ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା : ଦୁଇ ଦୋଷୀଙ୍କୁ୨୦ ବର୍ଷ ଜେଲ୍, ପୀଡ଼ିତାଙ୍କୁ ୮ ଲକ୍ଷ କ୍ଷତିପୂରଣ
Two persons were convicted
ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା : ଦୁଇ ଦୋଷୀଙ୍କୁ୨୦ ବର୍ଷ ଜେଲ୍, ପୀଡ଼ିତାଙ୍କୁ ୮ ଲକ୍ଷ କ୍ଷତିପୂରଣ


ଝାରସୁଗୁଡ଼ା, ୩ ସେପ୍ଟେମ୍ବର (ହି.ସ.)- ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳରେ ୨୦୨୪ ମସିହାରେ ଘଟିଥିବା ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଝାରସୁଗୁଡ଼ା ପୋକସୋ ସ୍ୱତନ୍ତ୍ର ଅଦାଲତ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରେମ ସୁନା ଓ ଆକାଶ ସେନ୍ଧରିଆଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକଙ୍କ ଉପରେ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦାୟ ହେଲେ ଅତିରିକ୍ତ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ପୀଡ଼ିତା ନାବାଳିକାଙ୍କୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ୨୦୨୪ ମସିହା ଫେବୃଆରୀ ୧୧ ତାରିଖରେ ନାବାଳିକା ଜଣକ ନିଜ ଜନ୍ମଦିନ ପାଳନ ଅବସରରେ ସାଙ୍ଗମାନଙ୍କ ସହ ବ୍ରଜରାଜନଗର ଇକୋ ପାର୍କକୁ ଯାଇଥିଲେ। ସନ୍ଧ୍ୟାରେ ଘରକୁ ଫେରିବା ପାଇଁ ଅଟୋରିକ୍ସାକୁ ଅପେକ୍ଷା କରିଥିବା ବେଳେ ଅଭିଯୁକ୍ତ ଦ୍ୱୟ ତାଙ୍କୁ ଘରେ ଛାଡ଼ିଦେବାକୁ କହି ଅଟୋରେ ବସାଇ ନେଇଥିଲେ। କିନ୍ତୁ ସେମାନେ ତାଙ୍କୁ ବିଭିନ୍ନ ସ୍ଥାନ ବୁଲାଇବା ପରେ ଏକ ନିଛାଟିଆ ଘରକୁ ନେଇ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଛାଡ଼ିଦେବାକୁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ଆହୁରି ଦୁଇ ଦିନ ଅଟକ ରଖି ବାରମ୍ବାର ଦୁଷ୍କର୍ମ କରାଯାଇଥିଲା। ପରେ ଫେବୃଆରୀ ୧୪ ତାରିଖରେ ତାଙ୍କୁ ଭୂତ ବଙ୍ଗଳା ନିକଟରେ ଛାଡ଼ି ଦିଆଯାଇଥିଲା। ଘରକୁ ଫେରିବା ପରେ ପୀଡ଼ିତା ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ଓରିଏଣ୍ଟ ଥାନାରେ ଏତଲା ଦାଖଲ ହୋଇଥିଲା। ପୁଲିସ ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ମାମଲାର ଶୁଣାଣି ସମୟରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ପୋକସୋ ବିଚାରପତି ପୂଜା ଷଡ଼ଙ୍ଗୀ ୨୪ ଜଣ ସାକ୍ଷୀଙ୍କ ବୟାନ ଓ ଉପସ୍ଥାପିତ ପ୍ରମାଣକୁ ବିଚାରକୁ ନେଇ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande