
୨ ବର୍ଷ ୩ ମାସରେ ୪୬,୫୭୫ ସରକାରୀ ନିଯୁକ୍ତି
ନବନିଯୁକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପଂଚସୂତ୍ରୀ' ମନ୍ତ୍ର: ଜନ ଶୁଣାଣି'କୁ ମିଳିବ ସର୍ବୋଚ୍ଚ ପ୍ରାଥମିକତା
ଦେଶରେ ପ୍ରଥମ ଥର ଓଡ଼ିଶାରେ ଉନ୍ମୋଚିତ ହେଲା ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା'
ଭୁବନେଶ୍ୱର , ୨୬ ସେପ୍େଟମ୍ବର (ହି.ସ.) - ସରକାରୀ ଚାକିରି କେବଳ ଏକ କର୍ମସଂସ୍ଥାନ ବା ଆର୍ôଥକ ସୁରକ୍ଷାର ମାଧ୍ୟମ ନୁହେଁ, ବରଂ ଏହା ରାଜ୍ୟ ଓ ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ କରିବାର ଏକ ପବିତ୍ର ଅବସର । ଶନିବାର ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ୧୭ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୪ଟି ବିଭାଗର ସମୁଦାୟ ୧,୧୦୧ ଜଣ ନବନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବଂଟନ କରିବା ଅବସରରେ କହିଛନ୍ତି।
ଏହି ଅବସରରେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ସ୍ୱଚ୍ଛ ପ୍ରଶାସନ ମାଧ୍ୟମରେ ସେମାନଙ୍କ ଆକାଂକ୍ଷାକୁ ସାକାର କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ଦର୍ଶାଇ, ‘ସମୃଦ୍ଧ ଓଡ଼ିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ର ସ୍ୱପ୍ନକୁ ସାକାର କରିବାରେ ନବନିଯୁକ୍ତ ଅଧିକାରୀମାନଙ୍କ ଦକ୍ଷତା, ନିଷ୍ଠା ଓ କର୍ତବ୍ୟପରାୟଣତା ପ୍ରମୁଖ ମୂଳଦୁଆ ସାଜିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ସରକାର ଗଠନର ମାତ୍ର ୨ ବର୍ଷ ୩ ମାସ ମଧ୍ୟରେ ୧୭ଟି ନିଯୁକ୍ତି ମେଳା ମାଧ୍ୟମରେ ରେକର୍ଡ ୪୬,୫୭୫ ଜଣ ଯୁବକଯୁବତୀଙ୍କୁ ସରକାରୀ ସେବାରେ ନିୟୋଜିତ କରାଯାଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟଯେ ଆଜିର ଏହି ନିଯୁକ୍ତି ମେଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୮୧୪ ଜଣ ମେଡିକାଲ ଅଫିସର ଓ ୯୨ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍ )ର ୩୦ ଜଣ, ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍)ର ୪୨ ଜଣ, ଓଡ଼ିଶା ଅର୍ଥ ସେବା (ଓଏଫଏସ୍ )ର ୪୬ ଜଣ, ଓଡ଼ିଶା ଟିକସ ଓ ହିସାବ ସେବା (ଓଟିଏଏସ୍ )ର ୬୦ ଜଣ ଏବଂ ସମବାୟ ସେବା ( ଓସିଏସ୍ ଆଣ୍ଡ ଓସିଏଏସ୍ )ର ୧୭ ଜଣ ଅଧିକାରୀ ସରକାରୀ ସେବାରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି।
ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ନିଜ ପରିବାର ଭାବି ସେବା ଯୋଗାଇଦେବାକୁ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ରାଜସ୍ୱ ଓ ଅର୍ଥ ବିଭାଗର ଭୂମିକା ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ, ଓଏଏସ୍ ଓ ଓଆରଏସ୍ ଅଧିକାରୀମାନେ ପ୍ରଶାସନର ମେରୁଦଣ୍ଡ ଭାବେ କାର୍ଯ୍ୟ କରିଥାନ୍ତି। ସେହିପରି ଓଏଫଏସ୍ ଏବଂ ଓଟିଏଏସ୍ ଅଧିକାରୀମାନଙ୍କ ସଠିକ୍ ରାଜସ୍ୱ ଆକଳନ, ଜିଏସଟି ଓ ଭାଟ୍ ସଂଗ୍ରହ ଏବଂ ଆର୍ôଥକ ଶୃଙ୍ଖଳା ରାଜ୍ୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସମବାୟରୁ ସମୃଦ୍ଧି’ ଆହ୍ୱାନକୁ ସାକାର କରିବା ପାଇଁ ସମବାୟ କ୍ଷେତ୍ରକୁ କେବଳ ଋଣ ପ୍ରଦାନ ମଧ୍ୟରେ ସୀମିତ ନରଖି ଚାଷୀ, ମହିଳା ଓ ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ଯୋଡ଼ି ଏହାକୁ ବହୁମୁଖୀ ଅନୁଷ୍ଠାନରେ ପରିଣତ କରିବାକୁ ସେ ନୂତନ ସମବାୟ ଅଧିକାରୀଙ୍କୁ ଆହ୍ୱାନ ଦେଇଥିଲେ।
ନିଜ ଅଭିଭାଷଣରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଛ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀମାନଙ୍କୁ ଏକ ‘ପଂଚସୂତ୍ରୀ’ ମନ୍ତ୍ର ପ୍ରଦାନ କରିଛନ୍ତି।
ସେ ସ୍ପଷ୍ଟ ଭାବେ କହିଥିଲେ ଯେ ‘ଜନସେବା ହିଁ ମାଧବ ସେବା’, ତେଣୁ ନିଜକୁ ଶାସକ ନ ଭାବି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭଳି ନିଜକୁ ‘ଜନସେବକ’ ମନେକରି ସାଧାରଣ ଲୋକଙ୍କ ସେବା କରିବାକୁ ହେବ। ଦୁର୍ନୀତିକୁ କ୍ୟାରିୟର ପାଇଁ ବିଷ ସଦୃଶ ଗ୍ରହଣ କରିବାକୁ ଚେତାବନୀ ଦେଇ ସେ ସ୍ପଷ୍ଟ କରିଥିଲେ ଯେ ସରକାରଙ୍କ ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଜାରି ରହିଛି ଏବଂ ଏଥିପାଇଁ ଭିଜିଲାନ୍ସ ବିଭାଗକୁ ସମ୍ପୂର୍ଣ୍ଣ ଖୋଲା ସ୍ୱାଧୀନତା ଦିଆଯାଇଛି। ଏହା ସହିତ ଗ୍ରେଟ୍ ପାୱାର କମସ୍ ୱିଥ୍ ଗ୍ରେଟ୍ ରେସପନ୍ସିବିଲିଟିଜ୍ ନ୍ୟାୟରେ ପଦବୀର ମର୍ଯ୍ୟାଦା ରକ୍ଷା କରିବା, ‘ଜନ ଶୁଣାଣି’କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ କରିବା ଏବଂ ତୃଣମୂଳ ସ୍ତରରେ ସରକାରଙ୍କ ସ୍ୱଚ୍ଛ ଭାବମୂର୍ତି ବଜାୟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।
ରାଜ୍ୟର ମୋଟ କର୍ମସଂସ୍ଥାନ କ୍ଷେତ୍ର ମଧ୍ୟରୁ ସରକାରୀ ଚାକିରିର ସୁଯୋଗ ମାତ୍ର ୪ ପ୍ରତିଶତ ଭିତରେ ସୀମିତ ଥିବାବେଳେ, କଠିନ ପ୍ରତିଯୋଗିତା, ମାତାପିତାଙ୍କ ଆଶୀର୍ବାଦ ଏବଂ ନିଜର କଠିନ ପରିଶ୍ରମ ବଳରେ ସଫଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତମାନଙ୍କୁ ଭାଗ୍ୟବାନ ବୋଲି ଅଭିହିତ କରିବା ସହ ସେମାନଙ୍କ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ନବନିଯୁକ୍ତଙ୍କୁ ନିଜ ନିଜ ବିଭାଗର ‘ରୋଲ୍ ମଡେଲ୍’ ଭାବେ ଭବିଷ୍ୟତର ଆଦର୍ଶ ରୂପେ ଗଢ଼ିଉଠିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ଯୁବ ଅଧିକାରୀମାନେ ନୂତନ ଚିନ୍ତାଧାରା ଓ ସକାରାତ୍ମକ ଦୃଷ୍ଟିକୋଣ ନେଇ ପ୍ରଶାସନରେ ଯୋଗ ଦେଉଥିବାରୁ ସେମାନଙ୍କ ଆଚରଣ, ନିଷ୍ଠା ଓ ଉଚ୍ଚ ନୈତିକତା ହିଁ ବିଭାଗର ସୁନାମ ବୃଦ୍ଧି କରିବ। ଅଧିକାରୀମାନେ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଫଳ ରୂପାୟନ ସହ ଅନୁକରଣୀୟ ଉଦାହରଣ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନବନିଯୁକ୍ତଙ୍କୁ ଉତ୍ସାହିତ କରି କହିଥିଲେ ଯେ, ଆଜି ଆପଣମାନଙ୍କୁ ମିଳିଥିବା ଏହି ନିଯୁକ୍ତି ପତ୍ର କେବଳ ଏକ ସରକାରୀ ପ୍ରମାଣ ପତ୍ର' ନୁହେଁ, ବରଂ ଏହା ଆପଣଙ୍କ ବର୍ଷ ବର୍ଷର କଠିନ ପରିଶ୍ରମର ସ୍ୱୀକୃତି ପତ୍ର'। ନିଜ ସାଧନା, ଏକାଗ୍ରତା ଓ ପରିବାରର ତ୍ୟାଗ ବଳରେ ଆଜି ଯୁବବର୍ଗ ଏହି ସଫଳତା ହାସଲ କରିଛନ୍ତି। ସରକାରୀ ସେବାରେ ପ୍ରବେଶ କରିବା ପରେ ଏହି ପରିଶ୍ରମର ମୂଲ୍ୟ ରଖି ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ସେ ପରାମର୍ଶ ଦେଇଥିଲେ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ଭାବ ନାହିଁ ଯେ ପାଠ ପଢ଼ା ଶେଷ ହୋଇଗଲା, ବରଂ ଭାବ ଯେ ଏବେ ପ୍ରକୃତ ପାଠ ପଢ଼ା ଆରମ୍ଭ ହେଲା। ଏହା ପରୀକ୍ଷାର ଶେଷ ନୁହେଁ, ବରଂ ଜୀବନର ପ୍ରକୃତ ପରୀକ୍ଷା ଏଠାରୁ ହିଁ ଆରମ୍ଭ ହେଉଛି। ବହି ପଢ଼ି ଦେଇଥିବା ପରୀକ୍ଷା ସରିଯାଇଛି ସତ, କିନ୍ତୁ କର୍ମ କ୍ଷେତ୍ରର ପରୀକ୍ଷା ଏବେ ଆରମ୍ଭ। ଆମର ଲକ୍ଷ୍ୟ କେବଳ ଚାକିରି ପାଇବା ନୁହେଁ। ଆମର ଲକ୍ଷ୍ୟ ହେବା ଉଚିତ୍ ଦେଶ ସେବା ଏବଂ ମାନବ ସେବା। ଚାକିରି ହେଉଛି ସେହି ଲକ୍ଷ୍ୟକୁ ପୂରଣ କରିବାର ଏକ ମାଧ୍ୟମ ମାତ୍ର, ଶେଷ ଲକ୍ଷ୍ୟ ନୁହେଁ। ଆମେ ସମସ୍ତେ ଦିନେ ଏହି ଧରା ପୃଷ୍ଠରୁ ଚାଲିଯିବା, କିନ୍ତୁ ଆମ ସହିତ କିଛି ଯିବ ନାହିଁ। ରହିଯିବ କେବଳ ଆମର କର୍ମ। ଆମର ଭଲ କର୍ମ ହିଁ ଏଠାରେ ଚିରକାଳ ପାଇଁ ରହିଯିବ। ତେଣୁ ଆସନ୍ତୁ, ଏପରି କର୍ମ କରିବା ଯାହା ଦେଶ ଓ ସମାଜ ପାଇଁ ଉପଯୋଗୀ ହେବ।
କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ନବନିଯୁକ୍ତ ଡାକ୍ତର ଓ ପ୍ରଶାସନିକ ଅଧିକାରୀମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ନୂତନ ଭାବେ ଯୋଗଦେଉଥିବା ଦକ୍ଷ ଓ ନିଷ୍ଠାପର ଅଧିକାରୀମାନଙ୍କ ଆଗମନ ଦ୍ୱାରା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକ ସମୃଦ୍ଧ, କ୍ରିୟାଶୀଳ ଓ ସଶକ୍ତ ହେବ।' ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ୮୧୪ ଜଣ ମେଡିକାଲ ଅଫିସର ଏବଂ ୯୨ ଜଣ ଆସିଷ୍ଟାଂଟ ପ୍ରଫେସରଙ୍କ ନିଯୁକ୍ତି ଦ୍ୱାରା ଗ୍ରାମୀଣ, ଉପାନ୍ତ ଓ ଜନଜାତି ବହୁଳ ଅଞ୍ଚଳରେ ଡାକ୍ତରୀ ସେବାର ଅଭାବ ଦୂର ହେବ ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚିପାରିବ। ସ୍ୱାସ୍ଥ୍ୟ ବିଭାଗର ଏହି ନୂତନ ପରିବର୍ତନ ରାଜ୍ୟର ଚିକିତ୍ସା ଭିତିଭୂମିକୁ ସୁଦୃଢ଼ କରିବା ସହ ‘ସୁସ୍ଥ ଓଡ଼ିଶା’ ଗଠନର ସ୍ୱପ୍ନକୁ ସାକାର କରିବ ବୋଲି ସେ ପ୍ରକାଶ କରିଥିଲେ।
ଏହି ଅବସରରେ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରାକ୍-ପ୍ରାଥମିକରୁ ଆରମ୍ଭ କରି ଯୁବବର୍ଗଙ୍କ ପର୍ଯ୍ୟନ୍ତ ବିଭିନ୍ନ ବୟସ-ଭିତିକ ‘ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା’ ପୁସ୍ତିକା ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚିତ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଏବଂ ଦକ୍ଷତା ବିକାଶ ବିଭାଗର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି ପୁସ୍ତିକା ରାଜ୍ୟର ଯୁବପିଢ଼ିଙ୍କୁ ମାନସିକ ସ୍ତରରେ ସୁଦୃଢ଼ କରିବାରେ ସହାୟକ ହେବ।
କାର୍ଯ୍ୟକ୍ରମରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ ଧନ୍ୟବାଦ ଦେଇଥିଲେ। ଏଥିସହିତ ସମବାୟ ବିଭାଗ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡଃ ମହେଶ ମୋହନ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ। ଏଥିସହିତ ବିଭିନ୍ନ ବିଭାଗର ଶାସନ ସଚିବ, ବରିଷ୍ଠ ଅଧିକାରୀ, ନବନିଯୁକ୍ତ ଅଧିକାରୀ ଓ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା