
ସମ୍ବଲପୁର, ୨୬, ସେପ୍ଟେମ୍ବର (ହି.ସ.) ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୬ ଅବସରରେ ସମ୍ବଲପୁର ସ୍ଥିତ ପାନ୍ଥନିବାସ ଠାରେ ଏକ ଜିଲ୍ଲାସ୍ତରୀୟ ପର୍ଯ୍ୟଟନ କୁଇଜ୍ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ଆଞ୍ଚଳିକ ପର୍ଯ୍ୟଟନ, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରତିଯୋଗୀମାନେ ଉତ୍ସାହର ସହ ଭାଗ ନେଇଥିଲେ ।
ବିଦ୍ୟାଳୟ ସ୍ତରୀୟ ଏହି କୁଇଜ୍ ପ୍ରତିଯୋଗିତାରେ ବୁଢ଼ାରାଜା ହାଇସ୍କୁଲର ଅମୃତା ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଧନୁପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶ୍ୟାମ ସୁନ୍ଦର ବେହେରା ଦ୍ୱିତୀୟ ଏବଂ ସେହି ବିଦ୍ୟାଳୟର ତୁଷାରକାନ୍ତ ନାଏକ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସମ୍ବଲପୁର ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ଦଳାଇ କୁଇଜ୍ ମାଷ୍ଟର ଭାବେ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ସମ୍ବଲପୁର ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ବଟକୃଷ୍ଣ କାହ୍ନର ସମୟ ରକ୍ଷକ (ଟାଇମ୍ କିପର୍) ଏବଂ ଲୁଟନ କିଷାନ ସ୍କୋରର ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗିତାରେ ବିଜେତା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ