
ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.) - ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରେବ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଧାମନଗର ବ୍ଲକ ଭଗବାନପୁର ପଂଚାୟତର ଇଚ୍ଛଦା ଓ ବ୍ରହ୍ମପୁର ଗ୍ରାମର ପ୍ରାୟ ୨ ଶହ ପରିବାର ଜଳବନ୍ଦୀ ହୋଇପଡ଼ିଛନ୍ତି। ତଳିଆ ଅଂଚଳରେ ବନ୍ୟାଜଳ ଜମି ରହିବା ସହ କେତେକ ଘର ଭିତରକୁ ପାଣି ପଶିଛି। ଲଗାଣ ବର୍ଷାରେ ଦୁଇ ଗ୍ରାମର ଅନେକ ମାଟି ଘର ର କାନ୍ଥ ଭୁଶୁଡ଼ି ପଡ଼ିଛି। ଚାରିଦିନ ଧରି ଅନେକ ପରିବାର ଘରୁ ବାହାରି ନପାରି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। କେତେକ ପରିବାରଙ୍କୁ ପଲିଥିନ୍ ମିଳିଥିଲେ ମଧ୍ୟ ଅନେକ ପ୍ରଭାବିତ ପରିବାର ଏବେ ବି ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି। ଶନିବାର ଭଗବାନପୁର ପଂଚାୟତ ବିଜେଡିର ଏକ ପ୍ରତିନିଧି ଦଳ ଇଚ୍ଛଦା ଓ ବ୍ରହ୍ମପୁର ଗ୍ରାମର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ। ଜଳବନ୍ଦୀ ପରିବାରଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ। କ୍ଷତିଗ୍ରସ୍ତ ପରିବାରଙ୍କୁ ଚିହ୍ନଟ କରି ତୁରନ୍ତ ରିଲିଫ ଓ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି।ପରିଦର୍ଶନରେ ପଂଚାୟତ ସମିତି ସଭ୍ୟ ସୁଦୀପ୍ତ ଖଟୁଆ, ନାଏବ ସରପଂଚ ତଥା ବିଜେଡି ପଂଚାୟତ ସଭାପତି ଗୌରାଙ୍ଗ ଦାସ, ବରିଷ୍ଠ ନେତା ସୁରେନ୍ଦ୍ର ନନ୍ଦୀ, ନରୋତମ ଦେ, ଯୁବନେତା ମୋହନ ବେହେରା, ଚକ୍ରଧର ରାଉତ, ଅଶୋକ ରାଉତ, କାଳନ୍ଦୀ ଜେନା ଏବଂ ୱାର୍ଡ ସଭ୍ୟା ବାସନ୍ତୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ