
ଝାରସୁଗୁଡ଼ା, 26 ସେପ୍ଟେମ୍ବର (ହି.ସ.) ପଶ୍ଚିମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସ ଓ ସଂଗ୍ରାମୀଙ୍କ ତ୍ୟାଗକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ଝାରସୁଗୁଡ଼ାରେ ଏକ ‘ୱାର୍ ମେମୋରିଆଲ’ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିକଟରେ ଲିଖିତ ପ୍ରସ୍ତାବ ଦେଇଛନ୍ତି।
ପ୍ରସ୍ତାବରେ ବୀର ସୁରେନ୍ଦ୍ର ସାଏଙ୍କ ସମେତ ନିର୍ମଳ ମୁଣ୍ଡା, ମାଦ୍ରି କାଲୋ, ରିଣ୍ଡା ମାଝୀ, ମାଧା ସିଂହ ବାରିହା, ଲକ୍ଷ୍ମଣ ନାୟକ, ଧରଣୀଧର ନାୟକ, ରନ୍ ନାୟକ ଓ ଛବିଲ ସାଇଙ୍କ ଭଳି ସଂଗ୍ରାମୀଙ୍କ ବୀରତ୍ୱ ଓ ବଳିଦାନକୁ ସ୍ମରଣ କରାଯାଇଛି।
ବିଧାୟକଙ୍କ ପ୍ରସ୍ତାବ ଅନୁଯାୟୀ, ପ୍ରସ୍ତାବିତ ସ୍ମାରକରେ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ, ସଂଘର୍ଷ ଓ ଐତିହାସିକ ଘଟଣାଗୁଡ଼ିକୁ ମୂର୍ତ୍ତି, ଗ୍ୟାଲେରୀ, ଦୃଶ୍ୟ ପ୍ରଦର୍ଶନୀ ଓ ଇଣ୍ଟରଆକ୍ଟିଭ୍ ବ୍ୟବସ୍ଥା ମାଧ୍ୟମରେ ପ୍ରଦର୍ଶିତ କରାଯାଇପାରିବ। ଏହା ମାଧ୍ୟମରେ ପଶ୍ଚିମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଇତିହାସକୁ ସଂରକ୍ଷଣ କରିବା ସହ ଯୁବପିଢ଼ିଙ୍କୁ ସଂଗ୍ରାମୀଙ୍କ ତ୍ୟାଗ ଓ ଅବଦାନ ସମ୍ପର୍କରେ ଜାଣିବାର ସୁଯୋଗ ମିଳିବ।
ଝାରସୁଗୁଡ଼ାର ଭୌଗୋଳିକ ଅବସ୍ଥିତି ଓ ଉତ୍ତମ ଯୋଗାଯୋଗ ବ୍ୟବସ୍ଥାକୁ ସ୍ମାରକ ପ୍ରତିଷ୍ଠା ପାଇଁ ଅନୁକୂଳ ବୋଲି ପ୍ରସ୍ତାବରେ ଦର୍ଶାଯାଇଛି। ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର, ପ୍ରମୁଖ ରେଳ ଜଙ୍କସନ୍ ଓ ଶିଳ୍ପ ପ୍ରତିଷ୍ଠାନ ଥିବାରୁ ଝାରସୁଗୁଡ଼ା ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ପ୍ରବେଶଦ୍ୱାର ଭାବେ ପରିଚିତ। ଏଠାରୁ ବୁର୍ଲାସ୍ଥିତ ଭିଏସ୍ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲ, ସମ୍ବଲପୁରର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନକୁ ଯାତାୟାତ ସୁବିଧା ରହିଛି।
ସ୍ମାରକ ପ୍ରତିଷ୍ଠା ହେଲେ ଏହା ଐତିହାସିକ ଶିକ୍ଷା ସହ ସାଂସ୍କୃତିକ ପର୍ଯ୍ୟଟନର ଏକ ନୂଆ କେନ୍ଦ୍ର ଭାବେ ବିକଶିତ ହୋଇପାରିବ ବୋଲି ବିଧାୟକ ମତ ଦେଇଛନ୍ତି। ପ୍ରସ୍ତାବିତ ପ୍ରକଳ୍ପକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମାଧ୍ୟମରେ ଅର୍ଥ ଯୋଗାଣ କରିବାକୁ ସେ ପ୍ରସ୍ତାବ ରଖିଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଓ ଐତିହ୍ୟ ସୁରକ୍ଷା ସହ ପର୍ଯ୍ୟଟନ ବିକାଶ ଦୃଷ୍ଟିରୁ ପ୍ରକଳ୍ପକୁ ଶୀଘ୍ର ଅନୁମୋଦନ ଓ କାର୍ଯ୍ୟାନ୍ୱୟନ କରିବାକୁ ସେ ଅନୁରୋଧ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ