
କେନ୍ଦ୍ରାପଡା, ୨୫ ସେପ୍ଟେମ୍ବର (ହି.ସ.)। କେନ୍ଦ୍ରାପଡା ପୌରାଞ୍ଚଳର ୧୩ ନମ୍ବର ୱାର୍ଡ ଅନ୍ତର୍ଗତ କୋର୍ଟଛକରେ ଥିବା ଉର୍ଦ୍ଧୁ ଲାଇବ୍ରେରୀର ଏସି ଭିତରେ ସାପ ପଶିଯିବା ଘଟଣାକୁ ନେଇ ଲାଇବ୍ରେରୀକୁ ପଢିବା ପାଇଁ ଆସୁଥିବା ଶହ ଶହ ଛାତ୍ରଛାତ୍ରୀ ଭୟଭୀତ ହୋଇପଡିଛନ୍ତି।
ସୂଚନା ଅନୁସାରେ, ଲାଇବ୍ରେରୀର ପଛପଟେ ଥିବା ଏକ ସରକାରୀ କାର୍ଯ୍ୟାଳୟ ପରିସରରେ ଅନାବନା ଗଛଲତା ବଢି ଜଙ୍ଗଲ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅଞ୍ଚଳରୁ ସାପ ଲାଇବ୍ରେରୀ ଭିତରକୁ ପଶି ଏସି ମଧ୍ୟରେ ଲୁଚି ରହିଥିବା ଜଣାପଡିଛି।
ଘଟଣା ପରେ ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ପରିବେଶ ଦେଖାଦେଇଛି। ଛାତ୍ରଛାତ୍ରୀମାନେ ତୁରନ୍ତ ସାପକୁ ଉଦ୍ଧାର କରି ଲାଇବ୍ରେରୀର ଏସିକୁ ମରାମତି କରିବା ସହ ପରିସରରେ ଥିବା ଅନାବନା ଗଛଲତା ସଫା କରିବାକୁ ଦାବି କରିଛନ୍ତି।
ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଘଟଣାର ତୁରନ୍ତ ସମାଧାନ କରିବାକୁ ସ୍ଥାନୀୟ ଲୋକେ ମଧ୍ୟ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରବି