
ଭୁବନେଶ୍ୱର, ୩ ସେପ୍ଟେମ୍ବର (ହି.ସ): ହୋଲସେଲ୍ ଔଷଧ ଲାଇସେନ୍ସ
ପ୍ରଦାନ ପାଇଁ ଆବେଦନ ସୁପାରିସ କରିବା ନିମନ୍ତେ ୬ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ
କରୁଥିବା ବେଳେ ଯାଜପୁରର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର୍ ତଥା ଡ୍ରଗ୍ ଇନ୍ସପେକ୍ଟର୍ ସଞ୍ଜୟ
କୁମାର ହାଁସଦାଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଧରିଛି।
ଆଜି ଯାଜପୁରର ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର୍/ଡ୍ରଗ୍
ଇନ୍ସପେକ୍ଟର୍ ତଥା ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ଥିବା ଶ୍ରୀ ସଞ୍ଜୟ କୁମାର
ହାଁସଦାଙ୍କୁ ପାରାଦୀପ-କଟକ ଏନ୍ଏଚ୍-୫୩ ରାସ୍ତା ପାର୍ଶ୍ୱରେ ଥିବା ଜୟପୁର ଛକଠାରେ ଓଡ଼ିଶା
ଭିଜିଲାନ୍ସ ଧରିଛି।
ଡ୍ରଗ୍ କଣ୍ଟ୍ରୋଲର୍, ଭୁବନେଶ୍ୱର (ମୁଖ୍ୟାଳୟ) କାର୍ଯ୍ୟାଳୟକୁ ହୋଲସେଲ୍
ଔଷଧ ଲାଇସେନ୍ସ ପ୍ରଦାନ ପାଇଁ ଆବେଦନ ସୁପାରିସ କରିବା ନିମନ୍ତେ ସେ ଜଣେ ଆବେଦନକାରୀଙ୍କଠାରୁ ୬,୦୦୦ ଟଙ୍କା ଲାଞ୍ଚ
ଦାବି କରି ଗ୍ରହଣ କରୁଥିଲେ।
ଅଭିଯୋଗକାରୀ ଜଣକ ତାଙ୍କ ହୋଲସେଲ୍ ଔଷଧ ଦୋକାନ ପାଇଁ ଡ୍ରଗ୍
ଲାଇସେନ୍ସ ନିମନ୍ତେ ୧୧.୦୫.୨୦୨୫ରେ ଆବେଦନ କରିଥିଲେ। ଏହି ସମ୍ପର୍କରେ ସେ ଜଗତସିଂହପୁରର
ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲର୍/ଡ୍ରଗ୍ ଇନ୍ସପେକ୍ଟର୍ ଶ୍ରୀ ସଞ୍ଜୟ କୁମାର ହାଁସଦାଙ୍କୁ
ଅନେକଥର ଭେଟିଥିଲେ। ତେବେ ସେ ଏଥିପ୍ରତି କୌଣସି ଧ୍ୟାନ ନଦେଇ ଅଭିଯୋଗକାରୀଙ୍କୁ ୬,୦୦୦ ଟଙ୍କା ଲାଞ୍ଚ
ନେଇ ଆସିବାକୁ କହିଥିଲେ।
ଲାଞ୍ଚ ପାଇଁ ହଇରାଣ ହେବା ପରେ ଅଭିଯୋଗକାରୀ ଏନେଇ ଭିଜିଲାନ୍ସ
କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଆଜି ଅଭିଯୋଗକାରୀ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ
ଶ୍ରୀ ହାଁସଦା ସେଠାରେ ଉପସ୍ଥିତ ନଥିଲେ। ପରେ ଅଭିଯୋଗକାରୀ ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ
କରିବାରୁ ଅଭିଯୁକ୍ତ ତାଙ୍କୁ ଜୟପୁର ଛକକୁ ଆସିବାକୁ କହିଥିଲେ।
ଅଭିଯୋଗକାରୀ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଶ୍ରୀ ହାଁସଦା
ତାଙ୍କୁ ଓଡି-2ଏଲ-3325 ନମ୍ବର
ବିଶିଷ୍ଟ ନିଜ ୱାଗନ୍ଆର୍ କାର୍ ଭିତରେ ବସିବାକୁ କହିଥିଲେ ଏବଂ ସେଠାରେ ଦାବି କରିଥିବା
ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ।
ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ଶ୍ରୀ
ହାଁସଦାଙ୍କ ନିଜ ଦଖଲରୁ ସମ୍ପୂର୍ଣ୍ଣ ୬,୦୦୦ ଟଙ୍କା ଲାଞ୍ଚ ଅର୍ଥ ଉଦ୍ଧାର କରାଯାଇ ଜବତ
କରାଯାଇଛି।
ଟ୍ରାପ୍ ପରେ ଶ୍ରୀ ହାଁସଦାଙ୍କ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବାଦିଗରୁ ଯାଞ୍ଚ ପାଇଁ
ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଏକକାଳୀନ ଚଢ଼ାଉ/ତଲାସି ଆରମ୍ଭ କରାଯାଇଛି।
ଏହି ସମ୍ପର୍କରେ କଟକ ଭିଜିଲାନ୍ସ ଥାନା ମାମଲା ନମ୍ବର ୩୪, ତାରିଖ ୦୨.୦୯.୨୦୨୬, ପିସି (ସଂଶୋଧନ)
ଆଇନ, ୨୦୧୮ର ଧାରା ୭
ଅନୁଯାୟୀ ରୁଜୁ କରାଯାଇଛି।
ଅଭିଯୁକ୍ତ ଶ୍ରୀ ହାଁସଦାଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା