ଧାମନଗରକୁ ପୁଣି ବନ୍ୟା ବିପତି, ୨୪ ପଂଚାୟତ ୬୬ ଗ୍ରାମର ୫୪ ହଜାର ୩୩୨ ଲୋକ ପ୍ରଭାବିତ
ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.) - ଅର୍ଣ୍ଣବ ଅବପାତ ଯୋଗୁଁ ବୈତରଣୀ ଅବବହିକାର ଉପରମୁଣ୍ଡରେ କ୍ରମାଗତ ପ୍ରବଳ ବର୍ଷା ଯୋଗୁ ଧାମନଗର ଅଂଚଳରେ ପ୍ରବାହିତ ବୈତରଣୀ, କୋଚିଳା ଓ ଗେଙ୍ଗୁଟି ନଦୀରେ ବନ୍ୟା ଆସିଛି।ଶୁକ୍ରବାର ରାତିରେ ବୈତରଣୀ ନଦୀର ଦିହୁଡି ଆନନ୍ଦପୁର ପଂଚାୟତ ଠାରେ ଥିବା ମଲ୍ଲୀମାହାରା ଏସକେପ
DHAMNAGAR BANYA BIPATI


ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.) - ଅର୍ଣ୍ଣବ ଅବପାତ ଯୋଗୁଁ ବୈତରଣୀ ଅବବହିକାର ଉପରମୁଣ୍ଡରେ କ୍ରମାଗତ ପ୍ରବଳ ବର୍ଷା ଯୋଗୁ ଧାମନଗର ଅଂଚଳରେ ପ୍ରବାହିତ ବୈତରଣୀ, କୋଚିଳା ଓ ଗେଙ୍ଗୁଟି ନଦୀରେ ବନ୍ୟା ଆସିଛି।ଶୁକ୍ରବାର ରାତିରେ ବୈତରଣୀ ନଦୀର ଦିହୁଡି ଆନନ୍ଦପୁର ପଂଚାୟତ ଠାରେ ଥିବା ମଲ୍ଲୀମାହାରା ଏସକେପ ଓ ସୋହଡା ପଂଚାୟତରେ ଥିବା ଗୌରାଙ୍ଗପୁର ଏସକେପରେ ବନ୍ୟାଜଳ ପ୍ରବାହିତ ହୋଇ ଚାଷଜମି ଓ ଜନ ବସତି ଆଡ଼କୁ ମୁହାଁଉଛି। ଅପରପକ୍ଷରେ ଗେଙ୍ଗୁଟି ନଦୀର ଜଳସ୍ତର ବୃଦ୍ଧି ପାଇ ଶୁକ୍ରବାର ବିଳମ୍ବିତ ରାତିରେ କନକେଇ, ଗାଈଛନ୍ଧା ଓ ମଠମାହାରା ଏସକେପରେ ବନ୍ୟା ଜଳ ବାହାରି ବହୁ ଗ୍ରାମ ଓ ମୁଖ୍ୟ ରାସ୍ତା ଗୁଡ଼ିକ ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ଯାତାୟାତ ଠପ ରହିଛି।ଶନିବାର ସୁଦ୍ଧା ଧାମନଗର ବ୍ଲକର ପ୍ରାୟ ୨୪ ପଂଚାୟତ ୬୬ ଗ୍ରାମର ୫୪ ହଜାର ୩୩୨ ଲୋକ ଉକ୍ତ ବନ୍ୟାରେ ପ୍ରଭାବିତ ହୋଇଥିବା ବ୍ଲକ ପକ୍ଷରୁ ପ୍ରାଥମିକ ଆକଳନ କରାଯାଇଛି। ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବ୍ଲକର ଦିହୁଡି ଆନନ୍ଦପୁର, ଖଡିପଦା, ସୋହଡା, ପଧାନୀ, କରଦା,କୋଠାର, ବୟାଙ୍ଗଡିହ,ଭଟ୍ଟସାହି ଦଳାଙ୍ଗ, ଅର୍ଜୁନପୁର, ହସନାବାଦ, ନଦୀଗାଁ ଆଦି ପଂଚାୟତ ଗୁଡ଼ିକ ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଦୋବଲ-ଷେଣ୍ଢପୁର, ଖଡିପଦା-ଆନନ୍ଦପୁର, ଖଡିପଦା-କାଞ୍ଜିଆପାଳ, ବେଦପୁର-ସୋହଡା, ସୋହଡା-ପଧାନୀ,କୋଠାର-ଧାମନଗର,ଧୂଷୁରୀ-ହସନାବାଦ ଧାମନଗର-ଫଳପୁର ଆଦି ମୁଖ୍ୟ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ଆତଯାତ ବନ୍ଦ ରହିଛି। ସେହିପରି ଦୋବଲ ପକ୍କା ପୋଲ ଉପରେ ପ୍ରାୟ ୩ ଫୁଟର ବନ୍ୟା ଜଳ ପ୍ରବାହିତ ଯୋଗୁ ଯାତାୟତ ବନ୍ଦ ରହିଛି। ଲଗାଣ ବର୍ଷା ଓ ବନ୍ୟାରେ ଚାଷ ଜମି ଜଳମଗ୍ନ ହୋଇ ବୁଡ଼ି ରହିଛି। ପଧାନୀ ପଂଚାୟତର କଇଥାଡିହ, କଂଟିଦୋଳ, କଂଟଦା, ପଧାନୀ, ରାମରାକୂଳ, ଶଇଲ ଓ ଦାସପାରୀ ଓ ଖଡିପଦା ପଂଚାୟତ କାଞ୍ଜିଆପାଳ ଗ୍ରାମ ଆଦି ଗ୍ରାମର ଲୋକମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ହଜାର ହଜାର ହେକ୍ଟର ଚାଷଜମି ବନ୍ୟା ଜଳରେ ବୁଡ଼ି ରହିଥିବାରୁ ଧାନ ଚାଷ ଓ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି।କ୍ରମାଗତ ଭାବେ ବନ୍ୟା ପରିସ୍ଥିତି ଲାଗିରହିବା ଯୋଗୁଁ ବନ୍ୟା ବିପନ୍ନ ମାନେ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି।ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପରାମର୍ଶ ଅନୁଯାୟୀ ଏଡିଏମ ସରୋଜ ଦତ ବିଡିଓ ବନ ବିହାରୀ ଦିଣ୍ଢା,ତହସିଲଦାର ଜ୍ଞାନ ରଂଜନ ସାହୁ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ ପ୍ରମୁଖ ବିଭିନ୍ନ ବନ୍ୟାଂଚଳ ବୁଲି ଦେଖିବା ସଙ୍ଗେ ସଙ୍ଗେ ସ୍ଥିତି ନିରୀକ୍ଷଣ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande