
ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) - ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଭଦ୍ରକ ପକ୍ଷରୁ ଆଜି ଜିଲ୍ଲା ସଂସ୍କୃତି ଭବନ, ଭଦ୍ରକଠାରେ “ଯୌତୁକ ନିଷେଧ ଅଧିନିୟମ, ୧୯୬୧” ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ମହିଳାମାନଙ୍କ ସଶକ୍ତିକରଣ ସହ ମାନସିକତା ଓ ସାମାଜିକ ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତନ ଆଣିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। କର୍ମଶାଳାର ଅଧ୍ୟକ୍ଷ ତଥା ମୁଖ୍ୟ ଅତିଥି , ଅତିରିକ୍ତ ଜ଼ିଲ୍ଲାପାଳ ଯୌତୁକ ନିଷେଧ ଅଧିନିୟମ, ୧୯୬୧ର ବ୍ୟାପକ ପ୍ରଚାର ଓ କାର୍ଯ୍ୟକାରୀ ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଯୌତୁକ ପ୍ରଥା ବିରୋଧରେ ତୃଣମୂଳ ସ୍ତରରୁ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହ ଆଇନର ବ୍ୟବସ୍ଥା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଦିଗରେ ସମସ୍ତ ବିଭାଗ ଓ ସମାଜର ବିଭିନ୍ନ ବର୍ଗର ମିଳିତ ପ୍ରୟାସ ଆବଶ୍ୟକ ବୋଲି ସେ କହିଥିଲେ। ଏହି ଅବସରରେ ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତିନିଧି ମୋନାଲିସା କର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରତିନିଧି ଡକ୍ଟର ତାପସ କୁମାର ମହାନ୍ତି ଏବଂ ଜନସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧି କନକଲତା ସାହୁ ପ୍ରମୁଖ ଯୋଗଦେଇ ଯୌତୁକ ପ୍ରଥା ନିରାକରଣ, ଆଇନର ଗୁରୁତ୍ୱ ଏବଂ ଏ ଦିଗରେ ବିଭିନ୍ନ ବିଭାଗର ଭୂମିକା ସମ୍ପର୍କରେ ନିଜ ନିଜ ମତାମତ ପ୍ରଦାନ କରିଥିଲେ। କର୍ମଶାଳାରେ ସମ୍ବଳ ବ୍ୟକ୍ତି ଭାବେ ଭଦ୍ରକ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ ଏବଂ ଗଙ୍ଗାଧର ବଳ ଯୋଗଦେଇ ଯୌତୁକ ନିଷେଧ ଅଧିନିୟମ, ୧୯୬୧ର ବିଭିନ୍ନ ଆଇନଗତ ଦିଗ, ଯୌତୁକ ନେବା-ଦେବା ସମ୍ପର୍କିତ ଆଇନଗତ ବ୍ୟବସ୍ଥା ଏବଂ ଏହାର ଅନୁପାଳନ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ଏଥିସହ ବିଭିନ୍ନ ସମାଜସେବୀମାନେ ଯୋଗଦେଇ ଯୌତୁକ ପ୍ରଥାର କୁପ୍ରଭାବ, ଏହା ଦ୍ୱାରା ମହିଳାମାନେ ସମ୍ମୁଖୀନ ହେଉଥିବା ସାମାଜିକ ସମସ୍ୟା ଏବଂ ଏହି କୁପ୍ରଥାକୁ ସମାଜରୁ ସମ୍ପୂର୍ଣ୍ଣ ଭାବେ ଦୂର କରିବା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ସମ୍ପର୍କରେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଆଇସିଡିଏସ୍ ପ୍ରକଳ୍ପର ସିଡିପିଓ, ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଉପସ୍ଥିତ ରହି କର୍ମଶାଳାରୁ ଆବଶ୍ୟକୀୟ ତାଲିମ ଓ ସୂଚନା ଗ୍ରହଣ କରିଥିଲେ। କର୍ମଶାଳାକୁ ସଫଳ ଓ ସୁଚାରୁରୂପେ ପରିଚାଳନା କରିବାରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର କର୍ମଚାରୀମାନେ ସହଯୋଗ କରିଥିଲେ। ସୁରକ୍ଷା ଅଧିକାରୀ ସବିତା ବେହେରା ସମଗ୍ର କର୍ମଶାଳାକୁ ସୁଚାରୁରୂପେ ସଂଚାଳନା କରିଥିଲେ। ଶେଷରେ ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରୀ ଉପସ୍ଥିତ ସମସ୍ତ ଅତିଥି, ସମ୍ବଳ ବ୍ୟକ୍ତି, ପ୍ରଶିକ୍ଷାର୍ଥୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ପରେ କର୍ମଶାଳାର ସମାପ୍ତି ଘୋଷଣା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ