ଜିଲ୍ଲାପାଳଙ୍କ ଖଣି ପ୍ରଭାବିତ ଲାଜକୁରା ଅଞ୍ଚଳ ପରିଦର୍ଶନ
Collector visit mines affected area
ଜିଲ୍ଲାପାଳଙ୍କ ଖଣି ପ୍ରଭାବିତ ଲାଜକୁରା ଅଞ୍ଚଳ ପରିଦର୍ଶନ


ଝାରସୁଗୁଡ଼ା, ୩ ସେପ୍ଟେମ୍ବର (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ଼ ନଂ ୫ ଲାଜକୁରା ଖଣି ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଗସ୍ତ ସମୟରେ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସ୍ଥାନୀୟ ବାସିନ୍ଦାଙ୍କ ସହିତ ସିଧାସଳଖ ଆଲୋଚନା କରି ଖଣି ପ୍ରଭାବିତ ଅଞ୍ଚଳରେ ଲୋକେ ସମ୍ମୁଖୀନ ହେଉଥିବା ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଏଥିସହ ସେ ସ୍ଥାନୀୟ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ପିଲାଙ୍କ ଶିକ୍ଷାଦାନ ବ୍ୟବସ୍ଥା ଏବଂ ପୁଷ୍ଟିକର ଆହାର ଯୋଗାଣ ତଦାରଖ କରିଥିଲେ।

ଗସ୍ତ ସମୟରେ ଜିଲ୍ଲାପାଳ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମିଟୁ କୁଅଁରଙ୍କ ସ୍ମୃତିପୀଠ ପରିଦର୍ଶନ କରିଥିଲେ। ଏହି ଐତିହାସିକ ସ୍ଥଳୀର ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ଉନ୍ନତିକରଣ ପାଇଁ ଗ୍ରାମବାସୀ ଏବଂ ପୌର ନିର୍ବାହୀ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଗ୍ରାମର କମ୍ୟୁନିଟି ସେଣ୍ଟରର ନବୀକରଣ ଏବଂ ସ୍ଥାନୀୟ ଜଳାଶୟଗୁଡ଼ିକର ପୁନରୁଦ୍ଧାର ତଥା ସଂରକ୍ଷଣ ପାଇଁ ଲୋକଙ୍କ ସହ ବିଚାରବିମର୍ଶ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସମାଧାନ ଲାଗି ଜଳ ଯୋଗାଣ ବ୍ୟବସ୍ଥାରେ ତୁରନ୍ତ ଉନ୍ନତି ଆଣିବାକୁ ଜିଲ୍ଲାପାଳ ୱାଟକୋ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରିବେଶ ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଖାଦ୍ୟ ପ୍ରସ୍ତୁତି ନିମନ୍ତେ କୋଇଲା କିମ୍ବା ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କରି ସ୍ୱଚ୍ଛ ଶକ୍ତି ବ୍ୟବହାର କରିବାକୁ ସେ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ସମଗ୍ର ଅଞ୍ଚଳର ରାସ୍ତାଘାଟ, ଆଲୋକୀକରଣ ଓ ପାନୀୟ ଜଳ ଭଳି ସମସ୍ତ ମୌଳିକ ଭିତ୍ତିଭୂମିର ସାମଗ୍ରିକ ବିକାଶ ପାଇଁ ତୁରନ୍ତ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande