
ଭୁବନେଶ୍ୱର, ୩ ସେପ୍ଟେମ୍ବର (ହି.ସ) : ସରକାରୀ ଅର୍ଥ ହେରଫେର ଓ
ଦୁର୍ନୀତି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି, ଆଇଏଏସ୍, ପୂର୍ବତନ ପ୍ରକଳ୍ପ
ନିର୍ଦ୍ଦେଶକ, ଡିଆରଡିଏ
ସୂର୍ଯ୍ୟନାରାୟଣ ଦାସ ଏବଂ ତତ୍କାଳୀନ ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତଙ୍କୁ ଆଜି ଦୋଷୀ
ସାବ୍ୟସ୍ତ କରାଯାଇଛି।
ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦାୟର ଚାର୍ଜସିଟ୍ରେ ପିସି ଆକ୍ଟ, ୧୯୮୮ର ଧାରା ୧୩(୨)
ସହ ୧୩(୧)(ଡି), ଆଇପିସିର ଧାରା
୪୬୮/୪୭୧/୪୨୦/୧୨୦-ବି ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ପ୍ରାୟ ୯ ଲକ୍ଷ ଟଙ୍କା ସରକାରୀ ଅର୍ଥ
ହେରଫେର ଅଭିଯୋଗରେ ଢେଙ୍କାନାଳର ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତିନି ଅଭିଯୁକ୍ତଙ୍କୁ
ଦୋଷୀ ସାବ୍ୟସ୍ତ କରିଛନ୍ତି।
ଅଦାଲତ ପ୍ରତ୍ୟେକ ଦୋଷୀଙ୍କୁ ୧ ବର୍ଷର କଠୋର କାରାଦଣ୍ଡ ସହ ଜରିମାନା
ଦଣ୍ଡାଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୦୧-୦୨ ମସିହାରେ ନିତ୍ୟାନନ୍ଦ ମହାନ୍ତି ଢେଙ୍କାନାଳ
ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ସମୟରେ ଅନ୍ୟ ଦୁଇ ଅଭିଯୁକ୍ତ ପୂର୍ବତନ ପିଡି, ଡିଆରଡିଏ
ସୂର୍ଯ୍ୟନାରାୟଣ ଦାସ ଏବଂ ତତ୍କାଳୀନ ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ ସରକାରୀ
ରାଜକୋଷକୁ ଆର୍ଥିକ କ୍ଷତି ପହଞ୍ଚାଇଥିବା ଜଣାପଡ଼ିଥିଲା।
ଢେଙ୍କାନାଳ ଏଫ୍ସିଆଇ ଗୋଦାମରୁ ବିଭିନ୍ନ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ
ମୁଖ୍ୟାଳୟକୁ ଶ୍ରମଭିତ୍ତିକ କାର୍ଯ୍ୟ ଅଧୀନରେ ଚାଉଳ ଓ ଗହମ ପରିବହନ ପାଇଁ ଶ୍ରୀ ଦାସଙ୍କ ପକ୍ଷରୁ
ପ୍ରସ୍ତାବିତ ଅଧିକ ଦରକୁ ଶ୍ରୀ ମହାନ୍ତି ଅନୁମୋଦନ କରିଥିଲେ।
ଏହାସହିତ, ଉକ୍ତ ଖାଦ୍ୟଶସ୍ୟ ପରିବହନ ପାଇଁ ଓଡ଼ିଶା ସିଭିଲ୍
ସପ୍ଲାଏ କର୍ପୋରେସନ୍, ଢେଙ୍କାନାଳ ପକ୍ଷରୁ ନିର୍ଦ୍ଧାରିତ ପରିବହନ ଦରକୁ ଶ୍ରୀ ମହାନ୍ତି ଓ
ଶ୍ରୀ ଦାସ ଅନୁସରଣ କରିନଥିଲେ। ସରକାରୀ ନିୟମ ଉଲ୍ଲଂଘନ କରି ଠିକାଦାରଙ୍କ ପକ୍ଷରୁ ଦାଖଲ
କରାଯାଇଥିବା ହାତଲେଖା କୋଟେସନ୍ ଗ୍ରହଣ କରି ଅଧିକ ଦରରେ ତାଙ୍କୁ ଅର୍ଥ ପ୍ରଦାନ କରାଯାଇଥିଲା।
ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ ଏବେ ଢେଙ୍କାନାଳର
ପୂର୍ବତନ ଜିଲ୍ଲାପାଳ (ଅବସରପ୍ରାପ୍ତ) ନିତ୍ୟାନନ୍ଦ ମହାନ୍ତି, ଆଇଏଏସ୍ ଏବଂ
ପୂର୍ବତନ ପିଡି, ଡିଆରଡିଏ
(ଅବସରପ୍ରାପ୍ତ) ସୂର୍ଯ୍ୟନାରାୟଣ ଦାସଙ୍କ ପେନସନ୍ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ
ନିକଟରେ ପଦକ୍ଷେପ ନେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା