
ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର (ହି.ସ.)। ଭଜନ କ୍ଲବିଂକୁ ନେଇ କଂଗ୍ରେସର ବୟାନକୁ ଭାରତୀୟ ସଂସ୍କୃତି, ଭକ୍ତି ପରମ୍ପରା ଓ ସନାତନ ମୂଲ୍ୟବୋଧର ଅପମାନ ବୋଲି କହିଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ତରୁଣ ଚୁଗ୍। ସେ କହିଛନ୍ତି ଯେ, ସମଗ୍ର ବିଶ୍ୱରେ ଭାରତୀୟ ଭଜନ ଓ ଭକ୍ତି ସଙ୍ଗୀତ ପ୍ରତି ଯୁବପିଢ଼ିର ଆକର୍ଷଣ ବଢ଼ୁଛି। ଦେଶ ଓ ବିଦେଶର ଯୁବକ-ଯୁବତୀମାନେ ‘ଭଜନ କ୍ଲବିଂ’ ଭଳି ନୂଆ ମାଧ୍ୟମ ଜରିଆରେ ଭାରତୀୟ ଆଧ୍ୟାତ୍ମିକ ପରମ୍ପରା ସହ ଯୋଡ଼ି ହେଉଛନ୍ତି।
ଶନିବାର ‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ଚୁଗ୍ କହିଛନ୍ତି ଯେ, କଂଗ୍ରେସର କିଛି ନେତା ଏବେ ବି “ଇଟାଲୀର ଚଷମା” ଦେଇ ଭାରତକୁ ଦେଖୁଛନ୍ତି ଏବଂ ନିଜ ରାଜନୀତି ପାଇଁ ଭାରତୀୟ ସଂସ୍କୃତିର ପରିହାସ କରୁଛନ୍ତି। ଇତିହାସରେ ମଧ୍ୟ ଭକ୍ତି ପରମ୍ପରାକୁ ବିରୋଧ କରିଥିବା ଶକ୍ତି ରହିଛି ଏବଂ ଆଜି ସେହି ମାନସିକତା ନୂଆ ରୂପରେ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି। ଏହାକୁ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରି ଚୁଗ୍ କହିଛନ୍ତି ଯେ, ଭାରତୀୟ ଭକ୍ତି ଓ ଆଧ୍ୟାତ୍ମିକ ପରମ୍ପରା ପ୍ରତି ଯୁବପିଢ଼ିର ବଢ଼ୁଥିବା ଆଗ୍ରହକୁ ବୁଝିବା ଆବଶ୍ୟକ।
ଉଲ୍ଲେଖନୀୟ ଯେ, କଂଗ୍ରେସ ନେତା ପ୍ରିୟାଙ୍କ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଅଭିଯୋଗ କରିଛନ୍ତି ଯେ, ତାଙ୍କ ପାଖରେ “ଭଜନ କ୍ଲବିଂ” ଭଳି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସମୟ ରହିଛି, କିନ୍ତୁ ନିର୍ବାଚନ କମିଶନ ଓ ଗଣତନ୍ତ୍ର ସହ ଜଡ଼ିତ ଗୁରୁତର ପ୍ରଶ୍ନର ଉତ୍ତର ଦେବା ପାଇଁ ସମୟ ନାହିଁ। ଗତ ୧୩ ବର୍ଷ ଧରି କଠିନ ପ୍ରଶ୍ନ ସାମ୍ନାକୁ ଆସିଲେ ସରକାରଙ୍କ ପକ୍ଷରୁ ଉତ୍ତରଦାୟିତ୍ୱ ପରିବର୍ତ୍ତେ ନିରବତାର ଆଭିମୁଖ୍ୟ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି। ଯେଉଁଠାରେ ଉତ୍ସବ ଓ ସମାରୋହ ହୁଏ, ସେଠାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଦେଖିବାକୁ ମିଳେ, କିନ୍ତୁ ଉତ୍ତରଦାୟିତ୍ୱ ସହ ଜଡ଼ିତ ପ୍ରଶ୍ନ ଉଠିଲେ ତାଙ୍କ ନିରବତା ଦେଖିବାକୁ ମିଳୁଛି ବୋଲି ପ୍ରିୟାଙ୍କ ଖଡଗେ ଅଭିଯୋଗ କରିଛନ୍ତି।
--------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ