
କେନ୍ଦ୍ରାପଡ଼ା, ୨୬ ସେପ୍ଟେମ୍ବର (ହି.ସ.)। ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଜିଲ୍ଲାର ଖେଳାଳିମାନେ ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ଜିତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
କେନ୍ଦୁଝର ଜିଲ୍ଲାର ଧରଣୀଧର ଇନ୍ଡୋର ଷ୍ଟାଡିୟମରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ସ୍କୁଲ ଗେମ୍ସ ଫେଡେରେସନ ଅଫ୍ ଇଣ୍ଡିଆ (ଏସ୍ଜିଏଫ୍ଆଇ) ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ୧୭ ବର୍ଷରୁ କମ୍ ବର୍ଗର ବାଳକ ଓ ବାଳିକା ବିଭାଗରେ ରାଜ୍ୟର ୩୦ଟି ଜିଲ୍ଲାର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।
୧୭ ବର୍ଷରୁ କମ୍ ବାଳିକା ବିଭାଗର ୪୮ କେଜିରୁ କମ୍ ଓଜନ ବର୍ଗରେ ଡେରାବିଶ ବ୍ଲକ ଦୋହଳିସ୍ଥିତ ବି.ବି. ମଡେଲ ହାଇସ୍କୁଲର ଛାତ୍ରୀ ସାଗରିକା ଭଦ୍ର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହି ବର୍ଗର ୬୮ କେଜିରୁ କମ୍ ଓଜନ ବିଭାଗରେ ପଟ୍ଟାମୁଣ୍ଡାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶ୍ରୀୟା ମହାନ୍ତି ରୌପ୍ୟ ପଦକ ଜିତିଛନ୍ତି।
ବାଳକ ବିଭାଗର ୧୭ ବର୍ଷରୁ କମ୍ ବର୍ଗରେ କେନ୍ଦ୍ରାପଡ଼ା ସହରସ୍ଥିତ ଭାରତୀ ବିଦ୍ୟାମନ୍ଦିରର ଛାତ୍ର ଶକ୍ତିପ୍ରସାଦ ସିଂ ୭୮ କେଜିରୁ ଊର୍ଦ୍ଧ୍ୱ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବର୍ଗର ୭୩ କେଜିରୁ କମ୍ ଓଜନ ବିଭାଗରେ ଡେରାବିଶ ବ୍ଲକ ରତାଦିଆ ଖଣ୍ଡସାହି ହାଇସ୍କୁଲର ଛାତ୍ର ଅମିତ କୁମାର ସାହୁ ମଧ୍ୟ ବ୍ରୋଞ୍ଜ ପଦକ ଜିତିଛନ୍ତି।
ସେହିପରି ୧୪ ବର୍ଷରୁ କମ୍ ବାଳିକା ବିଭାଗର ୨୯ କେଜିରୁ କମ୍ ଓଜନ ବର୍ଗରେ ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଶିକ୍ଷା ପ୍ରିୟଦର୍ଶିନୀ ଜେନା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଏହି ସଫଳତା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନେ କୃତୀ ଖେଳାଳିମାନଙ୍କ ସମେତ ସେମାନଙ୍କ କୋଚ୍ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରବି