

ଅଶାନ୍ତ ସମୁଦ୍ର......ଆତଙ୍କିତ ଉଠାଦୋକାନୀ
ଢେଉରେ ଭାସିଗଲା ଖଟପସରା
ପୁରୀ, ୨୬ ସେପ୍ଟେମ୍ବର (ହି.ସ.) ପୁରୀ ସମୁଦ୍ର ଏବେ ହୋଇଛି ଅଶାନ୍ତ । କୂଳ ଲଙ୍ଘି ଭସାଇ ଦେଇଛି ଖଟପସରା । ଘୁ ଘୁ ହୋଇ କୂଳକୁ ମାଡି ଆସୁଛି ସମୁଦ୍ର । ଅର୍ଣ୍ଣବ ବାତ୍ଯା ଗଭୀର ଅବପାତ ଉଚ୍ଚ ଜୁଆର ଯୋଗୁଁ ସ୍ବର୍ଗଦ୍ବାର ଠାରୁ ଷ୍ଟର୍ଲିଙ୍ଗ ମୁହାଣ ପର୍ଯ୍ୟନ୍ତ ସମୁଦ୍ର ୟୁ ଟର୍ଣ୍ଣ କରୁଛି ।ମଙ୍ଗଳା ମୁହାଣ ଷ୍ଟର୍ଲିଙ୍ଗ ବ୍ରିଜ ଯୋଗୁ ଓସାରିଆ ହୋଇ ନଦୀ ଜଳ ମାଡି ଚାଲିଛି । ନଦୀର ଜଳ ସମୁଦ୍ର ଢେଉରେ ମାଡ ହୋଇ ବାମ ପଟକୁ ଟର୍ଣ୍ଣ କରି ଲାଇଟ ହାଉସ ପାଖ କୂଳ ଖାଉଛି । ପେଣ୍ଠକଟା ଠାରୁ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ସାତ କିଲୋମିଟର ସମୁଦ୍ର କୂଳରେ ସିନ୍ଥେଟିକ ୱାଲ କରାଯାଇ ପାରିନାହିଁ । ୨୦୧୬ ମସିହାରେ ଏମିତି ଢେଉ ସ୍ବର୍ଗଦ୍ବାରରେ ଦୋକାନ ଭସାଇ ଦେଇଥିଲା । ସମୁଦ୍ରକୂଳ ସୁରକ୍ଷା ପାଇଁ ବିଭିନ୍ନ ବୈଷୟିକ ଟିମ ଅନୁଧ୍ୟାନ କରୁଥିଲେ ମଧ୍ଯ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଇ ପାରୁନାହିଁ । ସମୁଦ୍ର ଆଁ ଭିତରକୁ ଚାଲେ ଯାଉଛି ଉଠାଦୋକାନ । ସମୁଦ୍ରର କରାଳ ରୂପ ଦେଖି ପର୍ଯ୍ୟଟକ ଆତଙ୍କିତ । ଦୋକାନ ଭାସିଯିବା ଭୟରେ ଦୋକାନୀମାନେ ରାତି ଅନିଦ୍ରା ହୋଇ ଜଗି ରହିଛନ୍ତି । ସମୁଦ୍ର ର ତାଣ୍ଡବ ଲୀଳାରେ କୂଳବାସୀ ଆଶଙ୍କାରେ ରହିଛନ୍ତି । ଦୁର ଦାର ହୋଇ ଖସୁଛି ବାଲି ଅତଡା । ମଙ୍ଗଳା ମୁହାଣ ଦୁଇ ପାର୍ଶ୍ବରେ ଥିବା ବାଲିବନ୍ତ ସହ ଭାସି ଗଲାଣି । ରାତିରେ ସମୁଦ୍ର ର ଘୁ ଘୁ ଶବ୍ଦ ରେ ବଳିଆପଣ୍ଡା ବସ୍ତିବାସିନ୍ଦା ମାନେ ରାତି ଅଧରେ ସମୁଦ୍ର ଆସି ଅନୁଧ୍ୟାନ କରୁଛନ୍ତି । ଫୁଲୁଛି ମଙ୍ଗଳାନଦୀ । ଲାଇଟ ହାଉସ ପାଖେ କୂଳ ଖାଉଛି ସମୁଦ୍ର। ଇରିଗେସନ ଓ ଡ୍ରେନେଜ ବିଭାଗ ନାମ କୁ ମାତ୍ର ଅନୁଧ୍ୟାନ କରୁଛି । ଷ୍ଟର୍ଲିଙ୍ଗ ପାଖ ୪ଫୁଟ ଗାତ ସୃଷ୍ଟି ହେଲାଣି । ପୂର୍ଣ୍ଣମୀ ଯୋଗୁଁ ଜୁଆରିଆ ରହିଛି ସମୁଦ୍ର । ପବନର କରାଳ ରୂପରେ ଢେଉ କୂଳ ଆଡକୁ ଠେଲି ଆଣୁଛି । ସେହିପରି ଷ୍ଟର୍ଲିଙ୍ଗ ପଛପଟ, ତାଜ ହୋଟେଲ ପଛପଟ,ସ୍ବସ୍ତି ପ୍ରିମିୟମ ସମ୍ମୁଖ କୂଳ, ଲାଇଟ ହାଉସ ସମ୍ମୁଖ ସମୁଦ୍ରକୂଳ, ସ୍ବର୍ଗଦ୍ବାର ସମ୍ମୁଖ ବିଚ, ଦିଗବାରେଣୀ, ବ୍ଲୁ ଫ୍ଲାଗ ବିଚ, ନିଳାଦ୍ରି ବିଚ, ୟୁଥ ହଷ୍ଟେଲ ପାଖ ବାଙ୍କି ମୁହାଣ, ପେଣ୍ଠକଟା ଅଞ୍ଚଳ ସମୁଦ୍ର କୂଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସମୁଦ୍ରକୂଳ ସୁରକ୍ଷା ପାଇଁ ସିନ୍ଥେଟିକ ୱାଲ ନିର୍ମାଣ କରିବାକୁ ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ