୍ରହଣକାରୀମାନେ ଭୂ-ସ୍ଥାନିକ ପ୍ରଯୁକ୍ତିର ଉପଯୋଗ କରି ସ୍ଥାନିକ ବିଶ୍ଳେଷଣ, ତଥ୍ୟର ଦୃଶ୍ୟମାନ୍ୟତା ଏବଂ ପ୍ରମାଣଭିତିକ ଯୋଜନା ପ୍ରସ୍ତୁତିର ସମ୍ଭାବନା ସମ୍ପର୍କରେ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥିଲେ । ଏହା ତଥ୍ୟଭିତିକ ପରିସଂଖ୍ୟାନ ଓ ବିକାଶମୂଳକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାର ବ୍ୟାପକ ଲକ୍ଷ୍ୟକୁ ସମର୍ଥନ କରିବ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ ନିଜ ଅଧିକାରୀମାନଙ୍କ ବୈଷୟିକ ଦକ୍ଷତାକୁ ସୁଦୃଢ଼ କରିବା ସହ ପରିସଂଖ୍ୟାନ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଆଧୁନିକ ଡିଜିଟାଲ ଓ ଭୂ-ସ୍ଥାନିକ ପ୍ରଯୁକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଜାରି ରହିଥିବା ପ୍ରୟାସର ଏକ ଅଂଶ ବିଶେଷ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା