
ଜୟପୁର, ୨୬ ସେପ୍ଟେମ୍ବର (ହି.ସ.) - କୋରାପୁଟ ଜିଲା ପ୍ରତ୍ୟେକ ଗ୍ରାମରେ ଦେଶି ମଦ ଭାଟି ପ୍ରତି ଦିନ ଗଢି ଉଠୁଛି । କୋରାପୁଟ ଜିଲାର ଜୟପୁର. କୁନ୍ଦୁରା, ବୈପାରିଗୁଡା, କୋଟପାଡ, ବୋରିଗୁମ୍ମା, ଲମତାପୁଟ, ନାରାୟଣରାଟଣା, ପଟାଙ୍ଗୀ, ନନ୍ଦପୁର ଭଳି ଉପାନ୍ତ ଅଂଚଳରେ ଦେଶି ମଦ ପ୍ରସ୍ତୁତ କରି ସହରକୁ ଚାଲାଣ କରାଯାଉଛି । ମଦ ବନ୍ଦ କରିବାକୁ ମହିଳା ମାନେ ପୋଲିସ ଥାନା ଅବକାରି ଥାନା ଘେରାଉ କରି ଚଢାଉ ଦାବି କରୁଛନ୍ତି । ଏମିତିକି ପୁରୁଷ ମାନେ ଘର ଭତା କାର୍ଡ, ଚାଉଳ କାର୍ଡ କୁ ବନ୍ଦକ ରଖି ମଦ ପିଇବା ସହ ମହିଳା ମାନଙ୍କୁ ଆକ୍ରମଣ କରୁଥିବା ଅଭେିଫାଗ କରୁଛନ୍ତି ।
ଜଗନ୍ନାଥ ଦାଶଙ୍କ ଭାଗବତ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ପରିଚିତ ରହିଥିଲା । ସଂଧ୍ୟାରେ ପ୍ରାୟ ଓଡ଼ିଆଣୀର ଘରେ ଭାଗବତ ଗୁଞ୍ଜରଣ ହେଉଥିଲା । ଘର କୋଣରୁ ସଂଧ୍ୟାରେ ଗୁଞ୍ଜରିତ ହେଉଥିଲା ‘କହଇ ଜଗନ୍ନାଥ ଦାଶ, ଭାଷା ପ୍ରବଧ ଭାଗବତ । ଏହା ବ୍ୟତୀତ ଗ୍ରାମାଂଚଳର କର୍ମଠ କୃଷକ ହେଉ ବା ଧାର୍ମିକ ପରାୟଣ ବ୍ୟକ୍ତି ବିଶେଷ ସଂଧ୍ୟା ସମୟରେ ସେହି ସମୟରେ ଗାଁ ମାନଙ୍କରେ ରହିଥିବା ଭାଗବତ କୋଠିରେ ଜମା ହେଉଥିଲା । ମନୋରଞ୍ଜନ ହେଉ ବା ଆଧ୍ୟାତ୍ମିକ ହେଉ ସଂଧ୍ୟାରେ ଭାଗବତ ପାଠ ହେଉଥିଲା । ଏହା ଉପରେ ଆଲୋଚନା ମଧ୍ୟ ହେଇଥିଲା । ଏହା ଦ୍ୱାରା ଗାଁରେ ଏକ ସକରାତ୍ମକ ଆଧ୍ୟାତ୍ମିକ ଭାବନା ଲୋକଙ୍କ ମଧ୍ୟରେ ଜାଗ୍ରତ ହେଉଥିଲା । ଯେଉଁଥି ପାଇଁ ଲୋକଙ୍କ ମଧ୍ୟରେ ଅସାମାଜିକ କାର୍ଯ୍ୟ କରିବାକୁ ଲୋକେ ପସନ୍ଦ କରୁନଥିଲେ । ଲୋକଙ୍କ ମଧ୍ୟରେ ଭାଗବତ ପଠନ ଯୋଗୁଁ ଏକତା, ଏକାଗ୍ରତା,ଭାତୃଭାବ ସୃଷ୍ଟି ହେଉଥିଲା । ଏଠାରେ ଗାଁର ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୁଡ଼ିକ ପାରିତ ହେଉଥିଲା । ସେତେବେଳେ ଗାଁ ମାନଙ୍କରେ ମଦ୍ୟପ ନଥିଲେ କହିଲେ ଚଳେ । ଭାଗବତ ପାଠ ସମୟରେ ମଦୂଆମାନେ ମଦ ପିଇଥିଲେ ମଧ୍ୟ ଭାଗବତ ଟୁଙ୍ଗୀ ପାଖ ମାଡୁ ନଥିଲେ । ସମୟ ବଦଳି ଯାଇଛି । ଏବେ ଗାଁ ମାନଙ୍କରେ ଥିବା ଭାଗବତ ଟୁଙ୍ଗୀର ଦେଖା ନାହିଁ । ଟୁଙ୍ଗୀ ଗୁଡିକ ଧିରେ ଧିରେ ବ୍ଲକ, ପାଠାଗାର ସ୍ଥାନ ନେଇ ଯାଇଛି । ଏଠାରେ ଭୋଟ ଦେବା, ଗାଁରେ ମଦଭାଟି ହେବ, ଭୋଜିଭାତ ହେବ, କାହାକୁ ବିରୋଧ କରିବେ, କାହାର କଣ କରାଯିବ ସେଠାରେ ଆଲୋଚନା ଶିବିର ପାଲଟି ଯାଇଛି । ଭାଗବତ ଟୁଙ୍ଗୀ ପ୍ରାୟ ଗାଁମାନଙ୍କରେ ବିଲୁପ୍ତ ପ୍ରାୟ ଅବସ୍ଥାକୁ ଚାଲି ଯାଇଥିବା ବେଳେ ଦେଶୀ ମଦଭାଟି ଗୁଡ଼ିକ ଏବେ ରାଜ କରୁଛି। ପ୍ରତ୍ୟେକ ଗାଁ ଭିତରେ, ଗାଁ ମୁଣ୍ଡରେ ଏକ ପାନ ଦୋକାନ ନାମକୁ ମାତ୍ର ରହିଥିବା ବେଳେ ସେଠାରେ ଦେଶୀ କୁଡିଆ, ଭାଟି ମଦ ବିକ୍ରି ଚାଲିଛି । ତା ପାଖକୁ ଲାଗି ରହିଛି ଏକ ବଡ କାଠ ଗଣ୍ଠି ପୋତା ହୋଇବାର, ଯାହାକୁ ଦେଖିଲେ ଜଣାଯାଏ ଯେ ଏଠାରେ କୁକୁଡା ମାଂସ, ଚାଖନା ପୁଟାର ଏକ ଆଡା । ଖୁଂଟକୁ ଦେଖିଲେ ମଦୁଆ ଅନୁମାନ କରି ନିଏ ଯେ ଏହାର ଆଖପାଖରେ ନିଶ୍ଚୟ ମଦ ମିଳିବ । ଗୋଟିଏ ଗାଁରେ ଏକାଧିକ ମଦଭାଟି ଦେଖିବାକୁ ମିଳୁଛି । ବିକ୍ରେତାମାନେ ଗାଁର କୁଜି ଟାଉଟର ମାନଙ୍କୁ ହାତକରି ଗାଁର ମନ୍ଦିର ନିର୍ମାଣ, ବିଦ୍ୟାଳୟ ପରିଚାଳନା ପାଇଁ ଗାଁକୁ କିଛି ଟଙ୍କା ଦେବାକୁ ପ୍ରବତାଇ ଥାନ୍ତି । ଏହା ସହିତ ସେମାନଙ୍କୁ ନିୟମିତ ମଦ ଓ ମାଂସ ଦେଇଥାନ୍ତି । ବଦଳରେ ଗାଁ ମୁଖିଆ ବୋଲାଉଥିବା ଟାଉଟର, ଦ୍ରୋହୀମାନେ ମଦଭାଟି ଦେବାରେ ସହଯୋଗ କରିଥାନ୍ତି । ଏହାକୁ ସହଯୋଗ କରିଥାନ୍ତି ନିର୍ବାଚିତ ଜନପ୍ରତିନିଧି । ଗାଁରେ ଯଦି ମଦଭାଟି ହେବ ସେମାନେ ସେଠାରୁ ନିୟମିତ ଖାଇପିଇ ପାରିବେ । ତାଙ୍କର ବୋଲକରା ହେବେ । ଦରକାର ସମୟରେ ଅନିୟମିତତା, ଦୁର୍ନୀତି କାମରେ ତାଙ୍କର ବାହୁବଳୀ ହୋଇ ସହଯୋଗ କରିବେ । ଯାହା ଦ୍ୱାରା ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି । ସମୟ ବଦଳି ଯାଇଛି । ମଦୁଆମାନଙ୍କୁ ଦେଖିଲେ ଗାଁର ସଭା ସମିତି, ଆଧ୍ୟାତ୍ମିକ ବୈଠକ ବନ୍ଦ କରି ଭୟରେ ସେ ସ୍ଥାନ ଛାଡି ଲୋକେ ଚାଲି ଯାଉଛନ୍ତି । ନିଶା ଯୋଗୁଁ ଲୋକଙ୍କ ପାଖରେ ମାନବିକତା ଗୁଣ କମି ଯାଇଛି । ଯାହାଦ୍ୱାରା ଚୋରି, ହତ୍ୟା, ଅପହରଣ, ଦୁଷ୍କର୍ମ ଭଳି ଅସାମାଜିକ କାର୍ଯ୍ୟ ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ବିଜେଡି ସରକାର ଭାଗବତ ଟୁଙ୍ଗୀର ପୁନଃରୁଦ୍ଧାର ପାଇଁ ଚଷ୍ଟାକରି ଆସିଥିଲେ ମଧ୍ୟ ମଦକୁ ବନ୍ଦ ନକରିବାରୁ ଏହାର ଫଳପ୍ରଦ ହୋଇପାରି ନଥିଲା । କାଳିଆ ଯୋଜନା, ପିଏମ କିଷାନ ଯୋଜନା ମଦୁଆଙ୍କୁ ସୁହାଇଲା ଭଲି ହୋଇଯାଇଥିଲା । ଏହି ଟଙ୍କା ପାଇଲା ଦିନ ବ୍ୟାଙ୍କ ଓ ଏଟିଏମ ଗୁଡ଼ିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିବା ବେଳେ ସଂଧ୍ୟାରେ ମଦଭାଟି ଗୁଡ଼ିକରେ ଅଧିକାଂଶ ଟଙ୍କା ଉଡି ଯାଉଥିଲା । ବର୍ତମାନ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନା ଯେତିକି ଆବଶ୍ୟକ ନୁହେଁ, ଏମାନଙ୍କ ଉନ୍ନତି ପାଇଁ ମଦ ବନ୍ଦ ହେବା ଜରୁରୀ ବୋଲି ସଚେତନ ମହିଳା ପ୍ରକାଶ କରିଛନ୍ତି । ସୁଭଦ୍ରା ଯୋଜନା ଅପେକ୍ଷା ମଦଭାଟି ବନ୍ଦ ହେଲେ ମହିଳାମାନେ ସୁରକ୍ଷିତ ରହିପାରିବେ ବୋଲି ମତ ପ୍ରକାଶ ପାଇଛି । କୋରାପୁଟ ଜିଲାର ଜୟପୁର କୁନ୍ଦୁରା, ବୋରିଗୁମ୍ମା ରେ ମହିଳା ମାନେ ଗ୍ରାମରେ ମଦ ବନ୍ଦ କରିବା ପାଇ ବାରମ୍ବାର ମଦ ବନ୍ଦ କରିବାକୁ ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ଲକ୍ଷ୍ୟ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି