
ଝାରସୁଗୁଡ଼ା, ୨୬ ସେପ୍ଟେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପାଳିତ ହେଉଥିବା ‘ସେବା ମାସ’ ଉପଲକ୍ଷେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ଶନିବାର କୋଲାବିରା ବିଜେପି ମଣ୍ଡଳ ପକ୍ଷରୁ ଲଇକେରା ବ୍ଲକର ସୋଡାମାଳ ପଂଚାୟତ ଅନ୍ତର୍ଗତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଏବଂ ଜାମମାଳଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଶିବିରର ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେବା ମାସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ସେ ମତବ୍ୟକ୍ତ କରିବା ସହ ଶିବିରକୁ ଆସିଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ସୁଲଭ ସ୍ୱାସ୍ଥ୍ୟସେବା ଲୋକଙ୍କ ନିକଟରେ ପହଂଚାଇବା ଆବଶ୍ୟକ ଏବଂ ଏଭଳି ଶିବିର ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ଚିକିତ୍ସା ସେବା ପାଇବାରେ ସହାୟକ ହେବ ବୋଲି ସେ କହିଥିଲେ।
ଶିବିରରେ ବିଭିନ୍ନ ବିଭାଗର ଡାକ୍ତରମାନେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ମହିଳା ରୋଗ ବିଶେଷଜ୍ଞ ଡା. ସୌମ୍ୟାରାଣୀ ପଟେଲ, ମେଡିସିନ ବିଶେଷଜ୍ଞ ଡା. ବାସୁଦେବ ମୁର୍ମୁ, ଡା. ରାଜକୁମାର ମାହୋଲିଆ, ଡା. ବିକାଶ କୁମାର, ଡା. ଏସ୍.କେ. ବୁଡ଼ା, ଓଥ୍ ଅଫିସର କ୍ଷିତିଶ ସିଂହ ପ୍ରମୁଖ ଚିକିତ୍ସା ସେବା ପ୍ରଦାନ କରିଥିଲେ। ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ରକ୍ତ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଂଟନ କରାଯାଇଥିଲା।
ସୋଡାମାଳଠାରେ ଅନୁଷ୍ଠିତ ଶିବିରରେ ୨୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା ଓ ରକ୍ତ ପରୀକ୍ଷା କରାଯାଇଥିବା ବେଳେ ଜାମମାଳ ଶିବିରରେ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତ ପରୀକ୍ଷା କରାଯାଇଥିଲା।
ସୋଡାମାଳ ଶିବିରରେ ବିଜେପି ମଣ୍ଡଳ ସଭାପତି ରାଜେଶ ଦାଶ, ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ, ଉପସଭାପତି ସଞ୍ଜୟ ପୂଜାରୀ, ସରପଂଚ ଚନ୍ଦନ ପଟ୍ଟନାୟକ, ସାଧାରଣ ସମ୍ପାଦକ ଲିଙ୍କନ ଟଣ୍ଡକାର, ମାନସ ଓଝା, ଲତିକା ସାହୁ, ସୌଦାମିନୀ କାଲୋ, କାର୍ତିକ ସାହୁ, ସସ୍ମିତା ଗାର୍ଡିଆ, ଶ୍ରଦ୍ଧାଞ୍ଜଳି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଜାମମାଳଠାରେ ଅନୁଷ୍ଠିତ ଶିବିରରେ ପାକେଲପଡ଼ା ମଣ୍ଡଳ ସଭାପତି କୁଳମଣି କିସାନ, ବିନୋଦ ବୁଦୁଲା, ନବୀନ ବୁଦୁଲା, ମୋଜିଲାଲ ଡନସନା, ମନମୋହନ କଂଶରାଲି, ସମିତିସଭ୍ୟ ବାବୁଛିପିଡ଼ିହି, ନବୀନ କର୍ତା, ପ୍ରଦୀପ ପ୍ରଧାନ, ଟିକେଶ୍ୱର ପୃଷେଠ, ନିର୍ମଳ ପଟେଲ, ସଂତୋଷିନୀ ବୁଦୁଲା, ଅନିତା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।
ଉଭୟ ଶିବିରକୁ ସଫଳ କରିବାରେ ବିଜେପି କର୍ମୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଓ କର୍ମଚାରୀମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ