
ସମ୍ବଲପୁର, ୩ ସେପ୍ଟେମ୍ବର (ହି.ସ.)- ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମପଞ୍ଚାୟତ ଅଧୀନରେ ଆରଏମସି ପକ୍ଷରୁ ପରିଚାଳିତ ଶୁକ୍ରବାର ସାପ୍ତାହିକ ବଜାରର ରକ୍ଷଣାବେକ୍ଷଣ ଅଭାବକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ବଜାରରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ମହାସୁଲ ଆଦାୟ ହେଉଥିଲେ ମଧ୍ୟ ମୌଳିକ ସୁବିଧା ଓ ରକ୍ଷଣାବେକ୍ଷଣ ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଉନଥିବାରୁ ବ୍ୟବସାୟୀ ଏବଂ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଦୀର୍ଘ ବର୍ଷ ଧରି ଏହି ସାପ୍ତାହିକ ବଜାର ଆରଏମସି ପରିଚାଳନାରେ ରହିଆସୁଛି। ପ୍ରତି ଶୁକ୍ରବାର ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ରୁ ବହୁ ସଂଖ୍ୟକ ବ୍ୟବସାୟୀ ଏଠାରେ ଆସି କପଡ଼ା, ରାସନ ସାମଗ୍ରୀ, ପନିପରିବା, ମାଛ ଓ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ବ୍ୟବସାୟ କରିଥାନ୍ତି। ବ୍ୟବସାୟୀଙ୍କ ଠାରୁ ନିୟମିତ ଭାବେ ମହାସୁଲ ଆଦାୟ କରାଯାଉଥିଲେ ମଧ୍ୟ ବଜାରର ବିକାଶ ଓ ରକ୍ଷଣାବେକ୍ଷଣ ଦିଗରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ବଜାର ପରିସରର ବିଭିନ୍ନ ସ୍ଥାନରେ ଅନାବନା ଗଛଲତା ଓ ଘାସ ବଢ଼ି ରହିଥିବା ବେଳେ ପରିସର ଅପରିଷ୍କାର ଅବସ୍ଥାରେ ପଡ଼ିରହିଛି। ବର୍ଷା ହେଲେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବଜାର ଭିତରେ ପାଣି ଜମି ରହୁଛି। ଫଳରେ ସମଗ୍ର ବଜାର ପରିସର କାଦୁଅମୟ ହୋଇଯାଉଥିବାରୁ ବ୍ୟବସାୟୀଙ୍କ ପାଇଁ ଦୋକାନ ବସାଇବା ଏବଂ ଗ୍ରାହକଙ୍କ ପାଇଁ କିଣାକଟା କରିବା କଷ୍ଟସାଧ୍ୟ ହୋଇପଡ଼ୁଛି।
ସେହିପରି ବଜାରରେ ଥିବା ବଜାର ଗୃହ ଓ ପିଣ୍ଡିଗୁଡ଼ିକର ଅବସ୍ଥା ମଧ୍ୟ ଶୋଚନୀୟ। ଦୀର୍ଘଦିନ ଧରି ମରାମତି ଓ ଆବଶ୍ୟକ ରକ୍ଷଣାବେକ୍ଷଣ ହୋଇନଥିବାରୁ ବ୍ୟବସାୟୀମାନେ ଅସୁବିଧାଜନକ ପରିବେଶରେ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି। ବର୍ଷା ଋତୁରେ ଏହି ସମସ୍ୟା ଆହୁରି ଗୁରୁତର ରୂପ ନେଇଛି।
ସ୍ଥାନୀୟ ସରପଞ୍ଚ ମୁକେଶ ବାରିକଙ୍କ କହିବାନୁସାରେ, ଉକ୍ତ ବଜାରରୁ ଆରଏମସି ପକ୍ଷରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ମହାସୁଲ ଆଦାୟ ହେଉଥିବା ବେଳେ ପଞ୍ଚଗାଁ ଗ୍ରାମପଞ୍ଚାୟତକୁ ବାର୍ଷିକ ମାତ୍ର ୩୨ ହଜାର ୮୦୦ ଟଙ୍କା ପ୍ରଦାନ କରାଯାଉଛି। ବଜାରରୁ ଆଦାୟ ହେଉଥିବା ରାଜସ୍ୱ ଅନୁପାତରେ ରକ୍ଷଣାବେକ୍ଷଣ ଓ ମୌଳିକ ସୁବିଧା ଯୋଗାଣ ପାଇଁ ପଦକ୍ଷେପ ନିଆଯାଉନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ସମସ୍ୟା ନେଇ ଗ୍ରାମପଞ୍ଚାୟତ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ଆରଏମସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ସେ କହିଛନ୍ତି। ଏହି ସାପ୍ତାହିକ ବଜାର ଉପରେ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ଜୀବିକା ଓ ନିତ୍ୟ ଆବଶ୍ୟକତା ନିର୍ଭର କରୁଥିବାରୁ ନିୟମିତ ସଫେଇ, ଅନାବନା ଗଛଲତା ସଫା, ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର, ବଜାର ଗୃହ ଓ ପିଣ୍ଡିର ମରାମତି ସହ ବଜାର ପରିସରର ସାମଗ୍ରିକ ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକ ଓ ବ୍ୟବସାୟୀମାନେ ଦାବି କରିଛନ୍ତି। ମହାସୁଲ ଆଦାୟ ସହ ବଜାରର ସୁଚାରୁ ରକ୍ଷଣାବେକ୍ଷଣ ଦିଗରେ ଆରଏମସି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ