



ସମ୍ବଲପୁର , ୦୩ ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ବହୁ ପ୍ରତିକ୍ଷିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ପାଇଁ ଶେଷରେ ଛେମୁଣ୍ଡା ମୌଜାରେ ଜମି ଚିହ୍ନଟ ହୋଇଛି । ହେଲେ ଏହି ଜମି ଚିହ୍ନଟ ହେବା ଜଣାପଡିବା ପରେ ସମ୍ପୃକ୍ତ ଅଂଚଳରେ ଚାପା ଉତେଜନା ଦେଖାଦେବା ସହ ଦୃଢ଼ ବିରୋଧାଭାସ ଦେଖିବାକୁ ମିଳିଛି । ସୂଚନାନୁଯାୟୀ ଚିହ୍ନଟ ଜମିରେ ୫୦ ବର୍ଷରୁ ଅଧିକ ସମୟ ଧରି ଚାଷ କରି ଆସୁଥିବା ପରିବାରର ଲୋକେ ଏବେ ଏହାର ତୀବ୍ର ବିରୋଧ କରିଛନ୍ତି। ଜମିରୁ ଉତ୍ପାଦିତ ଫସଲ ସେମାନଙ୍କ ଜୀବିକାର ମୁଖ୍ୟ ଆଧାର ହୋଇଥିବାରୁ ଏହା ହରାଇବାକୁ ସେମାନେ କେବେବି ରାଜି ନୁହନ୍ତି ବୋଲି କହିଛନ୍ତି ରୋକଠୋକ। ସ୍କୁଲ୍ ପାଇଁ ଜମି ମାପଚୁପ କରିବାକୁ ରାଜସ୍ୱ ନିରୀକ୍ଷକ ଓ ଅମିନ ପହଂଚିବା ପରେ ସ୍ଥାନୀୟ ଲୋକେ ପ୍ରଥମେ ଜିଜ୍ଞାସାର ସହ ଆପତି ଉଠାଇଥିଲେ। ସେମାନଙ୍କ ଯୁକ୍ତି ଥିଲା ଷଣ୍ଢପଥରରେ ଆଶ୍ରମ ସ୍କୁଲ୍, ହାଇସ୍କୁଲ୍ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଚିନିମହୁଲରେ ଆଦର୍ଶ ସ୍କୁଲ୍ ରହିଛି। ଏସବୁ ଶିକ୍ଷାନୁଷ୍ଠାନ ପାଖାପାଖି ରହିଥିବା ସତ୍ୱେ ଗ୍ରାମର ପ୍ରମୁଖ ଚାଷଜମିରେ ଏକଲବ୍ୟ ସ୍କୁଲ୍ ପାଇଁ କିପରି ସ୍ଥାନ ଚିହ୍ନଟ କରାଗଲା ସେ ନେଇ ସେମାନେ ଉଠାଇଛନ୍ତି ପ୍ରଶ୍ନ । ଏନେଇ ଗାଁ କମିଟି ସଭାପତି ଅରୁଣ ମହାକୁଡ ଓ ସମ୍ପାଦକ ଗଙ୍ଗାଧର ନାଏକଙ୍କ ନେତୃତ୍ୱରେ ଅଂଚଳବାସୀ ଜମନକିରା ତହସିଲଦାର ପ୍ରବୀଣା ବିଲୁଙ୍ଗଙ୍କୁ ଭେଟି ମୁଖ୍ୟ ସମସ୍ୟା ଭଲ ଭାବେ ଅବଗତ କରାଇଥିଲେ। ପରେ ଗ୍ରାମର ୮୬ ଜଣଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ର ଦେଇ ଚିହ୍ନଟ ଜମିରେ ସ୍କୁଲ୍ ନିର୍ମାଣ ନ କରିବାକୁ ସେମାନେ ଦୃଢ଼ଭାବେ ଏକ ସ୍ୱରରେ ଦାବି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଶିକ୍ଷାନୁଷ୍ଠାନ ପାଇଁ ବିକଳ୍ପ ଜମି ଚିହ୍ନଟ ହେବ ନା ନିର୍ଦ୍ଧିଷ୍ଟ ଚାଷଜମିକୁ ନେଇ ପ୍ରଶାସନ ଆଗକୁ ବଢ଼ିବ ? ଏହାକୁ ନେଇ ଆଗାମୀ ଦିନରେ ପ୍ରଶାସନ କି ପ୍ରକାରର ପଦକ୍ଷେପ ନେବ ଯାହାକି ଛେମୁଣ୍ଡା ଗ୍ରାମର ଚାଷୀଙ୍କୁ ସୁହାଇବ ତାହା ଅଂଚଳବାସୀଙ୍କ ପାଇଁ ମୁଖ୍ୟ ପ୍ରଶ୍ନବାଚୀ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ