
କେନ୍ଦ୍ରାପଡ଼ା, ୨୬ ସେପ୍ଟେମ୍ବର (ହି.ସ.)। ଅଧିବକ୍ତା ପରିଷଦ, ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ପରିଷଦର ୩୫ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ତିନିମୁହାଣିସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି।
କାର୍ଯ୍ୟକ୍ରମରେ ପରିଷଦର ସମ୍ପାଦକ ସମର କେଶରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ବିଶ୍ୱମ୍ଭର ପାଣି ଯୋଗଦେଇ ଉପସ୍ଥିତ ଆଇନଜୀବୀମାନଙ୍କୁ ଦିଗ୍ଦର୍ଶନ ଦେଇଥିଲେ।
ସେ କହିଥିଲେ ଯେ, ପୂଜ୍ୟ ଦତ୍ତୋପନ୍ତ ଠେଙ୍ଗଡ଼ୀଙ୍କ ମାର୍ଗଦର୍ଶନ ଏବଂ ଜଷ୍ଟିସ୍ ଏମ୍. ରାମା ଜୋଇସ୍ ଓ ଜଷ୍ଟିସ୍ ଏଚ୍.ଆର୍. ଖାନ୍ନାଙ୍କ ଭଳି ବିଶିଷ୍ଟ ନ୍ୟାୟବିଦ୍ଙ୍କ ପ୍ରେରଣାରେ ୧୯୯୨ ମସିହାରେ ଅଖିଳ ଭାରତୀୟ ଅଧିବକ୍ତା ପରିଷଦର ପ୍ରତିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଆବଶ୍ୟକତା ଭାବେ ହୋଇଥିଲା।
ଜିଲ୍ଲା ସଭାପତି ବିଭୂତି ଭୂଷଣ କର କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ ଯେ, ଓକିଲାତି କେବଳ ଅର୍ଥ ଉପାର୍ଜନର ବୃତ୍ତି ନୁହେଁ, ଏହା ଏକ ପବିତ୍ର ସମାଜସେବା। ଭାରତୀୟ ନ୍ୟାୟଦର୍ଶନର ପୁନରୁତ୍ଥାନ ସହ ସମାଜର ଶେଷ ପାହାଚରେ ଥିବା ବ୍ୟକ୍ତିଙ୍କ ନିକଟରେ ସୁଲଭ ଓ ତ୍ୱରିତ ନ୍ୟାୟ ପହଞ୍ଚାଇବା ଆଇନଜୀବୀମାନଙ୍କର ମୂଳ ସଂକଳ୍ପ ହେବା ଉଚିତ।
ଏହି ଅବସରରେ ଜିପି ତଥା ପରିଷଦର ପୂର୍ବତନ ସଭାପତି ବୈଦ୍ୟନାଥ ଚଟ୍ଟୋପାଧ୍ୟାୟ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ ଜିଲ୍ଲାର ବରିଷ୍ଠ ସରକାରୀ ଓକିଲଙ୍କ ସମେତ ୯୫ରୁ ଊର୍ଦ୍ଧ୍ୱ ଆଇନଜୀବୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି