ଦୁଗ୍ଧ କାରଖାନାରେ ଅଗ୍ନିକାଣ୍ଡ
କଟକ, ୩ ସେପ୍ଟେମ୍ବର (ହି.ସ.)- କଟକ ଜଗତପୁର ଶିଳ୍ପାଚଂଳସ୍ଥିତ ''ପ୍ରଗତି ମିଲ୍କ'' ଦୁଗ୍ଧ କାରଖାନାରେ ଆଜି ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ପ୍ରଗତି ମିଲ୍କର ୟୁନିଟ୍-୨ରେ ନିଆଁ ଲାଗିଥିଲା । ଫ୍ୟାକ୍ଟ୍ରିର ଷ୍ଟୋରେଜ୍ ପଏଂଟରେ ଥିବା ଡିପ୍ ଫ୍ରିଜରଗୁଡ଼ିକରେ ପ୍ରଥମେ ନିଆଁ ଲାଗିଥିଲା । ପରେ
ଦୁଗ୍ଧ କାରଖାନାରେ ଅଗ୍ନିକାଣ୍ଡ


କଟକ, ୩ ସେପ୍ଟେମ୍ବର (ହି.ସ.)- କଟକ ଜଗତପୁର ଶିଳ୍ପାଚଂଳସ୍ଥିତ 'ପ୍ରଗତି ମିଲ୍କ' ଦୁଗ୍ଧ କାରଖାନାରେ ଆଜି ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ପ୍ରଗତି ମିଲ୍କର ୟୁନିଟ୍-୨ରେ ନିଆଁ ଲାଗିଥିଲା । ଫ୍ୟାକ୍ଟ୍ରିର ଷ୍ଟୋରେଜ୍ ପଏଂଟରେ ଥିବା ଡିପ୍ ଫ୍ରିଜରଗୁଡ଼ିକରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଏହା କାରଖାନାର ବିଲ୍ଡିଂକୁ ବ୍ୟାପି ଯାଇଥିଲା । ଡିପ୍ ଫ୍ରିଜରଗୁଡ଼ିକରେ ଲହୁଣୀ ଓ ଘିଅ ମହଜୁଦ ଥିବାରୁ ନିଆଁ ଦ୍ରୁତଗତିରେ ବ୍ୟାପିବା ସହ ହୁତ୍ ହୁତ୍ ହୋଇ ଜଳି ଉଠିଥିଲା । ଏଥିରେ ଗୋଦାମରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ଛାରଖାର ହୋଇଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ୩୦ ମିନିଟ୍ ସମୟରେ କାରଖାନାର ଗୋଦାମ ଭିତରୁ ହଠାତ୍ ଧୂଆଁ ବାହାରିଥିଲା । ପରେ ଏହା ହୁତୁ ହୁତୁ ହୋଇ ଜଳି ଉଠିଥିଲା ।

ପ୍ରଗତି ମିଲ୍କର ୟୁନିଟ୍-୨ରେ ନିଆଁ ଲାଗିଥିବା ଖବର ପାଇ ଚାଉଳିଆଗଞ୍ଜ, କଟକ, ଟାଙ୍ଗି-ଚୌଦ୍ୱାର ଅଗ୍ନିଶମ କେନ୍ଦ୍ରର ଟିମ୍ ଘଟଣାସ୍ଥଳରେ ପହଂଚିଥିଲେ । ୫ଟି ଦମକଳ ଗାଡ଼ି ଏବଂ ୨୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ରୋବୋଟିକ୍ ଫାୟାର ୟୁନିଟ୍ ର ସହାୟତା ନିଆଯାଇଥିଲା । ନିଆଁ ଭିତର ଅଂଶରେ ବ୍ୟାପିଥିବାରୁ ଜେସିବି ମେସିନ୍ ସାହାଯ୍ୟରେ କାରଖାନାର କିଛି ଅଂଶ ଭଙ୍ଗାଯାଇ ଭିତରେ ଥିବା ନିଆଁକୁ ଲିଭାଇ ଦିଆଯାଇଥିଲା । କାରଖାନା ଭିତରୁ ପ୍ରବଳ କଳା ଧୂଆଁ ନିର୍ଗତ ହେଉଥିବାରୁ ଉଦ୍ଧାର ଓ ଅଗ୍ନି ନିର୍ବାପନ କାର୍ଯ୍ୟରେ କିଛିଟା ବାଧା ଉପୁଜିଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିଲେ ସୁଦ୍ଧା ପ୍ରାଥମିକ ଭାବେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ଦୀର୍ଘ ଅଢ଼େଇ ଘଂଟାର ପ୍ରୟାସ ପରେ ନିଆଁକୁ ଆୟତ କରିଛି । ତେବେ ତଦନ୍ତ ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande