ଉତ୍ତରପ୍ରଦେଶରେ ବର୍ଷା ଓ ଝଡ଼ତୋଫାନର ତାଣ୍ଡବ, ୧୫ ମୃତ; ୧୧୭ ଘର କ୍ଷତିଗ୍ରସ୍ତ
ଲକ୍ଷ୍ନୌ, ୨୬ ସେପ୍ଟେମ୍ବର (ହି.ସ.)। ଉତ୍ତରପ୍ରଦେଶରେ ଗତ ପ୍ରାୟ ୪୮ ଘଣ୍ଟା ଧରି ଜାରି ରହିଥିବା ବର୍ଷା ଓ ଝଡ଼ତୋଫାନ ଯୋଗୁଁ ବିଭିନ୍ନ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ୧୧୭ଟି ମାଟି ଓ ଜରାଜୀର୍ଣ୍ଣ ଘର କ୍ଷତିଗ୍ରସ୍ତ ହୋଇଛି। ୫ ଜଣ ଆହତ ହୋଇଥିବାବେଳେ ୪ଟି ପଶୁହାନି ହୋଇଥିବା ସୂଚନା ମ
उत्तर प्रदेश में बारिश के चलते जनजीवन असर


ଲକ୍ଷ୍ନୌ, ୨୬ ସେପ୍ଟେମ୍ବର (ହି.ସ.)। ଉତ୍ତରପ୍ରଦେଶରେ ଗତ ପ୍ରାୟ ୪୮ ଘଣ୍ଟା ଧରି ଜାରି ରହିଥିବା ବର୍ଷା ଓ ଝଡ଼ତୋଫାନ ଯୋଗୁଁ ବିଭିନ୍ନ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ୧୧୭ଟି ମାଟି ଓ ଜରାଜୀର୍ଣ୍ଣ ଘର କ୍ଷତିଗ୍ରସ୍ତ ହୋଇଛି। ୫ ଜଣ ଆହତ ହୋଇଥିବାବେଳେ ୪ଟି ପଶୁହାନି ହୋଇଥିବା ସୂଚନା ମିଳିଛି।

ରାଜ୍ୟ ରିଲିଫ କମିଶନର ଡ. ହୃଷିକେଶ ଭାସ୍କର ଯଶୋଦ କହିଛନ୍ତି ଯେ, ଗତ ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ଜାରି ରହିଥିବାରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟର ନିରନ୍ତର ସମୀକ୍ଷା କରାଯାଉଛି। ଶନିବାର ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ଅତ୍ୟଧିକ ବର୍ଷାରେ ପ୍ରଭାବିତ ପରିବାରଗୁଡ଼ିକୁ ବ୍ୟକ୍ତିଗତ ଭାବେ ଭେଟି ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରିଲିଫ କମିଶନରଙ୍କ ଅନୁସାରେ, ଅତ୍ୟଧିକ ବର୍ଷା ଓ ଝଡ଼ତୋଫାନ ଯୋଗୁଁ ଆମେଠି, ବହରାଇଚ, ବାନ୍ଦା, ବାରାବଙ୍କି, ବସ୍ତି, ଫତେହପୁର, ହମୀରପୁର, ହରଦୋଇ ଓ କାନପୁର ନଗରରେ ଜଣେ ଲେଖାଏଁ, ଅଯୋଧ୍ୟାରେ ୨ ଜଣ ଏବଂ ଲଖୀମପୁର ଖେରୀରେ ୪ ଜଣଙ୍କ ମୃତ୍ୟୁ ଘଟିଛି।

ଲଖୀମପୁର ଖେରୀ ଜିଲ୍ଲାର ନୀମଗାଓଁ ଅଞ୍ଚଳର ରହମତପୁର ଗ୍ରାମରେ ବର୍ଷା ସମୟରେ କଚ୍ଚା ଘର ଭୁଶୁଡ଼ି ପଡ଼ିବାରୁ ଦମ୍ପତି ଓ ସେମାନଙ୍କ ପୁଅ ମାଟିତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି। ଗ୍ରାମବାସୀ ମାଟି ହଟାଇ ତିନିଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ହମୀରପୁର ଜିଲ୍ଲାର ସରିଲା ତହସିଲ ଅନ୍ତର୍ଗତ ଜଲାଲପୁର ଥାନା ଅଞ୍ଚଳର ଭେଡ଼ି ଡାଣ୍ଡା ଗ୍ରାମରେ ପୁରୁଣା ଘରର ଛାତ ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୬୦ ବର୍ଷୀୟା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବହରାଇଚର କୈସରଗଞ୍ଜ ଅଞ୍ଚଳରେ ଛପର ଭୁଶୁଡ଼ି ଜଣେ ମଧ୍ୟବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଛି। ସନ୍ତକବୀରନଗରରେ ପ୍ରବଳ ବର୍ଷା ସମୟରେ ଗଛ ଉପୁଡ଼ି ପଡ଼ିବାରୁ ବାଇକ୍ରେ ଯାଉଥିବା ୪୫ ବର୍ଷୀୟ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ରାଜ୍ୟର ୬୩ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ସମଗ୍ର ରାଜ୍ୟରେ ସ୍ୱାଭାବିକ ତୁଳନାରେ ୧୯ ଗୁଣ ଅଧିକ ବର୍ଷା ହୋଇଛି। ଫରୁଖାବାଦରେ ସ୍ୱାଭାବିକଠାରୁ ଅନେକ ଗୁଣ ଅଧିକ ବର୍ଷା ହୋଇଥିବାବେଳେ କାନପୁର ନଗର, କନୌଜ, କାନପୁର ଦେହାତ ଓ ହରଦୋଇରେ ମଧ୍ୟ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି। ଭଦୋହି, ଦେଓରିଆ ଓ ଆଲିଗଡ଼ରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ଗାଜୀପୁରରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି। ବାଗପତ, ଗାଜିଆବାଦ, ମଥୁରା, ମୁଜାଫରନଗର, ସାହାରନପୁର, ଶାମଲି, ଗୌତମବୁଦ୍ଧ ନଗର ଓ ହାପୁଡ଼ରେ ବର୍ଷା ହୋଇନାହିଁ।

ଲକ୍ଷ୍ନୌସ୍ଥିତ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଅତୁଲ କୁମାର ସିଂହ କହିଛନ୍ତି ଯେ, ରାଜ୍ୟରେ ଏକାଧିକ ପାଣିପାଗ ପ୍ରଣାଳୀ ସକ୍ରିୟ ରହିଥିବାରୁ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଇଛି। ଫଳରେ ବର୍ଷା ଜାରି ରହିଛି। ଶନିବାର ରାତିରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। କେତେକ ସ୍ଥାନରେ ପବନର ବେଗ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ସେପ୍ଟେମ୍ବର ୨୭ରେ ମଧ୍ୟ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିବାର ଆକଳନ କରାଯାଇଛି।

ଖରାପ ପାଗ ଯୋଗୁଁ କାଶୀରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ହେଲିକପ୍ଟର ଉଡ଼ାଣ କରିପାରିନଥିଲା। ଏହା ପରେ ସେ ସଡ଼କ ପଥରେ କାର୍ ଯୋଗେ ଗାଜୀପୁରର ଏକ କାର୍ଯ୍ୟକ୍ରମକୁ ଯାଇଥିଲେ।

ଅନ୍ୟପକ୍ଷରେ, ପ୍ରବଳ ବର୍ଷା ଓ କମ୍ ଦୃଶ୍ୟମାନତାର ପ୍ରଭାବ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରର ବିମାନ ଚଳାଚଳ ଉପରେ ପଡ଼ିଛି। କମ୍ ଦୃଶ୍ୟମାନତା କାରଣରୁ ୬ଟି ବିମାନ ଲକ୍ଷ୍ନୌରେ ଅବତରଣ କରିପାରିନଥିଲା ଏବଂ ସେଗୁଡ଼ିକୁ ଦିଲ୍ଲୀ ଓ ନୋଏଡା ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ହାଇଦ୍ରାବାଦରୁ ଆସିଥିବା ଇଣ୍ଡିଗୋ ବିମାନକୁ ଦିଲ୍ଲୀ, ଗୋଆ ଓ ଇନ୍ଦୋରରୁ ଆସିଥିବା ଇଣ୍ଡିଗୋ ବିମାନଗୁଡ଼ିକୁ ନୋଏଡାକୁ ପଠାଯାଇଥିଲା। ବେଙ୍ଗାଲୁରୁରୁ ଆସିଥିବା ଇଣ୍ଡିଗୋ ବିମାନ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଗୋଟିଏ ବିମାନକୁ ମଧ୍ୟ ଦିଲ୍ଲୀ ଡାଇଭର୍ଟ କରାଯାଇଥିଲା। ଖରାପ ପାଗ ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଲକ୍ଷ୍ନୌରେ ହେଲ୍ପଲାଇନ ନମ୍ବର ଜାରି

ବର୍ଷା ଓ ଜଳବନ୍ଦୀ ସମ୍ପର୍କିତ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଲକ୍ଷ୍ନୌ ନଗର ନିଗମ ପକ୍ଷରୁ କଣ୍ଟ୍ରୋଲ ରୁମ୍ର ଟୋଲ୍ ଫ୍ରି ନମ୍ବର ୧୫୩୩ ଜାରି କରାଯାଇଛି। ଏହା ବ୍ୟତୀତ ନାଗରିକମାନେ ୯୨୧୯୯୦୨୯୧୧, ୯୨୧୯୯୦୨୯୧୨, ୯୨୧୯୯୦୨୯୧୩ ଓ ୯୨୧୯୯୦୨୯୧୪ ନମ୍ବରରେ ମଧ୍ୟ ଅଭିଯୋଗ ଦାଖଲ କରିପାରିବେ। ଜଳବନ୍ଦୀ, ଗଛ ଉପୁଡ଼ିବା କିମ୍ବା ଅନ୍ୟ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ କଣ୍ଟ୍ରୋଲ ରୁମ୍କୁ ଜଣାଇବାକୁ ନଗର ନିଗମ ପକ୍ଷରୁ ନାଗରିକଙ୍କୁ ଅନୁରୋଧ କରାଯାଇଛି।

କାନପୁରର ଚନ୍ଦ୍ରଶେଖର ଆଜାଦ କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟର ପାଣିପାଗ ବୈଜ୍ଞାନିକ ଏସ୍.ଏମ୍. ସୁନୀଲ ପାଣ୍ଡେ କହିଛନ୍ତି ଯେ, ଏକାଧିକ ପାଣିପାଗ ପ୍ରଣାଳୀ ସକ୍ରିୟ ରହିବା ଏବଂ ଆର୍ଦ୍ରତା ବୃଦ୍ଧି କାରଣରୁ କାନପୁର ସମେତ ସମଗ୍ର ଉତ୍ତରପ୍ରଦେଶରେ ବର୍ଷା ହେଉଛି। ଆଗାମୀ ୨୪ ଘଣ୍ଟା ବର୍ଷା ଜାରି ରହିବାର ସମ୍ଭାବନା ଥିବାବେଳେ ଏହା ପରେ ପାଗରେ ସୁଧାର ଆସିପାରେ। ସୋମବାରଠାରୁ ବର୍ଷାରୁ ଆଶ୍ୱସ୍ତି ମିଳିବାର ଆଶା ରହିଛି।

ଔରୈୟାରେ ଯମୁନାର ଜଳସ୍ତର ୧୦୩.୨୦୦ ମିଟର ରହିଥିବାବେଳେ ଏହା ହ୍ରାସ ପାଉଥିବା ରେକର୍ଡ ହୋଇଛି। ଜିଲ୍ଲାରେ ୧୩୦.୨ ମିଲିମିଟର ବର୍ଷା ହୋଇଛି। ଯମୁନାର ଚେତାବନୀ ସ୍ତର ୧୧୨ ମିଟର ଏବଂ ବିପଦସ୍ତର ୧୧୩ ମିଟର ରହିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବା, ଖୋଲା ସ୍ଥାନ ଓ ଗଛ ତଳେ ଆଶ୍ରୟ ନନେବା ଏବଂ ଜରାଜୀର୍ଣ୍ଣ ଘରଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande