
ଜୟପୁର, ୨୬ ସେପ୍ଟେମ୍ବର (ହି.ସ.) - ପରଜା ସମାଜର ୨୩ତମ ପ୍ରତିଷ୍ଠା ଦିବସ କୁମୁଲିପୁଟ ଠାରେ ଶନିବାର ପାଳିତ ହୋଇଯାଇଛି। ଜିଲ୍ଲା ପରଜା ସମାଜ ସଭାପତି କମଳୁ ଜାନିଙ୍କ ଅଧ୍ୟକ୍ଷତାରେ ହରଡ଼ାପୁଟ ଛକଠାରେ ସମାଜର ପ୍ରତିଷ୍ଠାତା ସ୍ୱର୍ଗତ ଡମ୍ବୁରୁ ନାୟକଙ୍କ ପ୍ରତିମୂର୍ତିରେ ସମାଜ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ସ୍ୱର୍ଗତ ସୋନୁ ମାଝୀ, ସ୍ୱର୍ଗତ ଭୂପେନ ଜାନୀ, ସ୍ୱର୍ଗତ ଟଙ୍କଧର ଜାନୀ ଓ ସ୍ୱର୍ଗତ ସୋନିଆ ଜାନୀଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ହରଡ଼ାପୁଟ ଛକରୁ କୁମୁଲିପୁଟ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ପାରମ୍ପରିକ ପରଜା ବେଶପୋଷାକରେ ସଜ୍ଜିତ ହୋଇ ଶତାଧିକ ଲୋକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଆଦିବାସୀ ପାରମ୍ପରିକ ନୃତ୍ୟ ସାଇଲୋଡ଼ି, ଢେମସା ସହ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ ଶୋଭାଯାତ୍ରାକୁ ଆକର୍ଷଣୀୟ କରିଥିଲା। ପରଜା ସମାଜର ପାରମ୍ପରିକ କଳା, ସଂସ୍କୃତି ଓ ବେଶପୋଷାକର ପ୍ରଦର୍ଶନ ମାଧ୍ୟମରେ ନିଜ ଐତିହ୍ୟକୁ ସୁରକ୍ଷିତ ରଖିବାର ବାର୍ତା ଦିଆଯାଇଥିଲା। ପରେ କୁମୁଲିପୁଟଠାରେ ପ୍ରତିଷ୍ଠା ଦିବସ ଅବସରରେ ଆବାହକ ତ୍ରିନାଥ ମୁଦୁଲିଙ୍କ ଦ୍ୱାରା ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜୟପୁର ଡିଆଇଇଟିର ଅଧ୍ୟକ୍ଷା ମମତା ଝୋଡ଼ିଆ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଝିନ୍ନ ହିକକା, ବିଜେପି ଜିିଲ୍ଲା ସଭାପତି ଶିବ ମୁଦୁଲି ଏବଂ ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ହରିଶ ଚନ୍ଦ୍ର ମୁଦୁଲି, ଉଦୟନାଥ ଖୋରା, ଶ୍ରୀକାନ୍ତ ଜାନୀ, ବିଶାଳ ଜାନୀ, ରାମ ଜାନୀ, ଭଗବାନ ଜାନୀ, ମଦନ କିର୍ଶାନି, ପଦ୍ମନାଭ ଜାନୀ, ଭଗବାନ ପେଟିଆ, ପଟ୍ଟାଙ୍ଗିର ସୁନୀଲ ପେଦାକାପୁ, ଗୋବିନ୍ଦ ଖୋରା ଓ ଭଗବାନ ଖୋରା ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି