ଝାରସୁଗୁଡ଼ାରେ ସମବାୟ ସଦସ୍ୟତା ମହାଅଭିଯାନ ‘ ସମ୍ବନ୍ଧ’ର ଶୁଭାରମ୍ଭ
ଝାରସୁଗୁଡ଼ା, ୨୬ ସେପ୍ଟେମ୍ବର (ହି.ସ.)- ସମବାୟ ବ୍ୟବସ୍ଥାକୁ ଆହୁରି ସଶକ୍ତ ଓ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସମବାୟ ଆନ୍ଦୋଳନ ସହ ଯୋଡ଼ିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ‘ମେଗା ସଦସ୍ୟତା ମହାଅଭିଯାନ–ସମ୍ବନ୍ଧ’ର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ
ଝାରସୁଗୁଡ଼ାରେ ସମବାୟ ସଦସ୍ୟତା ମହାଅଭିଯାନ ‘


ଝାରସୁଗୁଡ଼ା, ୨୬ ସେପ୍ଟେମ୍ବର (ହି.ସ.)- ସମବାୟ ବ୍ୟବସ୍ଥାକୁ ଆହୁରି ସଶକ୍ତ ଓ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସମବାୟ ଆନ୍ଦୋଳନ ସହ ଯୋଡ଼ିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ‘ମେଗା ସଦସ୍ୟତା ମହାଅଭିଯାନ–ସମ୍ବନ୍ଧ’ର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଡେପୁଟି କଲେକ୍ଟର ଅମ୍ରିତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ସଞ୍ଜୟ ସିଂହ, ମାନ୍ୟବର ଝାରସୁଗୁଡ଼ା ବିଧାୟକଙ୍କ ପ୍ରତିନିଧି ରାଜେଶ ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାଗ୍ୟଶ୍ରୀ ପାଢ଼ୀ, ଅଧୀକ୍ଷଣ ଯନ୍ତ୍ରୀ, ଆର୍ ଆଣ୍ଡ୍ ବି ଜିତେନ୍ଦ୍ର ମେହେର, ସମ୍ବଲପୁରୀ ଦୁଗ୍ଧ ସଂଘର ଜେନେରାଲ୍ ମ୍ୟାନେଜରଙ୍କ ପ୍ରତିନିଧି ସୁପ୍ରଭା ଦାସ ପ୍ରମୁଖ ଯୋଗଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ସମବାୟ ବିଭାଗର ଉପନିବନ୍ଧକ ମମତା ରାଣୀ କୁଜୁରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ପୁଷ୍ପାଞ୍ଜଳି ସାହୁ ମଞ୍ଚ ପରିଚାଳନା କରିଥିଲେ।

‘ସମ୍ବନ୍ଧ’ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମରେ ଜଣେ ସଦସ୍ୟଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା। ଏହା ମାଧ୍ୟମରେ ଗ୍ରାମୀଣ ପରିବାରଗୁଡ଼ିକୁ ସମବାୟର ବିଭିନ୍ନ ସେବା, ସୁବିଧା ଓ କାର୍ଯ୍ୟକଳାପ ସହ ଅଧିକ ସକ୍ରିୟ ଭାବେ ଯୋଡ଼ାଯିବ। କାର୍ଯ୍ୟକ୍ରମ ଅବସରରେ ଆଭାସୀ ମାଧ୍ୟମରେ ସମବାୟ ବିଭାଗର ବିଭିନ୍ନ ଯୋଜନା ଓ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରାଯାଇଥିଲା। ଏଥିରେ ସମବାୟ ସଦସ୍ୟତା ମହାଅଭିଯାନ, ପାକ୍ସ ଧାନ କ୍ରୟ କେନ୍ଦ୍ରର ନୂତନ ଭିତ୍ତିଭୂମି, ବୃହତ୍ ଶସ୍ୟ ଗୋଦାମ, ପାକ୍ସର ଗୋଦାମ ଓ କାର୍ଯ୍ୟାଳୟ ଗୃହ, ବହୁବିଧ ବ୍ୟବସାୟ କେନ୍ଦ୍ର ଆଦି ସାମିଲ ଥିଲା। ସମଗ୍ର ରାଜ୍ୟରେ ସମବାୟ କ୍ଷେତ୍ରର ଭିତ୍ତିଭୂମି ଓ ସେବାକୁ ଆହୁରି ସୁଦୃଢ଼ କରିବା ସହ ଡିଜିଟାଲ୍ ମାଧ୍ୟମରେ ସଦସ୍ୟତା ପ୍ରକ୍ରିୟାକୁ ସହଜ ଓ ସ୍ୱଚ୍ଛ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଝାରସୁଗୁଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ପ୍ରସାରିତ ଏହି କାର୍ଯ୍ୟକ୍ରମ ସହ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ଓ ସଦସ୍ୟା ଯୋଡ଼ି ଏହାର ସିଧା ପ୍ରସାରଣ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପୂର୍ବତନ ସମବାୟ ଅଧିକାରୀ ବନମାଳୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ସହକାରୀ ନିବନ୍ଧକ, ଆର୍ଏମ୍ସି କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ସମବାୟ ସମିତିର ସଦସ୍ୟ, କୃଷକ, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande