୧୭ ଦିନରେ ଚୋରି ମାମଲାର ରାୟ, ଅଭିଯୁକ୍ତଙ୍କୁ ଦଣ୍ଡାଦେଶ
Decision with in 17 days
୧୭ ଦିନରେ ଚୋରି ମାମଲାର ରାୟ, ଅଭିଯୁକ୍ତଙ୍କୁ ଦଣ୍ଡାଦେଶ


ଝାରସୁଗୁଡ଼ା, ୨୫ ସେପ୍ଟେମ୍ବର (ହି.ସ.)- ତ୍ଵରିତ ତଦନ୍ତ ଓ ପ୍ରଭାବୀ ଅଭିଯୋଗ ପକ୍ଷର ଅନୁସରଣ ଯୋଗୁଁ ରେଙ୍ଗାଲି ଥାନା ଅଞ୍ଚଳର ଏକ ଚୋରି ମାମଲାରେ ମାତ୍ର ୧୭ ଦିନ ମଧ୍ୟରେ ରାୟ ପ୍ରକାଶ ପାଇଛି। ମାମଲାରେ ଅଭିଯୁକ୍ତ ସନାତନ କିଶାନ (୨୬)ଙ୍କୁ ଦୋଷୀ ସାବ୍ୟସ୍ତ କରି ଲଖନପୁର ସିଭିଲ ଜଜ୍ (ଜୁନିଅର ଡିଭିଜନ)-କମ୍ ଜେଏମଏଫସି ଅଦାଲତ ଦଣ୍ଡାଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, କତାରବଗା ସ୍କୁଲ ନିକଟ ୪୯ ନମ୍ବର ଏନଏଚ୍ ପାର୍ଶ୍ୱରେ ଥିବା ଏକ ସିଏସ୍ସି କେନ୍ଦ୍ରରେ ରାତି ସମୟରେ ଚୋରି ହୋଇଥିଲା। ଘଟଣାରେ ୪ଟି ପୁରୁଣା ମୋବାଇଲ ଫୋନ୍ ଓ ୨ଟି ଇୟରବଡ୍ ଚୋରି ହୋଇଥିଲା। ଏନେଇ ରେଙ୍ଗାଲି ଥାନାରେ ୦୯.୦୯.୨୦୨୬ରେ କେସ୍ ନମ୍ବର ୨୩୯/୨୦୨୬ ରୁଜୁ ହୋଇଥିଲା। ମାମଲାର ତଦନ୍ତ ରେଙ୍ଗାଲି ଥାନାର ଏସଆଇ ସମରେନ୍ଦ୍ର ନାୟକ କରିଥିଲେ। ତ୍ୱରିତ ତଦନ୍ତ କରି ଦେହେରିଡିପା ଅଞ୍ଚଳର ସନାତନ କିଶାନଙ୍କୁ ପୁଲିସ ଗିରଫ କରିଥିଲା। ତାଙ୍କ ସୂଚନା ଆଧାରରେ ତାଙ୍କ ଘରୁ ଚୋରି ହୋଇଥିବା ୨ଟି ରେଡ୍ମି ମୋବାଇଲ ଫୋନ୍, ଗୋଟିଏ ଇୟରକଡ୍ ଏବଂ ଗୋଟିଏ ଲୁହା ରଡ୍ ଜବତ କରାଯାଇଥିଲା। ଜବତ ଓ ସିଜର ପ୍ରକ୍ରିୟାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଥିଲା।

ପୁଲିସ ପକ୍ଷରୁ ମାମଲାର ତଦନ୍ତ ଶୀଘ୍ର ଶେଷ କରାଯାଇ ୧୯.୦୯.୨୦୨୬ରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ୨୧.୦୯.୨୦୨୬ରେ ଅଭିଯୋଗ ଗଠନ ସହ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ଶେଷରେ ୨୫.୦୯.୨୦୨୬ରେ ଅଦାଲତ ଅଭିଯୁକ୍ତଙ୍କୁ ବିଏନଏସ୍ ର ଧାରା ୩୩୧(୪) ଓ ୩୦୫(ଏ) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ଧାରା ୩୦୫(ଏ) ଅନୁଯାୟୀ ୬ ମାସ ସରଳ କାରାଦଣ୍ଡ ସହ ୫,୦୦୦ ଟଙ୍କା ଜରିମାନା ଏବଂ ଧାରା ୩୩୧(୪) ଅନୁଯାୟୀ ୩ ମାସ ସରଳ କାରାଦଣ୍ଡ ସହ ୨,୦୦୦ ଟଙ୍କା ଜରିମାନାରେ ଅଦାଲତ ଦଣ୍ଡିତ କରିଛନ୍ତି। ଉଭୟ ଦଣ୍ଡାଦେଶ ଏକାସାଙ୍ଗରେ ଚାଲିବ। ମାମଲା ରୁଜୁ ହେବାର ୦୯.୦୯.୨୦୨୬ରୁ ରାୟ ପ୍ରକାଶ ପାଇବା ୨୫.୦୯.୨୦୨୬ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟା ମାତ୍ର ୧୭ ଦିନରେ ସମ୍ପୂର୍ଣ୍ଣ ହୋଇଛି। ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର, ଆଇପିଏସ୍, ମାମଲାର ତଦନ୍ତ ଓ ଅଦାଲତୀ ପ୍ରକ୍ରିୟାକୁ ନିକଟରୁ ତଦାରଖ କରିଥିଲେ। ତ୍ୱରିତ ତଦନ୍ତ, ଅଭିଯୋଗ ପକ୍ଷ ସହ ସମନ୍ୱୟ ଏବଂ ଶୀଘ୍ର ନ୍ୟାୟ ପ୍ରଦାନ ଉପରେ ପୁଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା।

ଏହି ରାୟ ଝାରସୁଗୁଡ଼ା ପୁଲିସର ତ୍ୱରିତ ତଦନ୍ତ, ପେସାଦାର ଅଭିଯୋଗ ପକ୍ଷ ଅନୁସରଣ ଓ ପୀଡ଼ିତଙ୍କୁ ସମୟୋଚିତ ନ୍ୟାୟ ପ୍ରଦାନ ପ୍ରତି ଗୁରୁତ୍ୱକୁ ପ୍ରତିଫଳିତ କରୁଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande