
ଜୟପୁର , 26 ସେପ୍ଟେମ୍ବର (ହି.ସ.)
ଲଘୁଚାପ ଜନିତ ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲା ବେହାଲ ହୋଇ ପଡିଥିଲା । ଏହି ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜିଲ୍ଲାପାଳ ମନୋଜ ସତ୍ୟ ବାନ ମହାଜନ ସୂଚନା ଦେଇଛନ୍ତି l ଜିଲାର କୋଟପାଡ, ବୋରିଗୁମ୍ମା, ଜୟପୁର ଆଦି ବହୁତ କ୍ଷୟ କ୍ଷତି ହୋଇଥିବା ଜଣା`ାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବା ସହ ରେଳପଥ ମଧ୍ୟ ବର୍ଷାର ପ୍ରଭାବ ପଡିଛି । ଜିଲ୍ଲାର ପ୍ରାୟ ୪୫ଟି ଗାଁ ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୪,୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ବିଶେଷକରି କୋଟପାଡ଼ ବ୍ଲକର ପ୍ରାୟ ୧୫ରୁ ୧୬ଟି ଗାଁ ପାଣିଘେରରେ ରହିଛି। ବର୍ଷା ଓ ବନ୍ୟା ପାଣି ଯୋଗୁଁ ଏହି ଅଞ୍ଚଳରେ ଯାତାୟାତ ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇ ଆବଶ୍ୟକ ସ୍ଥାନରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଲଗାଣ ବର୍ଷାର ପ୍ରଭାବ ରେଳ ଚଳାଚଳ ଉପରେ ମଧ୍ୟ ପଡ଼ିଛି। ରେଳପଥ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ କୋରାପୁଟ ରେଳଷ୍ଟେସନରୁ ଯାତ୍ରୀମାନଙ୍କ ପାଇଁ ମାଗଣା ବସ୍ ସେବା ଜାରି ରହିଥିବା ଜଣାପଡ଼ିଛି। ଏହାଦ୍ୱାରା ରେଳ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଯାତ୍ରୀମାନଙ୍କୁ ବିକଳ୍ପ ଯାତାୟାତ ସୁବିଧା ଯୋଗାଇ ଦିଆଯାଉଛି। ଜିଲ୍ଲାରେ ବର୍ଷାଜନିତ ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ଏନେଇ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସୂଚନା ଦେଇଛନ୍ତି।
ସେହିପରି ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୁପ୍ତେଶ୍ୱର ଗ୍ରାମ ପଞ୍ଚାୟତର ପାଞ୍ଚ ଖଣ୍ଡ ଗାଁ ଜଳବନ୍ଦୀ ହୋଇପଡ଼ିଛି। ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ ଗୁପ୍ତେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘଡ଼ାଘଟ, ତାଲୁର୍, ଶୁରିବେଡ଼ା, କେନ୍ଦୁଗୁଡ଼ା, ସୋରିଷ ପଦର ଏହି ପାଞ୍ଚଖଣ୍ଡ ଗାଁ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି। ଗୁପ୍ତେଶ୍ୱର ପଞ୍ଚାୟତର ସଚ୍ଛାସେବୀ, ପ୍ରଶାସନିକ ଅଧିକାରୀ ଉଦ୍ଧାର କରିଛନ୍ତି। ଲଗାଣ ବର୍ଷାରେ ଅଞ୍ଚଳର ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ଗାଁ ଗୁଡ଼ିକୁ ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ବୈପାରିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ ସାହୁ, ସ୍ଥାନୀୟ ତହସିଲଦାର ସ୍ନିଗ୍ଧା ଚୌଧୁରୀ, ସିଡିପିଓ ସବିତା ବ୍ରହ୍ମା, ଅଗ୍ନିଶମ ବାହିନୀ ଓ ଫାଣ୍ଡି ଅଧିକାରୀଙ୍କ ସମେତ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଗୁପ୍ତେଶ୍ୱର ଏକ ସରକାରୀ କୋଠାରେ ନେଇ କରାଯାଇଛି। ପ୍ରତିକୂଳ ପାଗ ଓ ବଢ଼ୁଥିବା ଜଳସ୍ତର ମଧ୍ୟରେ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି। ଏପରି ପରିସ୍ଥିତିରେ ଜଳବନ୍ଦୀ ଅଞ୍ଚଳରୁ ଉଦ୍ଧାର ହୋଇଥିବା ଲୋକଙ୍କ ସୁରକ୍ଷା, ଆବଶ୍ୟକ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦିଆ ଯାଇଛି । ଏହାସହ ଶିରିବେଡ଼ା ଗାଁରେ ଥିବା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରତି କିଛି ଅସୁବିଧା ନହେବାର ବ୍ୟବସ୍ଥା କରାଯାଇଛି ବୋଲି ବୈପାରିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ ସାହୁ ଗଣ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି