
ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ନାମରେ ଯୋଗ୍ୟ ନାଗରିକଙ୍କ ମତାଧିକାର ବଂଚିତ ହେବା ଏବଂ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିର୍ବାଚନ ଆୟୋଗର ସ୍ୱାଧୀନତା ନେଇ ଗମ୍ଭୀର ପ୍ରଶ୍ନ ଉଠିଥିବା ପ୍ରତିବାଦରେ ଶନିବାର ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ସି.ପି.ଆଇ., ସି.ପି.ଆଇ.(ଏମ୍), ସି.ପି.ଆଇ.(ଏମ୍.ଏଲ୍.)- ଲିବରେସନ ଏବଂ ଫରୱାର୍ଡ଼ ବ୍ଲକ ପକ୍ଷରୁ ଏକ ବର୍ଣ୍ଣାଢ୍ୟ ପଟୁଆର, ବିକ୍ଷୋଭ ପ୍ରଦର୍ଶନ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।
ବିକ୍ଷୋଭ ସଭାରେ ଚାରି ବାମପନ୍ଥୀ ଦଳ ନିମ୍ନଲିଖିତ ଦାବି ଉପସ୍ଥାପନ କରିଥିଲେ- ମୁଖ୍ୟ ଅଭିଯୁକ୍ତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବରଖାସ୍ତ କରାଯାଉ, ତାଙ୍କ ବିରୋଧରେ ଉଠିଥିବା ସମସ୍ତ ପ୍ରଶ୍ନର ସ୍ୱାଧୀନ ଏବଂ ନିରପେକ୍ଷ ତଦନ୍ତ, ଏସ୍.ଆଇ.ଆର୍. ତୁରନ୍ତ ବନ୍ଦ, ଅନ୍ୟାୟ ଭାବେ ବାଦ୍ ପଡ଼ିଥିବା ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତୁରନ୍ତ ପୁନଃସ୍ଥାପନ, ନିର୍ବାଚନ ଆୟୋଗର ସ୍ୱାଧୀନ ଓ ସ୍ୱଚ୍ଛ କାର୍ଯ୍ୟପ୍ରଣାଳୀ ପୁନଃସ୍ଥାପନ ଏବଂ ନିର୍ବାଚନ ଆୟୁକ୍ତ ନିଯୁକ୍ତି ବ୍ୟବସ୍ଥାରେ ସର୍ବୋଚ୍ଚ ଅଦାଲତର ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରାଯାଉ। ଜ୍ଞାନେଶ କୁମାରଙ୍କୁ ହଟାଇବା, ଗଣତନ୍ତ୍ରକୁ ସୁରକ୍ଷା କରିବା, ମତାଧିକାରକୁ ସୁରକ୍ଷା କରିବା, ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତାକୁ ସୁରକ୍ଷା କରିବା ଆହ୍ୱାନରେ ୨୬ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ପ୍ରତିବାଦ କାର୍ଯ୍ୟକ୍ରମକୁ ଦେଶବ୍ୟାପୀ କରିବାକୁ ଚାରି ବାମପନ୍ଥୀ ଦଳ ଘୋଷଣା କରିଛନ୍ତି। ଭଗତ ସିଂହ ଓ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସକୁ ଗଣତନ୍ତ୍ର, ମତାଧିକାର ଓ ନାଗରିକ ଅଧିକାରର ସୁରକ୍ଷା ପାଇଁ ଜନଆନ୍ଦୋଳନକୁ ଶକ୍ତିଶାଳୀ କରିବାର ଅବସର ଭାବେ ଗ୍ରହଣ କରାଯିବ।
ଚାରି ବାମପନ୍ଥୀ ଦଳ ରାଜ୍ୟର ସମସ୍ତ ବିଜେପି ବିରୋଧୀ ଦଳ, ଶ୍ରମିକ, କୃଷକ, ଯୁବ, ଛାତ୍ର, ମହିଳା, ନାଗରିକ ସମାଜ ଓ ସମସ୍ତ ଗଣତାନ୍ତ୍ରିକ ଶକ୍ତିଙ୍କୁ ମତାଧିକାର ଓ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି। ଆଜିକାର ବିକ୍ଷୋଭରେ ସି.ପି.ଆଇ. ରାଜ୍ୟ ସଂପାଦକ ଡ଼ଃ ପ୍ରଶାନ୍ତ କୁମାର ମିଶ୍ର, ସି.ପି.ଆଇ.(ଏମ୍) ରାଜ୍ୟ ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସି.ପି.ଆଇ.(ଏମ୍.ଏଲ୍.)-ଲିବରେସନ ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର ଓ ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ଏବଂ ଉଦ୍ବୋଧନ ଦେଇଥିଲେ। ଏତଦ୍ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି, ଆଶିଷ କାନୁନଗୋ, ଜୟନ୍ତ ଦାସ, ଏନ୍.ନାରାୟଣ ରେଡ୍ଡୀ, ବିଜୟ ଜେନା, ସୁର ଜେନା, ପୁଷ୍ପା ଦାଶ, ଉଲ୍ଲାସ ସ୍ୱାଇଁ, ନିର୍ମଳ ନାୟକ, ପ୍ରଦୀପ୍ତ ନାୟକ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଅଶୋକ ପ୍ରଧାନ, ଲକ୍ଷ୍ମୀ ଦୋରା, ରିଙ୍କି ସାହୁ, ସନ୍ତୋଷ କୁମାର ଜତି ପ୍ରମୁଖ ବହୁ ନେତା ଓ କର୍ମୀ ଏଥିରେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ ଏବଂ ନେତୃତ୍ୱ ନେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା