
ଧର୍ମଶାଳା, ୨୬ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରପୁର ପଂଚାୟତ ସମ୍ମୁଖରେ ଥିବା ଏକ କାଜୁ ବଣରେ ଜଣେ ଯୁବକ ଗାମୁଛାରେ ବେକରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଏହି ପଂଚାୟତ ରାଉତରାପୁର ଗ୍ରାମର କିଛି ଯୁବକ କାଜୁବାଡି ଦେଇ ଯାଉଥିବା ବେଳେ କାଜୁ ଗଛରେ ଜଣେ ଯୁବକ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ରାଉତରାପୁର ନୂଆସାହି ଗ୍ରାମର ସ୍ୱର୍ଗତ କେଶବ ପୃଷ୍ଟିଙ୍କ ପୁଅ ମଦନ(୪୮) ବେକରେ ଏକ ଗାମୁଛା ଦ୍ୱାରା କାଜୁଗଛରେ ଫାଶି ଦେଇ ଦେଇଥିବା ଘଟଣାକୁ ନେଇ ପରିବାର ଓ ଗାଁ ଲୋକଙ୍କୁ ଜଣାଇ ଥିଲେ । ବ୍ରହ୍ମବରଦା ପୁଲିସକୁ ଖବର ଦିଆଯାଇଥିଲା । ଗୋଡ ତଳେ ଲାଗି ଥିବାରୁ ପୁଲିସ ସନ୍ଦେହ କରି ସାଇଁଟିଫିକ୍ ଟିମ୍ ର ସହାୟତା ନେଇଥିଲା । ତଦନ୍ତ କରାଯିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ନେଇ ବ୍ରହ୍ମବରଦା ଥାନା ଏସ୍ଆଇ କୈଳାସ ଚନ୍ଦ୍ର ଭଦ୍ର ସୂଚନା ଦେଇଛନ୍ତି । ମଦନ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିବା ବେଳେ କିଛି ଦିନ ହେବ ବାତର ଶିକାର ହୋଇଥିଲେ । ସେବେଠାରୁ ସେ ମାନସିକ ଭାରସାମ୍ୟ ହରାଇ ଏଭଳି ଘଟଣା ଘଟାଇ ଥିବା ଗ୍ରାମରେ ଆଲୋଚନା ହେଉଛି । ସେପେଟେ ହରିଶ୍ଚନ୍ଦ୍ର ଯୋଜନାରେ ରାଉତରପୁର ସରପଂଚ ସ୍ୱର୍ଣ୍ଣଲତା ସାହୁ ମୃତକଙ୍କ ପରିବାରକୁ ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ