ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ : ବିଜୁ ଏକ୍ସପ୍ରେସୱେରେ ବେଆଇନ ପାର୍କିଂ
Illegal parking create problem
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ: ବିଜୁ ଏକ୍ସପ୍ରେସୱେରେ ବେଆଇନ ପାର୍କିଂ


ଝାରସୁଗୁଡ଼ା, ୩ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ସଦର ବ୍ଲକ୍ ଅନ୍ତର୍ଗତ ବୃନ୍ଦାମାଲ କୋଲ୍ ୟାର୍ଡରୁ ବେପରୁଆ କୋଇଲା ପରିବହନ ଯୋଗୁଁ ବିଜୁ ଏକ୍ସପ୍ରେସୱେ (ରାଜ୍ୟ ରାଜପଥ–୧୦)ରେ ଗମନାଗମନ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ସାହାପଡ଼ାରୁ ଖେରୁଆଲ ଛକ ପର୍ଯ୍ୟନ୍ତ ଶହ ଶହ କୋଇଲା ବୋଝେଇ ଓ ଖାଲି ଭାରୀଯାନ ରାସ୍ତାର ଉଭୟ ପାର୍ଶ୍ୱରେ ଅନିୟନ୍ତ୍ରିତ ଭାବେ ପାର୍କିଂ କରାଯାଉଥିବାରୁ ପ୍ରତିଦିନ ସାଧାରଣ ଲୋକ ଓ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଏହି ବ୍ୟସ୍ତବହୁଳ ରାଜପଥରେ ସଡ଼କ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ି ଚାଲିଛି।

ସୂଚନା ଅନୁସାରେ, ବୃନ୍ଦାମାଲ ଅଞ୍ଚଳରେ ବିଭିନ୍ନ ଶିଳ୍ପସଂସ୍ଥାର କୋଲ୍ୟାର୍ଡ ରହିଛି। ଟ୍ରେନ୍ ଯୋଗେ ଆସୁଥିବା କୋଇଲା ଏଠାରେ ଅନଲୋଡ୍ ହେବା ପରେ ବିଭିନ୍ନ କମ୍ପାନୀକୁ ପଠାଇବା ପାଇଁ ପ୍ରତିଦିନ ଶହ ଶହ ଟ୍ରକ୍ ଓ ଭାରୀଯାନ ନିୟୋଜିତ ହେଉଛି। କିନ୍ତୁ କୋଲ୍ ୟାର୍ଡ ନିକଟରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ନଥିବାରୁ ଗାଡ଼ିଗୁଡ଼ିକୁ ବିଜୁ ଏକ୍ସପ୍ରେସୱେର ଉଭୟ ପାର୍ଶ୍ୱରେ ଲମ୍ବା ଧାଡ଼ିରେ ଛିଡ଼ା କରାଯାଉଛି। ଫଳରେ ସାହାପଡ଼ାରୁ ଖେରୁଆଲ ମଧ୍ୟରେ ପ୍ରାୟ ପ୍ରତିଦିନ ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଛି। ଗୁରୁବାର ସକାଳେ ମଧ୍ୟ ଭାରୀଯାନର ଅନିୟନ୍ତ୍ରିତ ଭିଡ଼ ଯୋଗୁଁ ବିଜୁ ଏକ୍ସପ୍ରେସୱେରେ ଦୀର୍ଘ ସମୟ ଧରି ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା। ଫଳରେ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ କାମରେ ଯାଉଥିବା ଲୋକମାନେ ଦୀର୍ଘ ସମୟ ଧରି ଜାମ୍ ରେ ଫସି ରହିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ଏହି ରାସ୍ତାରେ ଏକାଧିକ ସଡ଼କ ଦୁର୍ଘଟଣା ଘଟି ଅନେକ ଅମୂଲ୍ୟ ଜୀବନହାନି ଘଟିଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପ୍ରଶାସନ ପକ୍ଷରୁ ଦୃଶ୍ୟମାନ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ରାସ୍ତା କଡ଼ରେ ବେଆଇନ ପାର୍କିଂ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ, ସ୍ୱତନ୍ତ୍ର ଟ୍ରକ୍ ପାର୍କିଂ ନିର୍ମାଣ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେବୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି।

ଏ ସମ୍ପର୍କରେ ଜିଲ୍ଲା ପରିବହନ ଅଧିକାରୀ ଗୌରହରି ହାଁସଦାଙ୍କ ପ୍ରତିକ୍ରିୟା ନେବା ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଗ୍ରହଣ କରିନଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande