
ଜୟପୁର, ୨୬ ସେପ୍ଟେମ୍ବର (ହି.ସ.) - ନଦୀ ପାଣିରେ ଗୋଡ଼ ଖସିଯିବାରୁ ବୁଡ଼ିଯାଇ ଜଣେ ବୃଦ୍ଧଙ୍କର ମୃତ ହୋଇଛି କ୍ଷ। ମୃତ ବୃଦ୍ଧ ଜଣକ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ମାଲପଦା ଗ୍ରାମର ଗଙ୍ଗା ଭତ୍ରା(୬୦)। ପୋଲିସ ସୂଚନା ଅନୁଯାଇ ଗତ ଶୁକ୍ରବାର ମୃତକ ଗଙ୍ଗା ଭତ୍ରା ମାଲଦା ଗ୍ରାମରୁ ଖଡ଼ପା ଗ୍ରାମ ଅଭିମୁଖେ ବାହାରିଥିଲେ। କିନ୍ତୁ ଶନିବାର ସକାଳ ପ୍ରାୟ ସାଢେ ୯ଟା ସମୟରେ, ଆମ୍ବାଗୁଡ଼ା ଫାଣ୍ଡି ଅଧିକାରୀଙ୍କ ଠାରୁ ପରିବାରବର୍ଗ ଖବର ପାଇଥିଲେ ଯେ ସନ୍ଧିଗାଁ ନିକଟସ୍ଥ ନଦୀରେ ବୁଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଗ୍ରାମବାସୀଙ୍କ ସହାୟତାରେ ଶବ ଉଦ୍ଧାର କରାଯାଇଛି।
ଖବର ପାଇ ମୃତକଙ୍କ ଭଣଜା ବିଶ୍ୱନାଥ ଭତ୍ରା ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ମୃତଦେହକୁ ନିଜ ମାମୁ ମୃତକ ଗଙ୍ଗା ଭତ୍ରା ବୋଲି ଚିହ୍ନଟ କରିଥିଲେ। ପ୍ରତ୍ୟକ୍ଷଦର୍ଶୀ ଚନ୍ଦ୍ର ପୂଜାରୀ ଏବଂ ଗ୍ରାମବାସୀଙ୍କ କହିବା ଅନୁଯାୟୀ ମୃତକ ଗଙ୍ଗା ଭତ୍ରା ନଦୀକୂଳରେ ଶୌଚ ହେବା ପାଇଁ ପାଣିକୁ ଓହ୍ଲାଉଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିବାରୁ ସେ ଭାସିଯାଇ ବୁଡ଼ି ଯାଇଥିଲେ। ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ବଂଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା । ପରେ ଗ୍ରାମବାସୀମାନେ ମିଳିମିଶି କିଛି ଦୂରରୁ ତାଙ୍କ ମୃତଦେହ ଉଦ୍ଧାର କରିବା ପୋଲିସ କୁ ସୂଚନା ଦେଇଥିଲେ।
ଏନେଇ ମୃତକଙ୍କ ପରିବାର ତରଫରୁ ଜୟପୁର ସଦର ଥାନାରେ ଅଭିଯୋଗ କରିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି